www.samajalive.in
Sunday, December 7, 2025
26.1 C
Bhubaneswar

ନିଜ ତାକତ୍‌ରେ ଏକାକୀ ଲଢିବ ବିଜେପି: ଧର୍ମେନ୍ଦ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର :  ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏକୁ ବିଜେଡ଼ିର ସମର୍ଥନ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। କଂଗ୍ରେସ ଏହାକୁ ବିଜେପି-ବିଜେଡି ସଲାସୁତୁରା ଅଭିଯୋଗ କରିଥିବାବେଳେ ବିଜେଡି କହିଛି ସାମ୍ବିଧାନିକ ପଦ ଲାଗି ଏଭଳି ସମର୍ଥନକୁ ଅନ୍ୟ ଦୃଷ୍ଟିରେ ନଦେଖିବା ଉଚିତ। ଅନୁରୂପ ଭାବେ ବିଜେପି ମଧ୍ୟ ବିଜେଡି ସହ କୌଣସି ଭିତିରି ବୁଝାମଣାକୁ ଖଣ୍ଡନ କରିଛି।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଉପାଧ୍ୟକ୍ଷ ପଦ ଲାଗି ନିର୍ବାଚନ ନହୋଇ ଏହାକୁ ସହମତି ଭିତ୍ତିରେ କରାଯିବା ଉଚିତ ଥିଲା; କିନ୍ତୁ ବିରୋଧୀ କଂଗ୍ରେସ ତାହାକୁ କରାଇଦେଲା ନାହିଁ। ବିଜେଡି ସହ ସଲାସୁତୁରା ନେଇ ଉଠୁଥିବା ଅଭିଯୋଗକୁ ସେ ସଂପୂର୍ଣ୍ଣ ଖଣ୍ଡନ କରିବା ସହ ବିଜେଡି ସହ କୌଣସି ବୁଝାମଣା ହୋଇନି କିମ୍ବା ହେବାର ପ୍ରଶ୍ନ ଉଠୁନି ବୋଲି କହିଛନ୍ତି। ଓଡ଼ିଶାରେ ବିଜେପି ନିଜ ତାକତ୍‌ରେ ଏକାକୀ ଲଢିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ବିକାଶ କରିବେ ଓ ରାଜ୍ୟବାସୀଙ୍କ ଆଶା ଆକାଂକ୍ଷା ପୂରଣ କରିବେ ବୋଲି ଶ୍ରୀ ପ୍ରଧାନ ସ୍ପଷ୍ଟ କରିଛନ୍ତି। ତେବେ ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହଙ୍କ ପ୍ରାର୍ଥିତ୍ୱକୁ ଯେଉଁ ସବୁ ଦଳ ସମର୍ଥନ କରିଛନ୍ତି ଶ୍ରୀ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।
କଂଗ୍ରେସ ପ୍ରାର୍ଥୀ ବି.କେ. ହରିପ୍ରସାଦଙ୍କ ପରାଜୟ ପରେ ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ବିଜେଡି ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଉଭୟ ବିଜେପି-ବିଜେଡି ସଲାସୁତୁରାରେ ରହିଛନ୍ତି। ୪ ବର୍ଷ ହେଲା ଉଭୟଙ୍କ ଭିତରେ ଯେଉଁ ସଲାସୁତୁରା ଚାଲିଛି ତାହା ସଂସଦରେ ଅନାସ୍ଥା ପ୍ରସ୍ତାବ ଓ ଆଜିର ଉପାଧ୍ୟକ୍ଷ ନିର୍ବାଚନରୁ ପ୍ରମାଣିତ। କଂଗ୍ରେସ ନୁହେଁ; ବରଂ ବିଜେପି ହେଉଛି ବିଜେଡିର ବି-ଟିମ୍‌। ଆରଏସଏସ ଓ ବିଜେପି କୋଳରେ ପୁଣିଥରେ ନବୀନ ବସିଯାଇଛନ୍ତିି ବୋଲି ଶ୍ରୀ ଜେନା ଅଭିଯୋଗ କରିଛନ୍ତି। ଅନୁରୂପ ଅଭିଯୋଗ କରିଛନ୍ତି ଚିଦମ୍ବରମ୍‌। ସେ କହିଛନ୍ତି ବିଜେପିକୁ ସମର୍ଥନ କରି ବିଜେଡି ନିଜ ଗୋଡ଼କୁ ଗୁଳି ମାରିଛି। ବିଜେପି ରାଜ୍ୟରେ ବିଜେଡିକୁ କ୍ଷମତାଚ୍ୟୁତ କରିବାକୁ ଚାହୁଁଥିବାବେଳେ ସଂସଦରେ ଏନଡିଏକୁ ସମର୍ଥନ କରି ବିଜେଡି ଭୁଲ୍‌ କରିଛି। ଯଦି ବିଜେଡି ପ୍ରକୃତ ବିରୋଧୀ ଦଳର ଭୂମିକା ତୁଲାଇଥାନ୍ତା; ତେବେ ଫଳାଫଳ ଭିନ୍ନ ହୋଇଥାନ୍ତା ବୋଲି ଚିଦମ୍ବରମ୍‌ କହିଛନ୍ତି। ସେହିଭଳି ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଏନଡିଏକୁ ବିଜେଡିର ସମର୍ଥନ ଚିଟ୍‌ଫଣ୍ଡ ଦୁର୍ନୀତିରେ ସିବିଆଇ ଡ଼ର।
ଅନ୍ୟପକ୍ଷରେ କଂଗ୍ରେସର ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ବିଜେଡି ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ପ୍ରତାପ ଦେବ କହିଛନ୍ତି ଯେ, ସାମ୍ବିଧାନିକ ପଦ ଲାଗି ଜେଡିୟୁ ସାଂସଦ ହରିବଂଶ ନାରାୟଣଙ୍କୁ ଦଳ ସମର୍ଥନ କରିବା ପଛରେ ଉଭୟ ଦଳର ଜୟପ୍ରକାଶ ନାରାୟଣ ବିଚାରଧାରା। ଉଭୟ ବିଜେଡି ଓ ଜେଡିୟୁ ଏହି ବିଚାରଶୀଳତାରେ ବିଶ୍ୱାସ କରନ୍ତି ଓ କାର୍ଯ୍ୟ କରନ୍ତି। କଂଗ୍ରେସ ନିଜ ଦୁର୍ବଳତାକୁ ସ୍ୱୀକାର ନକରି ଅନ୍ୟକୁ ଦୋଷାରୋପ କରିବାର କିଛି ଗୁରୁତ୍ୱନାହିଁ। ଉଭୟ କଂଗ୍ରେସ ଓ ବିଜେପିଠାରୁ ଦଳ ସମଦୂରତ୍ୱ ବଜାୟ ରଖିଛି ବୋଲି ଶ୍ରୀ ଦେବ୍‌ କହିଛନ୍ତି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories