www.samajalive.in
Sunday, December 14, 2025
16.1 C
Bhubaneswar

  ଅଭିଜ୍ଞତାକୁ ଉପଯୋଗ କରିପାରୁନି ବିଜେଡି, କୋଣଠେସା ଗଞ୍ଜାମ ନେତା ଚନ୍ଦ୍ରଶେଖର

ବ୍ରହ୍ମପୁର: ରାଜ୍ୟ ରାଜନୀତିର ଜଣେ ଅଭିଜ୍ଞ ନେତା ଭାବେ ପରିଚିତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବର୍ତ୍ତମାନର ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ବିଜେଡ଼ି ଜାତୀୟ ମୁଖପାତ୍ର ତାଲିକାରେ ସ୍ଥାନ ନପାଇବା ଘଟଣା ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି। ଘୋଷିତ ବିଜେଡି ମିଡିଆ ଟିମରେ ଜାତୀୟ ମୁଖପାତ୍ର ତାଲିକାରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ପିନାକୀ ମିଶ୍ର, ଅଚ୍ୟୁତ ସାମନ୍ତ, ଡ.ଅମର ପଟ୍ଟନାୟକ, ଡ.ସସ୍ମିତ ପାତ୍ର ଓ ଶର୍ମିଷ୍ଠା ସେଠୀ ସ୍ଥାନ ପାଇଛନ୍ତି।
କେନ୍ଦ୍ରରେ ୟୁପିଏ-୧ ଶାସନକାଳରେ ରାଜ୍ୟ ରାଜନୀତିରେ କେନ୍ଦ୍ରବିନ୍ଦୁ ଭାବେ ପରିଚିତ ଥିଲେ ଶ୍ରୀ ସାହୁ। ସେହି ସମୟରେ ଦିଲ୍ଳୀ ଠାରୁ ଆରମ୍ଭ କରି ପଲ୍ଲୀ ପର୍ଯ୍ୟନ୍ତ ରାଜ୍ୟ ରାଜନୀତିରେ ତାଙ୍କର ଖୁବ୍‍ ପତିଆରା ରହିଥିଲା। ଗତ ୨୦୧୯ ସାଧରଣ ନିର୍ବାଚନ ପୂର୍ବରୁ ସେ ଦଳବଳ ସହ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗଦେଇ ବ୍ରହ୍ମପୁର ଲୋକସଭା ଆସନରୁ ବିଜୟୀ ହୋଇଥିଲେ। ଅଭିଜ୍ଞତା ଦୃଷ୍ଟିରୁ ଦେଖିବାକୁ ଗଲେ ଓଡ଼ିଶାରୁ ସଂସଦକୁ ପ୍ରତିନିଧିତ୍ୱ କରୁଥିବା ସାଂସଦଙ୍କ ମଧ୍ୟରୁ ଭର୍ତ୍ତୃହରି ମହତାବ, ପ୍ରସନ୍ନ ଆଚାର୍ଯ୍ୟ ଓ ପିନାକୀ ମିଶ୍ରଙ୍କ ପରେ ଚନ୍ଦ୍ରଶେଖର ସାହୁ ହେଉଛନ୍ତି ଚତୁର୍ଥ ପୁରୁଣା ତଥା ଅଭିଜ୍ଞ ସାଂସଦ। ଓଡ଼ିଶାରୁ ଏକମାତ୍ର କେନ୍ଦ୍ରମନ୍ତ୍ରୀ ଭାବେ ତତ୍କାଳୀନ ମନମୋହନ ସିଂ ମନ୍ତ୍ରିମଣ୍ଡଳରେ ପ୍ରତିନିଧିତ୍ୱ କରିଥିଲେ। ସବୁଦୃଷ୍ଟିରୁ ଦେଖିବାକୁ ଗଲେ ସାଂସଦ ଶ୍ରୀ ସାହୁ ଅନ୍ୟମାନଙ୍କ ତୁଳନାରେ ଯଥେଷ୍ଟ ଅଭିଜ୍ଞ ଓ ପରିପକ୍ୱ। ମାତ୍ର ବିଜେଡି ଦ୍ୱାରା ଘୋଷିତ ଦଳୀୟ ମିଡିଆ ଟିମ୍ ତାଲିକାରୁ ଯାହାଜଣାପଡ଼ୁଛି ଯେ ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ଦୀର୍ଘ ରାଜନୈତିକ ଅଭିଜ୍ଞତାକୁ ଦଳ ଉପଯୋଗ କରିପାରୁନାହିଁ।

ପୂର୍ବରୁ ୨୦୧୯ରେ ବିଜେଡି ଲୋକସଭା ନେତା, ମୁଖ୍ୟ ସଚେତକ ଓ ଉପମୁଖ୍ୟସଚେତକ ଆଦି ତିନୋଟି ଗୁରୁତ୍ୱପୂର୍ଣ୍ଣ ପଦରେ ତାଙ୍କୁ ସ୍ଥାନ ମିଳିନଥିଲା। ସେହିପରି ବିଜେଡି କୋଟାରେ ମିଳିଥିବା ସଂସଦୀୟ ଶ୍ରମ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପଦରେ କଟକ ସାଂସଦଙ୍କୁ ଅବସ୍ଥାପିତ କରାଯାଇଥିଲା। ନିକଟରେ ପୁନର୍ଗଠିତ ବିଜେଡି ମିଡ଼ିଆ ଟିମରେ ଚନ୍ଦ୍ରଶେଖରଙ୍କୁ ରାଜ୍ୟ ମୁଖପାତ୍ର ଭାବେ ଅବସ୍ଥାପିତ କରାଯାଇଛି। ଅଥଚ ଜାତୀୟ ମୁଖପାତ୍ର ତାଲିକାରେ ଛଅ ଜଣ ସାଂସଦ ସ୍ଥାନ ପାଇଥିଲେ ହେଁ ଚନ୍ଦ୍ରଶେଖରଙ୍କ ନାମକୁ ବିଚାରକୁ ନିଆଯାଇନାହିଁ। ସାଂସଦଙ୍କ ମଧ୍ୟରୁ ପ୍ରସନ୍ନ, ପିନାକୀ ଓ ଅଚ୍ୟୁତଙ୍କୁ ଛାଡ଼ି ଦେଲେ ଅନ୍ୟ ତିନି ସାଂସଦ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଛନ୍ତି। ଜାତୀୟ ମୁଖପାତ୍ର ତାଲିକାରେ ଡକ୍ଟର ଅମର ପଟ୍ଟନାୟକ ଓ ଶର୍ମିଷ୍ଠା ସେଠୀଙ୍କ ଭଳି ନବାଗତ ସାଂସଦଙ୍କୁ ପ୍ରଥମ ଥର ସାମିଲ କରାଯାଇଛି। ଘୋଷିତ ମିଡିଆ ଟିମର କେବଳ ମୁଖପାତ୍ର ତାଲିକାରେ ସ୍ଥାନ ପାଇଥିବା ୧୬ ଜଣ ନେତାଙ୍କ ମଧ୍ୟରେ ଅଛନ୍ତି ସାଂସଦ ସାହୁ। ରାଜନୀତିରେ ନବାଗତା ଯୁବନେତ୍ରୀ ଏଲିନା ଦାଶଙ୍କୁ ମଧ୍ୟ ଚନ୍ଦ୍ରଶେଖରଙ୍କ ଭଳି ସମାନ ଦାୟିତ୍ୱ ମିଳିଛି।
ଜନବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବହିଷ୍କାର ପରେ ଗଞ୍ଜାମ ଜିଲାରେ ରାଜନୈତିକ ଦବଦବା ଜାହିର କରିପାରୁଥିବା ନେତାଙ୍କୁ ଦଳ ମଧ୍ୟରେ ଅଧିକ ଗୁରୁତ୍ୱ ମିଳିପାରେ ବୋଲି ଆଶା କରାଯାଉଛି। ଚନ୍ଦ୍ରଶେଖରଙ୍କ ଭଳି ଜଣେ ସୁସଂଗଠକ, ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ସଂପନ୍ନ ବ୍ୟକ୍ତିତ୍ୱଙ୍କୁ ହାଇକମାଣ୍ଡ ଅଧିକ ଗୁରୁତ୍ୱ ଦେଇପାରନ୍ତି ବୋଲି ଦଳୀୟସ୍ତରରେ ଚର୍ଚ୍ଚା ହେଉଥିଲା। ଗତ ଦେଡବର୍ଷ ମଧ୍ୟରେ ସାଂସଦ ଭାବେ ଗଞ୍ଜାମ ଓ ଗଜପତି ଜିଲାରେ ଦଳୀୟ ସଂଗଠନକୁ ମଜଭୁତ କରିବାରେ ତାଙ୍କର ବଳିଷ୍ଠ ଭୂମିକା ରହିଛି। କୋଭିଡ ୧୯ ଟିକାକରଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆହୂତ ସର୍ବଦଳୀୟ ବୈଠକରେ ଶ୍ରୀ ସାହୁ ବିଜେଡିରୁ ପ୍ରତିନିଧିତ୍ୱ କରିବା ପରେ ଭବିଷ୍ୟତରେ ଦଳୀୟସ୍ତରରେ ଅଧିକ ଦାୟିତ୍ୱ ମିଳିପାରେ ବୋଲି ଚର୍ଚ୍ଚା ହେଉଥିଲା। ପ୍ରଦୀପ ପାଣିଗ୍ରାହୀ ଏପିସାଡ ପରେ ଜିଲା ବିଜେଡିରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ଟାଳିବାକୁ ବିଜେଡି ସୁପ୍ରିମୋ ଆଗାମୀ ଦିନରେ ଚନ୍ଦ୍ରଶେଖରଙ୍କ ଦୀର୍ଘ ରାଜନୈତିକ ଅଭିଜ୍ଞତାର ଉପଯୋଗ କରିପାରନ୍ତି ବୋଲି କର୍ମୀ ମହଲରେ ଆଲୋଚନା ହେଉଛି। ଆଗକୁ କୌଣସି ଏକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦେବାକୁ ଦଳୀୟ ସୁପ୍ରିମୋ ଚିନ୍ତା କରୁଥିବାରୁ ଉପରୋକ୍ତ କ୍ଷେତ୍ରରେ ସେଭଳି ଦାୟିତ୍ବ ଦେଇ ଭାରାକ୍ରାନ୍ତ କରିବାକୁ ମନେ କରୁନଥିବା କର୍ମୀ ମହଲ ବିଚାରୁଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories