www.samajalive.in
Monday, December 8, 2025
16.1 C
Bhubaneswar

ପାହାଡ଼ ଉପ‌ରେ ଗାଁ : ନିଷ୍ଠୁରଦୁମା

ଦେବଗଡ଼ (ସିଦ୍ଧାର୍ଥ ଗୁରୁ) : ବଣ ଜଙ୍ଗଲ ଘେରା ଦେବଗଡ଼ ଜିଲାର ଛୋଟିଆ ଗାଁ’ଟିଏ। ପାହାଡ଼ ଉପରେ ତା’ର ସ୍ଥିତି। କାହିଁ କେଉଁ କାଳରୁ  ଆକାଶକୁ ମୁହଁକରି ରହିଥିବା ଏହି ଗାଁ’ରେ ବସବାସ କରନ୍ତି ମାତ୍ର ୧୦ଟି ପରିବାର। ମୋଟ ଜନସଂଖ୍ୟା ପ୍ରାୟ ୫୦। ଆଧୁନିକତାର ଚମକଦମକରୁ ଦୂର ତଥା ବିକାଶ ପ୍ରକ୍ରିୟାରୁ ବଞ୍ଚିତ ଏହି ଗାଁ’ର ନାମ ନିଷ୍ଠୁରଦୁମା। ନାଁ ଯେମିତି, ତା’ର ଭାଗ୍ୟ ବି ସେମିତି।

ବିକାଶର ସବୁଠାରୁ ବଡ଼ ବାଧକ ହେଉଛି ରାସ୍ତା। ରିଆମାଳ ବ୍ଲକ ଅନ୍ତର୍ଗତ ଆଡଶ ପଞ୍ଚାୟତର ଦୁର୍ଗମ ପାହାଡ ଶିଖରରେ ରହିଛି ଏଇ ଗାଁ। ଏଠାରେ ପହଞ୍ଚିବାକୁ ହେଲେ ଅନୂନ୍ୟ ୨ କିଲୋମିଟର ପର୍ଯ୍ୟନ୍ତ ପାହାଡ଼ ଚିଢ଼ିବାକୁ ପଡ଼େ। ଏ ପ୍ରକାର ପରିସ୍ଥିତିରେ ବିକାଶର ଆଲୋକ ସେଠି ପହଞ୍ଚିବ ବା କେମିତି! ରାସ୍ତା ଅଭାବରୁ ପାନୀୟଜଳ, ସ୍ବାସ୍ଥ୍ୟସେବା, ଶିକ୍ଷା ପରି ମୌଳିକ ସୁବିଧାରୁ ଗ୍ରାମାବାସୀ ଆଜି ଯାଏଁ ବଞ୍ଚିତ ହୋଇ ରହିଛନ୍ତି।

- Advertisement -

ଏହି ଗ୍ରାମରେ ଶୁଦ୍ଧ ପାନୀୟ ଜଳର କୌଣସି ବ୍ୟବସ୍ଥା ନାହିଁ। ନାମକୁ ମାତ୍ର ଗୋଟିଏ ଗାଡ଼ିଆ ରହିଛି। ସ୍ନାନ ଶୌଚାଦି ପାଇଁ ଗ୍ରାମବାସୀ ତା’ ଉପରେ ଓ ପାନୀୟ ଜଳ ପାଇଁ ଚୁଆ ଉପରେ ନିର୍ଭର କରନ୍ତି। ନଳକୂପ ସେମାନଙ୍କ ପାଇଁ ସ୍ବପ୍ନ। ପୁଣି ଗାଡ଼ିଆ ଓ ଚୁଆ ଉପରେ ଗାଁ’ର ଗୃହପାଳିତ ପଶୁ ମଧ୍ୟ ନିର୍ଭରଶୀଳ। ବିକଳ୍ପ ନଥିବାରୁ ଗ୍ରାମବାସୀ ଉକ୍ତ ଅପରିଷ୍କାର ଓ ଦୂଷିତ ପାଣି ବ୍ୟବହାର କରୁବାକୁ ବାଧ୍ୟ ହେଉଛନ୍ତି।

ଗାଁ’ରେ କେହି ରୋଗାକ୍ରାନ୍ତ ହେଲେ ରୋଗୀକୁ କାନ୍ଧରେ ବୋହି କିମ୍ବା ଖଟ ଦୋଳାରେ ଝୁଲାଇ ପ୍ରଥମେ ବରଖୋଳ ଗ୍ରାମକୁ ଅଣାଯାଏ। ତା’ପରେ ସେଠାରୁ କେଉଁ ଡାକ୍ତରଖାନାକୁ ନିଆଯିବ ତାହା ଚିନ୍ତା କରାଯାଏ।  ନିଷ୍ଠୁରଦୁମାରୁ ରିଆମାଲ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଦୂରତା ୨୦ ଏବଂ ଛତାବର ଗୋଷ୍ଠୀକେନ୍ଦ୍ରର ଦୂରତା  ୨୩ କିଲୋମିଟର। ଅନେକ ସମୟରେ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ବାଟରେ ରୋଗୀର ପ୍ରାଣବାୟୁ ଉଡ଼ିଯାଇଥାଏ। ସେହିପରି କେବେକେବେ ଗର୍ଭବତୀଙ୍କ ପ୍ରସବ ବାଟରେ ହିଁ ହୋଇଯାଏ।

ଗାଁ’ରେ ଶିକ୍ଷାର ପ୍ରସାର ଆଦୌ ନାହିଁ କହିଲେ ଚଳେ। ଏ ସମ୍ପର୍କରେ ଗ୍ରାମବାସୀ ଯେ ସଚେତନ ନୁହନ୍ତି ତା’ ନୁହେଁ, ଅସଲ ସମସ୍ୟା ହେଲା ପ୍ରଶାସନିକ ଉଦାସୀନତା।  ଗାଁରେ ଅଙ୍ଗନବାଡ଼ି କେନ୍ଦ୍ରଟିଏ ଖୋଲିବା କଥା ବି ସରକାର କି ପ୍ରଶାସନ ଏ ପର୍ଯ୍ୟନ୍ତ ଚିନ୍ତା କରି ନାହାନ୍ତି।  ଏପରିକି ପ୍ରାଥମିକ ସ୍କୁଲଟିଏ ନଥିବାରୁ ପ୍ରାଥମିକ ସ୍ତରରେ ପଢ଼ୁଥିବା ସ୍ଥାନୀୟ ଛାତ୍ର, ଛାତ୍ରୀଙ୍କୁ ପ୍ରତିଦିନ ପାହାଡ଼ ଓହ୍ଲାଇ ସେଠାରୁ ୨ କିଲୋମିଟର ଦୂର ବରଖୋଳ ପର୍ଯ୍ୟନ୍ତ ଯିବାକୁ ପଡ଼େ। ହାଇସ୍କୁଲ ପଢ଼ୁଥିବା ପିଲାଙ୍କ ପାଇଁ ଦୁଇଟି ବିକଳ୍ପ ରହିଛି। ଗୋଟିଏ ଆଡଶ ହାଇସ୍କୁଲ ଓ ଦ୍ବିତୀୟଟି ମଳେହିପଡ଼ା ହାଇସ୍କୁଲ। ବରଖୋଳରୁ ମଳେହିପଡ଼ା ୯ କିଲୋମିଟର ଏବଂ ଆଡଶର ଦୂରତା  ୫ କିଲୋମିଟର। ମଳେହିପଡ଼ାକୁ ରାସ୍ତା ଅଛି। ଆଡଶର ଦୂରତା କମ୍‌ ହେଲେ ମଧ୍ୟ ସେଠାକୁ ରାସ୍ତା ନାହିଁ। ନିଷ୍ଠୁରଦୁମାରୁ ତଳକୁ ଓହ୍ଲାଇବା ପରେ ଦୁର୍ଗମ ରାସ୍ତାରେ ଆଉ ଗୋଟିଏ ପାହାଡ଼ ଡେଇଁବାକୁ ପଡ଼େ।  ସେଥିପାଇଁ ପାଠ ପ୍ରତି ଏଠା ପିଲାଙ୍କ ସେତେଟା ଆଗ୍ରହ ନାହିଁ।

ସେହିପରି ରାସ୍ତା ନଥିବାରୁ ଅଞ୍ଚଳବାସୀ ସବୁ ପ୍ରକାର ସୁବିଧା, ସୁଯୋଗରୁ ବଞ୍ଚିତ ହେଉଛନ୍ତି। ବୃଦ୍ଧ ବୃଦ୍ଧାମାନେ ଚାଉଳ କିମ୍ବା ଭତ୍ତା ଆଣିବାକୁ ହେଲେ ପାହାଡରୁ ଓହ୍ଲାଇ ବରଖୋଳ ଗ୍ରାମରେ ପହଂଚିବାପରେ ପୁଣି ଅନ୍ୟଏକ ପାହାଡ ଚଢି ଆଡଶ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟକୁ ଯିବାକୁ ପଡିଥାଏ।

ଏହି ସବୁ ସମସ୍ୟାର ସମାଧାନ ପାଇଁ ବହୁବାର ଆଡଶ ସରପଞ୍ଚ, ନିର୍ବାହୀ ଅଧିକାରୀଙ୍କ ସମେତ ରିଆମାଳ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିବା କହନ୍ତି ଗ୍ରାମବାସୀ। ଏସମ୍ପର୍କରେ ରିଆମାଳ ବିଡିଓ ଦିବ୍ୟଶଙ୍କର ଜୟପୁରିଆଙ୍କ ସହ ଯୋଗାଯୋଗ କରାଯାଇଥିଲା। ସେ ପଚାରି ବୁଝିବେ ଓ ନିଷ୍ଠୁରଦୁମା ଗ୍ରାମରେ ଯଦି ଏଭଳି ସମସ୍ୟା ରହିଥାଏ ତେବେ ଅବିଳମ୍ବେ ସମସ୍ତ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories