www.samajalive.in
Sunday, December 14, 2025
26.1 C
Bhubaneswar

ବିଦେଶରେ ସମ୍ପତ୍ତି ଠୁଳ କରିଥିବା ପାକିସ୍ତାନୀଙ୍କ ଉପରେ ଚଡ଼କ

ଇସଲାମାବାଦ : ଲଣ୍ଡନ ସମ୍ପତ୍ତି ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ବର୍ତ୍ତମାନ କାରାଦଣ୍ଡ ଭୋଗୁଥିବାବେଳେ ୟୁନାଇଟେଡ ଆରବ ଏମିରେଟ୍ସ ଓ ବ୍ରିଟେନ୍‍ରେ ସମ୍ପତ୍ତି ଠୁଳ କରିଥିବା ୧୫୦୦ ପାକିସ୍ତାନୀଙ୍କୁ ସରକାର ନୋଟିସ ଜାରି କରିଛନ୍ତି। ପାକିସ୍ତାନର ଟିକସ ଅଧିକାରୀଙ୍କ ସୂଚନା ଆଧାରରେ ଦେଶର ପ୍ରମୁଖ ଗଣମାଧ୍ୟମ ‘ଡନ୍‍’ ପ୍ରକାଶ କରିଥିବା ଖବର ଅନୁସାୟୀ, ପାକିସ୍ତାନର ରାଜସ୍ୱ ମନ୍ତ୍ରଣାଳୟ ଫେଡେରାଲ ବୋର୍ଡ ଅଫ ରେଭେନ୍ୟୁ (ଏଫ୍‍ବିଆର) ଦୁଇ ଦଫାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ନୋଟିସ ଜରି କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ଦଫାରେ ଲଣ୍ଡନରେ ସମ୍ପତ୍ତି କ୍ରୟ କରିଥିବା ୧୦୦୦ ବ୍ୟକ୍ତିଙ୍କୁ ନୋଟିସ ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି। ଦ୍ୱିତୀୟ ଦଫାରେ ଦୁବାଇରେ ସମ୍ପତ୍ତି କିଣିଥିବା ବ୍ୟକ୍ତିଙ୍କ ପାଳି ପଡ଼ିବ। ବିଦେଶରେ ସମ୍ପତ୍ତି କିଣି ନିୟମିତ ସେଠାରୁ ଭଡ଼ା ଅସୁଲ କରୁଥିବା ବ୍ୟକ୍ତିଙ୍କୁ ହିଁ ରାଜସ୍ୱ ବିଭାଗ ନିଶାଣ କରିଛି। ରାଜସ୍ୱ ଓ ଟିକସ ବିଭାଗ ପକ୍ଷରୁ ଟିକସ ଫାଙ୍କି ଓ ବେଆଇନ ଅର୍ଥ କାରବାର ଭଳି ଆର୍ଥିକ ଅପରାଧରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଠାବ କରାଯାଇ ଏଭଳି ପଦକ୍ଷେପ ଗ୍ରହଣ କରାଯାଉଛି। ବିଦେଶରେ ସମ୍ପତ୍ତି ଠୁଳକରି ନିଜ ସରକାରଙ୍କୁ ଲୁଚାଇବା ଓ ଏ ବାବଦରେ ଟିକସ ନ ଦେବାକୁ ସରକାର ଆର୍ଥିକ ଅପରାଧ ଭାବେ ବିବେଚନା କରୁଛନ୍ତି। ନୂଆ ସରକାର ଆସିବା ଦ୍ୱାରା ସେମାନଙ୍କ ଉପରେ ଚଡ଼କ ପଡ଼ିଛି।
ଏଫ୍‍ବିଆର ପକ୍ଷରୁ କରାଯାଇଥିବା ପ୍ରାଥମିକ ଆକଳନ ଅନୁଯାୟୀ, ଦେଶର ଟିକସ କ୍ଷମା ଯୋଜନାରୁ ସୁବିଧା ଉଠାଇ ୮୨ହଜାର ୮୪୮ ପାକିସ୍ତାନୀ ୨.୫ ଟ୍ରିଲିୟନ କଳାଟଙ୍କାକୁ ଧଳା କରିବାରେ ସକ୍ଷମ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୩୬୩ ଜଣ ବିଦେଶରେ ସମ୍ପତ୍ତି ରଖିଥିବା ଘୋଷଣା କରିଥିବାବେଳେ ୭୭ ହଜାର ୪୮୫ ଘୋଷଣାନାମରେ ଏହାକୁ ଲୁଚାଯାଇଛି। ଦୁଇ ମାସିଆ କ୍ଷମା ଯୋଜନାରେ ୧୨୧ବିଲିୟନ ଟଙ୍କାର ଟିକସ ଅସୁଲ ହୋଇଛି; ଯେଉଁଥିରେ ୪୪ବିଲିୟନ ବିଦେଶୀ ସମ୍ପତ୍ତି ଆଧାରିତ।
ପାକିସ୍ତାନର ଭାବି ଅର୍ଥମନ୍ତ୍ରୀ, ଇମ୍ରାନ ଖାଁଙ୍କ ଦଳ ପାକିସ୍ତାନ ତେହରିକ୍‍-ଇ-ଇନ୍‍ସାଫ୍‍ର ବରିଷ୍ଠ ନେତା ଆସାଦ ଉମର ଏହି ପରିପ୍ରେକ୍ଷୀରେ ସୂଚନା ଦେଇଛନ୍ତି ଯେ ଯେଉଁମାନେ ବିଦେଶ ସମ୍ପତ୍ତି ସମ୍ପର୍କରେ ଘୋଷଣା କରିନାହାନ୍ତି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିଦେଶରେ ସମ୍ପତ୍ତି ଠୁଳ କରିଥିବା ବ୍ୟକ୍ତି ପାକସିସ୍ତାନ ନାଗରିକ କି ନୁହେଁ ତାହା ପ୍ରଥମେ ନିଶ୍ଚିତ କରାଯିବା ପରେ ଏଫ୍‍ବିଆର ପକ୍ଷରୁ ନୋଟିସ ଜାରି କରାଯିବ ବୋଲି ଉମର କହିଛନ୍ତି। ନିକଟରେ ଅନୁଷ୍ଠିତ ଏକ ବୈଠକରେ ଇ୍ରମାନ ଖାଁ ବ୍ରିଟେନ୍‍ ଓ ଏମିରେଟ୍ସ ସରକାରଙ୍କୁ ସେମାନଙ୍କ ଦେଶରେ ସମ୍ପତ୍ତି ଠୁଳକାରୀ ପାକିସ୍ତାନୀଙ୍କ ସମ୍ପର୍କରେ ସୂଚନା ଦେବା ପାଇଁ ନିବେଦନ କରିଛନ୍ତି। ଆବଶ୍ୟକ କ୍ଷେତ୍ରରେ ସେହି ବିପୁଳ ସମ୍ପତ୍ତି ଫେରାଇ ଆଣିବା ପାଇଁ ଇମ୍ରାନଙ୍କ ସରକାର ଉଦ୍ୟମ କରିବେ ଏବଂ ଦେଶର ଆର୍ଥିକ ଅବସ୍ଥା ସୁଧାରିବା ପାଇଁ ଏହା ଅପରହାର୍ଯ୍ୟ ବୋଲି ଉମର ସୂଚନା ଦେଇଛନ୍ତି।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories