www.samajalive.in
Tuesday, December 9, 2025
16.1 C
Bhubaneswar

ଭାରତୀୟ ଜୀବନଶୈଳି, ପରମ୍ପରା ଓ ମୂଲ୍ୟବୋଧକୁ ଆପଣାଇବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରାମର୍ଶ

କଟକ: ପଣ୍ଡିତ ଗୋପବନ୍ଧୁ ଦାସଙ୍କ ‘ନର ସେବା ହିଁ ନାରାୟଣ ସେବା’ ବିଚାରକୁ ଆଧାର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରିବଙ୍କ ଜୀବନରେ ମୂଳଭୁତ ପରିବର୍ତନ ଆଣିବାର ଲକ୍ଷ୍ୟ ରଖିଛନ୍ତି ବୋଲି ମଙ୍ଗଳବାର କଟକ ଜିଲାର ଓଲଟପୁର ଠାରେ ଉତ୍କଳ ବିପନ୍ନ ସହାୟତା ସମିତିର ନବନିର୍ମିତ ସୁଶ୍ରୁତ ସ୍ୱାସ୍ଥ୍ୟ ସହାୟତା କେନ୍ଦ୍ର(ଆରୋଗ୍ୟ ଭବନ)କୁ ଲୋକାର୍ପଣ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ସରକାରଙ୍କ ମହାରତ୍ନ କମ୍ପାନୀ ଓଏନ୍‌ଜିସି ତରଫରୁ ପ୍ରାୟ ୨ କୋଟି ୩୨ ଲକ୍ଷ ଟଙ୍କା ବ୍ୟୟବରାଦରେ ପାଖାପାଖି ୧୫ ହଜାର ସ୍କୋୟାର ଫୁଟରେ ୫ ମହଲା ବିଶିଷ୍ଟ ଉତ୍କଳ ବିପନ୍ନ ସହାୟତା ସମିତିର ଏହି ଭବନ ଏଠାରେ ନିର୍ମାଣ ହେବା ଫଳରେ କଟକ ଜିଲ୍ଲାର ଓଲଟପୁରବାସୀଙ୍କ ସ୍ୱପ୍ନ ପୂରଣ ହୋଇଛି। ଲୋକାର୍ପିତ ସ୍ୱାସ୍ଥ୍ୟ ଭବନର ନିର୍ମାଣ ପାଇଁ ଉଦ୍ୟମ କରିଥିବା ଓଏନ୍‌ଜିସି, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଓ ଉତ୍କଳ ବିପନ୍ନ ସହାୟତା ସମିତିଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଦେଇଛନ୍ତି।

 

- Advertisement -

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶର ଗରିବ ଓ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟସେବାରେ ମୂଳଭୁତ୍ ପରିବର୍ତନ ପାଇଁ ଉଦ୍ୟମ କରାଯାଉଥିବା ବେଳେ ଗ୍ରାମାଂଚଳର ଗରିବ ଲୋକଙ୍କୁ ମେଡିକାଲ ସହାୟତା ସହ ଅନ୍ୟାନ୍ୟ ଆନୁଷଙ୍ଗୀକ ବ୍ୟବସ୍ଥାକୁ ଏହି ସୁଶ୍ରୁତ ସ୍ୱାସ୍ଥ୍ୟ ସହାୟତା କେନ୍ଦ୍ର ସହାୟକ ହୋଇଛି। ଓଡ଼ିଶା ସମେତ ଭାରତବର୍ଷର ସମସ୍ତ ନାଗରିକଙ୍କ ସୁଖ ସ୍ୱାଚ୍ଛନ୍ଦ୍ୟ ତଥା ଇଜି ଅଫ୍ ଲିଭିଂକୁ ଭାରତ ସରକାର ପ୍ରାଥମିକତା ଦେଉଛନ୍ତି। କଟକ ଏସସିବି ମେଡିକାଲ କଲେଜ, ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜ, ବୁର୍ଲା ଭିଏସଏସ ମେଡ଼ିକାଲ, ଭୁବନେଶ୍ୱର ସହରରେ ଏବଂ ଓଲଟପୁର ସ୍ୱାମୀ ବିବେକାନନ୍ଦ ନାସନ୍ୟାଲ ଇନଷ୍ଟିଚ୍ୟୁଟ୍ ଫର୍ ରିହାବିଲିଟେସନ ଟ୍ରେନିଂ ଏଣ୍ଡ୍ ରିସର୍ଚ୍ଚରେ ଉର୍ଦ୍ଧ୍ୱ ଅସହାୟଙ୍କୁ ମାଗଣାରେ ରହିବା, ମେଡ଼ିସିନ, ରକ୍ତଦାନ ତଥା ରୋଗୀଙ୍କୁ ମେଡିକାଲ ନେବାରେ ହେଉଥିବା ସମସ୍ୟାର ସମାଧାନ କରିବା ତଥା ସ୍ୱାସ୍ଥ୍ୟ ପରାମର୍ଶ ଦେବା ଦିଗରେ ୟୁବିଏସଏସ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ।
ରାଷ୍ଟ୍ରୀୟ ସ୍ୱୟଂସେବୀ ସଂଗଠନ ପକ୍ଷରୁ ଓଡ଼ିଶା ସମେତ ଦେଶରେ କଅଁଳ ଶିଶୁଙ୍କ ଶରୀରର ବିକାଶ ପାଇଁ ସୁପୋଷଣ ଅଭିଯାନ, ଶିକ୍ଷା କ୍ଷେତ୍ରରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଓ ଗ୍ରାମୀଣ ବିକାଶ ପାଇଁ ବିଭିନ୍ନ ଯୋଜନା କରାଯାଇଥିବା ବେଳେ ଏହି ସବୁ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଇ ଜନଆନ୍ଦୋଳନରେ ପରିଣତ କରିବାର ଆବଶ୍ୟକତା ରହିଛି। ସେହିପରି ବର୍ତମାନ ସମୟରେ ରାଷ୍ଟ୍ରୀୟ ବିଚାରଧାରାରେ ଭାରତୀୟ ଜୀବନଶୈଳି, ଭାରତୀୟ ପରମ୍ପରା ଓ ମୂଲ୍ୟବୋଧକୁ ସମସ୍ତେ ଆପଣାଇବା ଦରକାର ବୋଲି ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି।
ଉଲ୍ଲେଖନୀୟ ଯେ ସ୍ୱାମୀ ବିବେକାନନ୍ଦଜୀଙ୍କ ପବିତ୍ର ଜନ୍ମଜୟନ୍ତୀ ଦିବସ ଉପଲକ୍ଷେ ଶ୍ରୀ ପ୍ରଧାନ ଏଠାରେ ରକ୍ତଦାନ ଶିବିର ଉଦଘାଟନ କରିବା ସହ ରାଷ୍ଟ୍ରଦ୍ୱୀପର ସ୍ୱତନ୍ତ୍ର ବିଶେଷାଙ୍କ “ସେବା” ସ୍ମରଣିକା ମଧ୍ୟ ଉନ୍ମୋଚନ କରିଥିଲେ। ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଅଖିଳ ଭାରତୀୟ ସେବା ପ୍ରମୁଖ ପରାଗ ଅଭୟଙ୍କର, ଓଏନଜିସିର ମହାନଦୀ-ବେଙ୍ଗଲ-ଆଣ୍ଡାମାନ ବେସିନର ସିଜିଏମ-ଜିଓଲୋଜି, ଉତ୍କଳ ବିପନ୍ନ ସହାୟତା ସମିତି(ୟୁବିଏସ୍ଏସ୍) ସଭାପତି ଅଭୟ କୁମାର ସାମନ୍ତରାୟ, ସୁଶ୍ରୁତ ସ୍ୱାସ୍ଥ୍ୟ ସହାୟତା କେନ୍ଦ୍ରର ସଭାପତି ବିପିନ ପାଢ଼ୀ,ଉତ୍କଳ ବିପନ୍ନ ସହାୟତା ସମିତିର ସମ୍ପାଦକ ଡ଼ା. କ୍ରୀଷ୍ଣା ଗୋପାଲ, ଓଏନଜିସିର ଅଧିକାରୀ ତଥା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଓ ସୁଶ୍ରୁତ ସ୍ୱାସ୍ଥ୍ୟ ସହାୟତା କେନ୍ଦ୍ରର ସଦସ୍ୟମାନେ ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories