www.samajalive.in
Friday, December 12, 2025
14.1 C
Bhubaneswar

ଏଣିକି ୨୪ଘଣ୍ଟା ଟିକାକରଣ

ନୂଆଦିଲ୍ଲୀ: ଏଣିକି ସରକାରୀ ଓ ଘରୋଇ ହସ୍ପିଟାଲଗୁଡିକରେ ଦିନ ଓ ରାତି ୨୪ଘଣ୍ଟା କରୋନା ଟିକାକରଣ ପ୍ରକ୍ରିୟା ଚାଲିବ। ହିତାଧିକାରୀମାନେ ନିଜ ସୁବିଧା ଅନୁଯାୟୀ ହସ୍ପିଟାଲକୁ ଆସି ଟିକା ନେଇପାରିବେ। ଏ ସମ୍ପର୍କରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ବୁଧବାର ଟୁଇଟ୍‌ କରି ଜଣାଇଛନ୍ତି। ପୂର୍ବରୁ ଦିନର ଏକ ନିର୍ଦ୍ଦିଷ୍ଟ ସମୟରେ କରୋନା ଟିକାକରଣ କରାଯାଉଥିଲା। ମନ୍ତ୍ରୀ ତାଙ୍କ ଟ୍ବିଟରରେ ଲେଖିଛନ୍ତି ‘ସରକାର ଟିକାକରଣ ଅଭିଯାନକୁ ତ୍ବରାନ୍ବିତ କରିବା ଲାଗି ସମୟ କଟକଣାକୁ ହଟାଇ ଦେଇଛନ୍ତି। ଲୋକେ ନିଜ ସୁବିଧା ଅନୁଯାୟୀ ୨୪ଘଣ୍ଟା ମଧ୍ୟରୁ ଯେକୌଣସି ସମୟରେ ଟିକା ନେଇପାରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକଙ୍କ ସମୟ ଓ ସ୍ବାସ୍ଥ୍ୟର ମୂଲ୍ୟକୁ ବୁଝିପାରିଛନ୍ତି।’

ସୋମବାର ଠାରୁ ଦେଶରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି। ଦ୍ବିତୀୟ ପର୍ଯ୍ୟାୟରେ ୬୦ବର୍ଷରୁ ଅଧିକ ବରିଷ୍ଠ ନାଗରିକ ଓ ୪୫ବର୍ଷରୁ ଅଧିକ ଗୁରୁତର ରୋଗରେ ଆକ୍ରାନ୍ତଙ୍କୁ ଟିକା ଦିଆଯାଉଛି। ଏହି ପର୍ଯ୍ୟାୟରେ ୧୦କୋଟି ନାଗରିକଙ୍କୁ ଟିକାକରଣ କରାଯିବ। ଏହି ଟିକାକରଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଲାଗି ସରକାର ପଦକ୍ଷେପ ନେଇଛନ୍ତି। ଟିକାକରଣକୁ ତ୍ବରାନ୍ବିତ ଲାଗି ଏବି-ପିଏମ୍‌ଜେଏୱାଇ, ସିଜିଏଚ୍‌ଏସ୍‌ ଓ ରାଜ୍ୟ ବୀମା ଯୋଜନାରେ ତାଲିକାଭୁକ୍ତ ହୋଇ ନଥିବା ଘରୋଇ ହସ୍ପିଟାଲଗୁଡିକରେ ଟିକାକରଣ ସୁବିଧା ଉପଲବ୍ଧ କରାଇବାକୁ କେନ୍ଦ୍ର ସରକାର ନିର୍ଦେଶ ଦେଇଛନ୍ତି। ଟିକା ଯୋଗାଣ ଲାଗି ଦେଶରେ ୬୦ଟି ଯୋଗାଣ କେନ୍ଦ୍ର ଖୋଲାଯାଇଛି। ଏହି ଯୋଗାଣ କେନ୍ଦ୍ରରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଟିକା ପଠାଯାଉଛି। ବୁଧବାର ସୁଦ୍ଧା ଦେଶରେ ୧କୋଟି ୫୬ଲକ୍ଷ ହିତାଧିକାରୀ ଟିକା ନେଇଛନ୍ତି।

- Advertisement -

ଅନ୍ୟପଟେ ଭାରତ ବାୟୋଟେକ ଓ ଭାରତ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର) ଦ୍ବାରା ପ୍ରସ୍ତୁତ କରୋନା ଟିକା କୋଭାକ୍ସିନର ୩ୟ ପର୍ଯ୍ୟାୟ ମାନବ ପରୀକ୍ଷା ଫଳ ପ୍ରକାଶ ପାଇଛି। ପ୍ରକାଶିତ ଫଳ ଅନୁଯାୟୀ ଏହି ଟିକା ୮୧% ପ୍ରଭାବଶାଳୀ ରହିଛି। ତୃତୀୟ ପର୍ଯ୍ୟାୟରେ ୨୫,୮୦୦ ସ୍ବେଚ୍ଛାସେବୀଙ୍କୁ ନେଇ ଏହି ପରୀକ୍ଷା କରାଯାଇଥିଲା। ତୃତୀୟ ପର୍ଯ୍ୟାୟ ପରୀକ୍ଷାରେ ସାମିଲ ସ୍ବେଚ୍ଛାସେବୀଙ୍କ ବୟସ ୧୮ରୁ ୯୮ବର୍ଷ। ଏଥିରୁ ୨୪୩୩ଙ୍କ ବୟସ ୬୦ବର୍ଷରୁ ଅଧିକ ଓ ୪୫୦୦ ସ୍ବେଚ୍ଛାସେବୀ ବିଭିନ୍ନ ଗୁରୁତର ରୋଗରେ ଆକ୍ରାନ୍ତ। ତୃତୀୟ ପର୍ଯ୍ୟାୟ ପରୀକ୍ଷା ଫଳ ପ୍ରକାଶ ବିନା ଏହି ଟିକାକୁ ଜରୁରୀ ବ୍ୟବହାର ଲାଗି ସରକାର ଅନୁମତି ଦେଇଥିବାରୁ ଅନେକ ସମାଲୋଚନା କରାଯାଇଥିଲା। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କୋଭାକ୍ସିନ୍ ଟିକା ନେଇ ସମାଲୋଚକଙ୍କୁ ଜବାବ ଦେଇଥିଲେ।

ଭାରତ ବାୟୋଟେକର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଡାକ୍ତର କ୍ରିଷ୍ଣା ଇଲା କହିଛନ୍ତି ଯେ କୋଭାକ୍ସିନର ପ୍ରଥମ, ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷାରେ ମୋଟ ୨୭,୦୦୦ ସ୍ବେଚ୍ଛାସେବୀ ସାମିଲ ହୋଇଥିଲେ। ଡାକ୍ତର ଏଇଲା କହିଛନ୍ତି ଯେ କୋଭାକ୍ସିନ୍ ଟିକାର ପ୍ରଭାବ ଅଧିକ ରହିଥିବାବେଳେ ଦ୍ରୁତ ପରିବର୍ତ୍ତନ ପୂର୍ବକ ସୃଷ୍ଟି ହେଉଥିବା ନୂଆ ଭାରିଏଣ୍ଟର କରୋନା ଭୂତାଣୁ ବିରୋଧରେ ଏହାର ପ୍ରତିରୋଧକ ଶକ୍ତି ଅଧିକ ରହିଛି। ଭାରତର ଏହି ସ୍ବଦେଶୀ ଟିକା କୋଭାକ୍ସିନକୁ କ୍ରୟ କରିବା ଲାଗି ୪୦ଟି ରାଷ୍ଟ୍ର ଆଗ୍ରହ ପ୍ରକାଶ କରିଥିବା ଭାରତ ବାୟୋଟେକ ପକ୍ଷରୁ କୁହାଯାଇଛି।

ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ ନାଜାଲ କୋଭିଡ-୧୯ ଟିକାର ମାନବ ପରୀକ୍ଷଣ ଆସନ୍ତା ସପ୍ତାହରୁ ଆରମ୍ଭ ହେବ। ପାଟନା, ଚେନ୍ନଇ, ହାଇଦରାବାଦ ଓ ନାଗପୁରରେ ୧୭୫ ସ୍ବେଚ୍ଛାସେବୀଙ୍କୁ ନେଇ ଏହି ପରୀକ୍ଷା କରାଯିବ। ଏହାର ପରୀକ୍ଷା ପାଇଁ ଇଣ୍ଡିଆନ ଡ୍ରଗ୍ସ ରେଗୁଲେଟର ଅନୁମତି ପ୍ରଦାନ କରିଛି। ହାତର ମାଂସପେଶୀରେ ଇଞ୍ଜେକସନ୍‌ ଦ୍ବାରା ଦିଆଯାଉଥିବା କରୋନା ଟିକା ଠାରୁ ନାଜାଲ ଟିକା ଭିନ୍ନ। ଏହି ଟିକାକୁ ନାକରେ ଡ୍ରପ୍‌ ଆକାରରେ ଦିଆଯିବ। ଏଥିପାଇଁ ଛୁଞ୍ଚି ଓ ସିରିଞ୍ଜର ଆବଶ୍ୟକତା ପଡିବ ନାହିଁ। ତେଣୁ ନାଜାଲ ଟିକା ଦ୍ବାରା ଟିକାକରଣ ଖର୍ଚ୍ଚ କମ୍ ରହିବ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories