www.samajalive.in
Friday, December 12, 2025
15.1 C
Bhubaneswar

ଦକ୍ଷତା, ଅଭିଜ୍ଞତା ଓ ଯୋଗ୍ୟତା; ସଫଳତା ଶୀର୍ଷରେ ସୁରେଶ ମହାପାତ୍ର

ଭୁବନେଶ୍ୱର : ଭାରତୀୟ ପ୍ରଶାସନିକ ସେବାରେ କର୍ମନିଷ୍ଠ ଓ କର୍ତ୍ତବ୍ୟ ପରାୟଣତା ସହିତ ଯୋଗ୍ୟତାର ମାପକାଠିରେ ନିଜକୁ ଦକ୍ଷ ପ୍ରତିପାଦନ କରି ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି ବରିଷ୍ଠ ଆଇଏଏସ୍ ସୁରେଶ ଚନ୍ଦ୍ର ମହାପାତ୍ର। ଚଳିତମାସ ଶେଷରେ ବର୍ତ୍ତମାନର ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଅବସର ପରେ କିଏ ଏହି ପଦ ଅଳଙ୍କୃତ କରିବ ସେନେଇ ବହୁ କଳ୍ପନା ଜଳ୍ପନା ଚାଲିଥିବାବେଳେ ଆଜି ତା’ର ଅନ୍ତ ଘଟିଛି। ଶ୍ରୀ ମହାପାତ୍ରଙ୍କୁ ମୁଖ୍ୟ ଶାସନ ସଚିବ ପଦରେ ଅବସ୍ଥାପିତ କରାଯାଇଛି। ତେବେ ଶ୍ରୀ ମହାପାତ୍ର ତାଙ୍କ ଚାକିରି କାଳର ୩୪ ବର୍ଷ ମଧ୍ୟରେ ବହୁ ଘାତପ୍ରତିଘାତ ଦେଇ ଆସିଛନ୍ତି। ଏହି ସମୟ ମଧ୍ୟରେ କନ୍ଧମାଳର ଦଙ୍ଗାଠାରୁ ଆରମ୍ଭ କରି ମହାପ୍ରଭୁଙ୍କ ନବକଳେବର ଓ ଘୋଷ ଯାତ୍ରା ସମ୍ପନ୍ନ କରିବାରେ ତାଙ୍କର ବଡ଼ ସଫଳତା ରହିଛି।
ଶ୍ରୀ ମହାପାତ୍ର ୧୯୬୨ରେ ଦେବଗଡ଼ ଜିଲାର କଂସର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। କେନ୍ଦୁଝର ଡିଏନ ସ୍କୁଲରୁ ମାଟ୍ରିକ ପାସ୍ କରିବା ପରେ ରେଭେନ୍ସାରୁ ୧୯୮୨ରେ ବିଏସସିରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ଏହାପରେ ୧୯୮୫ରେ ଧାନବାଦ ଆଇଏସଏମରୁ ଏମଏସସି ଟେକ୍ ଯୋଗ୍ୟତା ହାସଲ କରିଥିଲେ। ତେବେ ଲୋକଙ୍କ ସେବା କରିବାପାଇଁ ୧୯୮୬ରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେଇଥିଲେ। ଦୁଇବର୍ଷର ପ୍ରୋବେସନ ଅବଧି ପରେ କଳାହାଣ୍ଡି ନୂଆପଡାରେ ଉପଜିଲାପାଳ ଦାୟିତ୍ବ ଗ୍ରହଣ କରି ତାଙ୍କ ପ୍ରଶାସନିକ ଜୀବନ ଆରମ୍ଭ କରିଥିଲେ। ଏହାପରେ ୧୯୯୦ରୁ ୧୯୯୩ ପର୍ୟ୍ୟନ୍ତ ପୁରୀର ଅତିରିକ୍ତ ଜିଲାପାଳ ଓ ବାଲେଶ୍ବରର ପିଡ଼ି ଡିଆରଡିଏ କାର୍ୟ୍ୟ ତୁଲାଇବା ପରେ ଭଦ୍ରକର ପ୍ରଥମ ଜିଲାପାଳ ଭାବେ ନିଯୁକ୍ତ ହୋଇଥିଲେ। ମାତ୍ର ୧୯୯୪ରେ କନ୍ଧମାଳର ଦଙ୍ଗା ସମୟରେ ଶ୍ରୀ ମହାପାତ୍ରଙ୍କୁ କନ୍ଧମାଳ ଜିଲାପାଳ ଭାବେ ଅବସ୍ଥାପିତ କରାଯାଇଥିଲା। ଏହାପରେ ପୁରୀରେ ମହାପ୍ରଭୁଙ୍କ ନବକଳେବର ସୁରୁଖୁରୁରେ ସମ୍ପନ୍ନ କରିବା ଏବଂ ମେଘନାଦ ପାଚେରି ନିକଟରୁ ଜବରଦଖଲ ଉଚ୍ଛେଦ ପାଇଁ ଶ୍ରୀ ମହାପାତ୍ରଙ୍କୁ ଜିଲାପାଳ ଭାବେ ଅବସ୍ଥାପିତ କରାଯାଇଥିଲା। ପରେ ଓମଫେଡ଼ର ପରିଚାଳନା ନିର୍ଦେଶକ ଭାବେ ୬ବର୍ଷ ଦାୟିତ୍ବ ନେଇ ଦୁଗ୍ଧ ଜାତୀୟ ବହୁ ନୂତନ ଉତ୍ପାଦ ପ୍ରସ୍ତୁତି କ୍ଷେତ୍ରରେ ତାଙ୍କର ଅବଦାନ ରହିଛି। ପରବର୍ତ୍ତୀ ସମୟରେ ସେସୁର ସିଇଓ, ଗ୍ରିଡକୋ ପରିଚାଳନା ନିର୍ଦେଶକ, କଟକ ଆରଡିସି ଏବଂ ପରେ ୩ବର୍ଷ ପାଇଁ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ଭାବେ କାର୍ୟ୍ୟ ତୁଲାଇଥିଲେ। ଶକ୍ତି, ଜଳସମ୍ପଦ ଓ ଜଙ୍ଗଲ ଓ ପରିବେଶ ବିଭାଗରେ ସଚିବ ଭାବେ କାର୍ୟ୍ୟ କରି ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବା ସହିତ ନୂତନ ନିୟମ କାର୍ୟ୍ୟକାରୀ କରିଛନ୍ତି। ସେହିପରି ଜଳସମ୍ପଦ ବିଭାଗରେ ଥିବାବେଳେ ବୃହତ ଉଠାଜଳସେଚନ ପ୍ରକଳ୍ପ, ଗଭୀର ନଳକୂପ ଖନନ, ଚେକ ଡ୍ୟାମ କରି ପ୍ରଶଂସିତ ହୋଇଥିଲେ। ପରେ ଜଙ୍ଗଲ ଓ ପରିବେଶ ବିଭାଗରେ ଇକୋ-ଟୁରିଜିମ୍ ପାଇଁ ସେ ଲୋକଙ୍କ ପ୍ରିୟଭାଜନ ହୋଇପାରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories