BJD Bijuli 480×75 Mob

କବାଟ ନଥିବା ଭାରତର ଦୁଇଟି ଗାଁ; ଚମକୁଛି ଶନିସିଗ୍ନାପୁର, ସିଆଳିଆ ଫିକା

ମହାରାଷ୍ଟ୍ରରେ ପର୍ଯ୍ୟଟକ ଭିଡ଼; ଓଡ଼ିଶାରେ ଖାଁ ଖାଁ

BJD Bijuli 480×75 Mob

ଭୁବନେଶ୍ୱର(ଶୁଭ୍ରାଂଶୁ ସୂତାର): ଗାଁରେ କବାଟ ନାହିଁ। ବିଶ୍ୱାସ ଆଉ ଭରସାରେ ଶହ ଶହ ବର୍ଷ ଧରି ଘରର କବାଟ ନ କରି ତାଟିରେ ଆଉଜେଇ ଦିଅନ୍ତି ଗାଁ ଲୋକେ। ଗ୍ରାମବାସୀଙ୍କ ବିଶ୍ୱାସ ମା’ ଖରାଖାଇ କବାଟ ଭଳି ଜଗି ରହିଛନ୍ତି ସମସ୍ତଙ୍କ ଘରକୁ। ଏଭଳି ଏକ ବିସ୍ମୟ ଗାଁ ଏବେ ବି ରହିଛି କେନ୍ଦ୍ରାପଡ଼ା ଜିଲାର ରାଜକନିକା ବ୍ଲକ୍‍ରେ। ନାଁ ତା’ର ସିଆଳିଆ। ଏହି ଗାଁ ପ୍ରତି ଓଡ଼ିଶା ସରକାରଙ୍କର ନଜର ପଡ଼ିପାରି ନଥିବା ବେଳେ ପର୍ଯ୍ୟଟନ ବିଭାଗ ତାଲିକାରେ ବି ଏହି ଗାଁର ନାଁ ନାହିଁ। କେବଳ ଖବରକାଗଜ, ପୁସ୍ତକ ଆଉ ଲେଖା ପଢ଼ି ପ୍ରତିଦିନ କିଛି ପର୍ଯ୍ୟଟକ ଏହି ଗାଁକୁ ଆସିଥାନ୍ତି। ଏତିକିରେ ସୀମିତି ରହିଛି ଏହି ଗାଁ। ପର୍ଯ୍ୟଟକଙ୍କ ଆଢୁଆଳରେ ରହିଯାଉଛି ସିଆଳିଆ।
ହେଲେ ଏହି ଭଳି ଅନୁରୂପ ଏକ ଗାଁ ହେଉଛି ମହାରାଷ୍ଟ୍ର ଅହମେଦ ନଗରର ଶନିସିଗ୍ନିପୁର। ଯେଉଁ ଗାଁରେ ଲୋକଙ୍କ ଘରେ କବାଟ ମଧ୍ୟ ନାହିଁ। କେବଳ ଲୋକଙ୍କ ଘର ନୁହେଁ; ଏଠାରେ ୨୦୧୧ ମସିହାରୁ ପ୍ରତିଷ୍ଠିତ ୟୁନାଇଟେଡ୍‌ କମର୍ସିଆଲ ବ୍ୟାଙ୍କର ମଧ୍ୟ କବାଟ ନାହିଁ; କେବଳ ଧୂଳି ନ ଉଡିବା ଲାଗି ସାମ୍ନାରେ ନାଁକୁ ମାତ୍ର ଲାଗିଛି ଏକ ସ୍ବଚ୍ଛକାଚର କବାଟ। ଭାରତରେ ଏହା ହେଉଛି ପ୍ରଥମ କବାଟ ନଥିବା ବ୍ୟାଙ୍କ। ଏପରିକି ୨୦୧୫ରୁ ଏଠାରେ ଥାନାଟିଏ ଖୋଲାଯାଇଛି। ଗୋଟିଏ ବି ମାମଲା ସେବେଠାରୁ ଏଠି ପଞ୍ଜିକୃତ ହୋଇନି।
ସବୁଠୁ ଉଲ୍ଲେଖନୀୟ ହେଉଛି, ମହାରାଷ୍ଟ୍ରର ସରକାରଙ୍କ ପକ୍ଷରୁ ସେହି ଗାଁକୁ ପର୍ଯ୍ୟଟନ ବିଭାଗ ସ୍ୱତନ୍ତ୍ର ଭାବେ ବିଜ୍ଞାପିତ କରିଛନ୍ତି। ପ୍ରଚାର ଓ ପ୍ରସାର ଯୋଗୁଁ ଦୈନିକ ଏହି ଗାଁକୁ ପ୍ରାୟ ୪୦ ହଜାର ପର୍ଯ୍ୟଟକ ଦେଶ ବିଦେଶରୁ ଦେଖିବାକୁ ଆସୁଛନ୍ତି। ଏହାସହ ଗାଁକୁ ଆବଶ୍ୟକ ମୌଳିକ ଭିତ୍ତିଭୂମି ଓ ଆନୁସଙ୍ଗିକ ସୁବିଧା ସୁଯୋଗ ମହାରାଷ୍ଟ୍ର ସରକାର ଯୋଗାଇ ଦେବା ସହିତ ବିଭିନ୍ନ ସାଜସଜା କରିଛନ୍ତି। ଏକ ଜଗୁଆଳିବିହୀନ ବ୍ୟାଙ୍କ, ପର୍ଯ୍ୟଟକଙ୍କ ରହିବା ପାଇଁ ଘର, ଆଲୋକୀକରଣ ବ୍ୟବସ୍ଥା କରିଛନ୍ତି। ଏହାସହ ସ୍ୱତନ୍ତ୍ର ଭାବେ ୱେବ୍‍ସାଇଟ୍‍ ମଧ୍ୟ ଖୋଲିଛନ୍ତି। ଏହି କାରଣରୁ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ପାଉଛନ୍ତି ସରକାର। ଏହାଦ୍ବାରା ଅଞ୍ଚଳ ଲୋକମାନଙ୍କର ମଧ୍ୟ ଅର୍ଥନୈତିକ ବିକାଶ ହୋଇପାରିଛି। ଶନ୍ନିସିଗ୍ନାପୁର ଗାଁରେ ଗ୍ରହରାଜ ଶନି ଦେବତାଙ୍କ ଉପରେ ଲୋକଙ୍କର ଅଖଣ୍ଡ ବିଶ୍ୱାସ ଆଉ ଭରସା। ସେଇଥିପାଇଁ କେହି ଘରେ କବାଟ ଲଗାଇ ନାହାଁନ୍ତି। ଏଠାରେ ରହିଛି ଏକ ବୃହତ୍ ଶନିଙ୍କ କଳାମୁଗୁନିର ବିଶାଳ ପ୍ରସ୍ତର। ଏହାକୁ ଲୋକେ ପୂଜା କରୁଛନ୍ତି। କେହି ଚୋରି କଲେ ଅନ୍ଧ ହୋଇଯିବା ଓ ସାଢେ ୭ବର୍ଷ ଧରି ଶନିଙ୍କ କୋପ ଚୋର ଉପରେ ରହିବା ଗ୍ରାମବାସୀ ବିଶ୍ବାସ କରନ୍ତି। ଏହି ଲୋକବିଶ୍ବାସକୁ ଅଣଦେଖା କରି ଜଣେ ବ୍ୟକ୍ତି କୁଆଡେ ତାଙ୍କ ଦୁଆରେ ଏକ କବାଟ ଲଗାଇଥିଲେ। ପରଦିନ ତାଙ୍କର କାର୍‌ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଗ୍ରାମବାସୀ କୁହନ୍ତି। ଏହା ଭିତରେ ପ୍ରାୟ ତିନି ଶହ ବର୍ଷ ଧରି ଏହି ବିଶ୍ୱାସରେ ରହିଆସିଛନ୍ତି ଶନିସିଗ୍ନରପୁର ଗ୍ରାମବାସୀ। ଆଉ ଆଗକୁ ମଧ୍ୟ ଏହା ଜାରି ରହିବ ବୋଲି ଗାଁ ଲୋକେ କହନ୍ତି।
ଦୁଃଖର କଥା ରାଜକନିକା ବ୍ଲକ୍‍ରେ ରହିଥିବା ସିଆଳିଆ ଗାଁରେ ପ୍ରାୟ ପାଞ୍ଚ ଶହ ବର୍ଷର ତଳୁ ରହିଆସିଛି ଏହି ପରମ୍ପରା ଆଉ ବିଶ୍ୱାସ। ପର୍ଯ୍ୟଟନର ଭିତ୍ତିଭୂମି ରହିଥିଲେ ମଧ୍ୟ ହେଲେ ରାଜ୍ୟ ସରକାର ଏହି ଗାଁ ପ୍ରତି ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନାହାଁନ୍ତି। ସମେସ୍ତ ଜାଣନ୍ତି; ହେଲେ ଏହି ଗାଁକୁ ନେଇ ପୃଥିବୀ ଆଉ ଭାରତରେ ପରିଚିତ କରିବାର ଧାରାଠାରୁ ଦୂରେଇ ଯାଇଛନ୍ତି ସରକାର। ସମାନ ଗାଁର ଚିତ୍ର। ଗୋଟିଏ ପଟେ ମା’ ଖରାଖାଇ ଅନ୍ୟପଟେ ଗ୍ରହରାଜ ଶନି ଦେବତା। ଘରର ଚିତ୍ର ମଧ୍ୟ ଦେଖିଲେ ସମାନ ରହିଛି। ମହାରାଷ୍ଟ୍ର ସରକାର ସେହି ଗାଁକୁ ପର୍ଯ୍ୟଟନ କ୍ଷେତ୍ରରେ ନୂଆ ପରିଚୟ ଦେଇ ପାରିଥିବା ବେଳେ ଓଡ଼ିଶା ସରକାର ଆଜି ପର୍ଯ୍ୟନ୍ତ ନୀରବଦ୍ରଷ୍ଟା ସାଜିଛନ୍ତି। କାଁଭଁ ପର୍ଯ୍ୟଟକ ବୁଲିଆସୁଛନ୍ତି ଏହି ଗାଁକୁ; ହେଲେ ଶନି ସିଗ୍ନିପୁରକୁ ପ୍ରତିଦିନ ୪୦ ହଜାରୁ ଅଧିକ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ଗାଁ କନିଆଁ ସିଙ୍ଗାଣି ନାକି ଭଳି ଭୁବନେଶ୍ୱରଠାରୁ ମାତ୍ର ୧୨୩ କିଲୋମିଟର ଦୂରରେ ଥିବା ସିଆଳିଆ ଗାଁ ଆଜି ସରକାର ଏବଂ ପର୍ଯ୍ୟଟନ ବିଭାଗରେ ଅଲୋଡ଼ା। ଯଦି ରାଜ୍ୟ ସରକାର ଚାହିଁବେ, ମହାରାଷ୍ଟ୍ର ସରକାରଙ୍କ ଭଳି ସିଆଳିଆକୁ ଚମକାଇପାରିବେ। ଏହାର ପ୍ରଚାର ପ୍ରସାର କରି ପର୍ଯ୍ୟଟନ କ୍ଷେତ୍ର ଲାଗି ଉପଯୋଗୀ କଲେ, କେବଳ ଗାଁର ଭାଗ୍ୟ ବଦଳିବନି; ବରଂ ରାଜ୍ୟ ପର୍ଯ୍ୟଟନର ରାଜସ୍ବ ମଧ୍ୟ ଶ୍ରୀବୃଦ୍ଧି ହୋଇପାରନ୍ତା।

Comments are closed.