www.samajalive.in
Sunday, December 7, 2025
14.1 C
Bhubaneswar

ଧରାପଡ଼ିଲା କଫ ସିରଫ ଚୋରା ଚାଲାଣ, ୪ ଗିରଫ

ସମ୍ବଲପୁର: ସମ୍ବଲପୁରରେ ଦିନକୁ ଦିନ ବେଆଇନ ନିଶା କାରବାର ଚିନ୍ତାଜନକ ଭାବରେ ବୃଦ୍ଧି ପାଉଥିବା ବେଳେ ରବିବାର ପୁଲିସ ଓ ସ୍ପେଶାଲ ସ୍କ୍ୱାର୍ଡ ଦ୍ୱାରା ମିଳିତ ଚଢ଼ଉ ସମୟରେ ଅବୈଧ୍ୟ ଅପମିଶ୍ରିତ କଫ, କଫ ଏବଂ ନିଶା ବଟିକା ଜବତ କରାଯାଇଛି। ସୋମବାର ସନ୍ଧ୍ୟା ସମୟରେ ଏ ସର୍ମ୍ପକରେ ଜିଲା ପୁଲିସ ମୁଖ୍ୟ ବି. ଗଙ୍ଗାଧର ଜିଲା ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ବେଆଇନ ନିଶା କାରବାର ଉପରେ ପ୍ରଭାବୀ ଅଙ୍କୁଶ ଲଗାଇବା ପାଇଁ ପୁଲିସ ପ୍ରୟାସରତ ରହିଛି। ଅବୈଧ୍ୟ ଭାବରେ ନିଶା କଫ ସିରଫ ଚାଲାଣ ହେଉଥିବାର ବିଶ୍ୱସ୍ତସୂତ୍ରରୁ ଖବର ପାଇ ଟାଉନ ଥାନାଧିକାରୀଙ୍କ ନେତୃତ୍ୱରେ ପୁଲିସ ଏବଂ ସ୍ପେଶାଲ ସ୍କ୍ୱାର୍ଡ ଟାଉନ ମଧ୍ୟରେ ବ୍ଲକିଂ କରି ଚେକିଂ କରିଥିଲେ। ବ୍ଲକିଂ ସମୟରେ ୩ଟି ମୋଟର ବାଇକରେ ୪ ଜଣ ବ୍ୟକ୍ତି ଏୟାର ବେଗ ଗୁଡିକରେ ନିଶା କଫ ସିରଫ ଚାଲାଣ କରୁଥିବା ବେଳେ ପୁଲିସ ଧରିଥିଲା। ସେମାନଙ୍କ ନିକଟରୁ ପୁଲିସ ୧୮୩ ଭର୍ତ୍ତି ଠିପି ଖୋଲା ବୋତଲ ଥିବା ଅପମିଶ୍ରିତ କଫ ସିରଫ, ୨୫୦ଟି ସିଲ ଥିବା କଫ ସିରଫ ଏବଂ ୪ ସ୍ଟ୍ରିପ ନିଶା ବଟିକା ଜବତ କରିଛି। ଏହି ନିଶା ଚୋରା ଚାଲାଣରେ ସଂପୃକ୍ତ ଟାଉନ ଥାନା ଅର୍ନ୍ତଗତ ଠେଲକୋପଡାର ରକି ମୁଖି (୨୫), ବୈଦ୍ୟନାଥ ଛକ ମାରୱାଡିପଡାର ରାହୁଲ ମେହେର (୧୯), କ୍ଷେତରାଜପୁର ଥାନା ଅର୍ନ୍ତଗତ ତାଲଭଟ୍ଟା ପଡାର ଲକ୍ଷ୍ମଣ ମିଶ୍ର (୪୧) ଏବଂ ସୁନ୍ଦରଗଡ ଜିଲା ରାଜଗାଙ୍ଗପୁର ଥାନା ଅର୍ନ୍ତଗତ ମଧୁସୁଦନ କଲୋନୀର ଚନ୍ଦନ ପାତ୍ର (୧୯) ଙ୍କୁ ଗିରଫ କରିଛି। ଏହା ସହିତ ପୁଲିସ ୩ଟି ବାଇକ ଓ ୩ଟି ମୋବାଇଲ ଫୋନ ଅଭିଯୁକ୍ତ ମାନଙ୍କ ନିକଟରୁ ଜବତ କରିଛି। ସମସ୍ତ ଅଭିଯୁକ୍ତ ମାନଙ୍କୁ ପୁଲିସ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି ବୋଲି ଏସପି ଗଙ୍ଗାଧର କହିଛନ୍ତି। ଏହା ସହିତ ଏହି ମାମଲାରୁ ଆହୁରୀ ଅନେକ ସୁରାକ ମିଳିଥିବାରୁ ପୁଲିସ ତ୍ୱରିତ ପଦକ୍ଷେପ ନେଉଛି ଏବଂ ଖୁବ ଶିଘ୍ର ଆହୁରୀ ଚୋରା ନିଶା କାରବାରରେ ସଂପୃକ୍ତ ଅଭିଯୁକ୍ତ ଧରାପଡ଼ିବେ ବୋଲି ଏସପି ଦୃଢ଼ୋକ୍ତିର ସହିତ କହିଛନ୍ତି।

ସୂଚନାଯୋଗ୍ୟ ଯେ, ସମ୍ବଲପୁର ଟାଉନ ସମେତ ଜିଲାରେ ଅହେତୁକ୍ତ ଭାବରେ ବେଆଇନ କଫ ସିରଫ ସହିତ ନିଶା କାରବାର ବୃଦ୍ଧି ପାଉଥିବା ବେଳେ ଏଥି ପାଇଁ ବିଭିନ୍ନ ଅପରାଧିକ ଗତିବିଧି ସହିତ ହତ୍ୟା ଭଳି ସଙ୍ଗୀନ ଘଟଣା ଘଟିଯାଇଥିବାର ନଜୀର ରହିଛି। ଟାଉନର ଗଳିକନ୍ଦି ଆଦିରେ ଅନାୟସରେ ବେଆଇନ ଭାବରେ ନିଶା କାରବାର ଜୋରସୋରରେ ଚାଲୁଥିବା ବେଳେ ଏଥି ପାଇଁ ଯୁବ ପିଢ଼ି ପଥଭ୍ରଷ୍ଟ ହୋଇ ବିଭିନ୍ନ ଅପରାଧିକ କାଣ୍ଡରେ ଲିପ୍ତ ହେଉଥିବାର ପରିଲକ୍ଷିତ ହେଉଛି। ଏଣୁ ପୁଲିସ ଉପରେ ବେଆଇନ ନିଶା କାରବାର ଉପରେ ଅଙ୍କୁଶ ଲଗାଇବାକୁ ସବୁ ମହଲରୁ ଚାପ ପଡୁଛି। ତେଣୁ ପୁଲିସ କିଛିଟା କ୍ରିୟାଶୀଳ ହୋଇ ଏବେ ନିଶା କାରବାର ଉପରେ ଅଙ୍କୁଶ ଲଗାଇବାକୁ ଚେଷ୍ଟା କରୁଛି ବୋଲି ଜଣାପଡ଼ିଛି, ଯାହାକି ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।

- Advertisement -

ପୁଣି ଥରେ ରାଜଗାଙ୍ଗପୁର ଲିଙ୍କ
ସମ୍ବଲପୁରକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଯାତାୟାତର ସୁବ୍ୟବସ୍ଥା ରହିଥିବାରୁ ନିୟମିତ ଭାବରେ ଜିଲା ଓ ରାଜ୍ୟ ବାହାରୁ ବେଆଇନ ନିଶା କଫ ସିରଫ ଚାଲଣ ହେଉଛି। ଚଳିତ ଥର ପୁଲିସ ଧରିଥିବା ନିଶା କାରବାର କରୁଥିବା ଗ୍ୟାଙ୍ଗ ମଧ୍ୟରେ ସୁନ୍ଦରଗଡ ଜିଲାର ରାଜଗାଙ୍ଗପୁରରୁ ଜଣେ ସପ୍ଲାୟରକୁ ପୁଲିସ ଧରିଛି। ପୂର୍ବରୁ ମଧ୍ୟ ସମ୍ବଲପୁର ପୁଲିସ ଅଇଁଠାପାଲି ଓ ଟାଉନ ଥାନା ଆଦି ଅଞ୍ଚଳରେ ନିଶା କାରବାରରେ ସଂପୃକ୍ତ ବ୍ୟକ୍ତି ମାନଙ୍କୁ ଧରିଥିବା ବେଳେ ଅନେକ ସ୍ଥାନରେ ସେମାନେ ରାଜଗାଙ୍ଗପୁର ଠାରୁ କଫ ସିରଫ ଆଣି ବିକ୍ରି କରୁଥିବାର ଜଣାପଡ଼ିବା ପରେ ଚଢ଼ଉ କରାଯାଇ ବିପୁଳ ମାତ୍ରାରେ କଫ ସିରଫ ଜବତ କରିଥିବାର ନଜୀର ରହିଛି। ଏହା ସହିତ ଏହି କାରବାରର ଅନ୍ୟତମ ପ୍ରମୁଖ ସପ୍ଲାୟରକୁ ମଧ୍ୟ ଅଇଁଠାପାଲି ଓ ଟାଉନ ପୁଲିସ କିଛି ବର୍ଷ ତଳେ ଗିରଫ କରିବା ସହିତ ବିପୁଳ ମାତ୍ରାରେ କଫ ସିରଫ ଜବତ କରିଛି। କିନ୍ତୁ ଆଇନର ଫାଙ୍କ ରାସ୍ତା ଏବଂ ଢ଼ିଲା କାର୍ଯ୍ୟାନୁଷ୍ଠାନ ଯୋଗୁଁ ଅଭିଯୁକ୍ତ ମାନେ ଜେଲରୁ ମୁକୁଳିବା ପରେ ପୁର୍ନବାର ସେହି କାର୍ଯ୍ୟରେ ଲାଗି ରହୁଥିବାର ଦେଖାଯାଉଛି।

ମୁଖ୍ୟ ସପ୍ଲାୟର ପୁଲିସକୁ ଚକମା ଦେବାରେ ସଫଳ !!!
ବେଆଇନ ନିଶା କଫ ସିରଫ କାରବାରକୁ ଅଙ୍କୁଶ ଲଗାଇବା ପାଇଁ ସମ୍ବଲପୁର ପୁଲିସ ଚାପ ମଧ୍ୟରେ ରହିଥିବାରୁ ବର୍ଷ ପ୍ରାରମ୍ଭରୁ ହିଁ ଏହା ଉପରେ କାର୍ଯ୍ୟରତ ରହିଥିଲା। ବିଶ୍ୱସ୍ତସୂତ୍ରରୁ ପ୍ରକାଶ ଯେ, ସମ୍ବଲପୁର ଅଞ୍ଚଳକୁ ମୁଖ୍ୟତଃ ରାଜଗାଙ୍ଗପୁର ଅଞ୍ଚଳରୁ ନିଶା କଫ ସିରଫ ସପ୍ଲାଇ ହେଉଥିବାର ସୂଚନା ପରେ ମୁଖ୍ୟ କିଙ୍ଗପିନକୁ ଧରିବାକୁ ଯାଇ ଜାଲ ବିଛାଇ ବସି ରହିଥିଲା। ତେବେ ଠିକଣା ସମୟରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଥିବା ଜଣେ ଅଭିଯୁକ୍ତଙ୍କୁ ଅନ୍ୟତ୍ର ପଠାଇ ସେଠାରେ ମାଲ ଦେବା ପାଇଁ ପଠାଇବାରୁ ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଧରିବା ଛାଡି ସେଠାକୁ ଚାଲି ଯାଇଥିଲା। ରାଜଗାଙ୍ଗପୁରରୁ ଗିରଫ ହୋଇଥିବା ଅଭିଯୁକ୍ତକୁ ପୁଲିସ ଧରିବା କ୍ଷଣି ଖବର ପାଇଯିବାରୁ ମୁଖ୍ୟ ଅଭିଯୁକ୍ତ ପୁଲିସକୁ ଚକମା ଦେଇ ଫେରାର ହୋଇଯାଇଥିଲା। ତେବେ ପୁଲିସ ବହୁ ଖୋଜାଖୋଜି ପରେ ମଧ୍ୟ ମୁଖ୍ୟ ଅଭିଯକ୍ତକୁ ଧରିବାରେ ବିଫଳ ହେବାରୁ ବାଧ୍ୟ ହୋଇ କାନମୁଣ୍ଡା ଆଉଁସି ଫେରି ଆସିଥିଲା ବୋଲି ବିଶ୍ୱସ୍ତସୂତ୍ରରୁ ପ୍ରକାଶ।

ରାଜ୍ୟ ବାହାରକୁ ଯିବ ପୁଲିସ !!!
ସମ୍ବଲପୁରରେ ଚାଲିଥିବା ନିଶା କାରବାରରେ ରାଜ୍ୟ ବାହାରର ଲିଙ୍କ ରହିଥିବାରୁ ପୁଲିସ ବାହାରକୁ ଯିବ ବୋଲି ଜଣାପଡ଼ିଛି। ଏବେ ରାଜ୍ୟ ବାହାରର ସପ୍ଲାୟର ମାନଙ୍କୁ ଠାବ କରି ପୁଲିସ ତଦନ୍ତ ଜାରି ରହିଛି ଏବଂ ଆବଶକତା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି କହିଛନ୍ତି।

ଏନଡିପିଏସ ଆକ୍ଟ ଅନୁଯାୟୀ ମାମଲା
ବେଆଇନ କଫ ସିରଫ ଜବତ କରାଯାଇଥିବା ମାମଲାରେ ଏନଡିପିଏସ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇଛି। ନିଶା କଫ ସିରଫରେ କୋଡିନ ଫସଫେଟ ନାମକ ଏକ ମାଦକ ଦ୍ରବ୍ୟ ରହିଥାଏ। ଏହା ନାର୍କେଟିକ୍ସ ଆକ୍ଟ ଅନୁଯାୟୀ ପ୍ରତିବନ୍ଧକ ମାଦକ ଦ୍ରବ୍ୟ ହୋଇଥିବାରୁ ଏନଡିପିଏସ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି ବୋଲି ଏସପି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

 

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories