BJD Bijuli 480×75 Mob

କରୋନା କାଳରେ ଅମାନିଆ ଲୋକଙ୍କ ପାର୍ଟି ସଉକ

BJD Bijuli 480×75 Mob

ନିଜେ ସଚେତନ ନ ହେଲେ ମହାମାରୀକୁ ନିୟନ୍ତ୍ରଣରେ ଆଣିବା କୌଣସି ଚ୍ୟାଲେଞ୍ଜ୍‌ଠାରୁ କମ୍ ନୁହେଁ। ବର୍ତ୍ତମାନ ସମୟରେ ଅର୍ଥନୀତିର ସ୍ଥିତି କ୍ରମଶଃ ଖରାପ ହେଉଥିଲେ ସୁଦ୍ଧା ବିଶ୍ବର ପ୍ରମୁଖ ରାଷ୍ଟ୍ର ସେଠା ଲୋକଙ୍କ ଜୀବନ ରକ୍ଷା କରିବାକୁ ପ୍ରାଧାନ୍ୟ ଦେଉଛନ୍ତି। ଲୋକେ କିନ୍ତୁ ନ ବୁଝି ନିଜ ମନ ଇଚ୍ଛା କାମ କରୁଥିବାର ଦେଖାଯାଉଛି। ବ୍ରିଟେନ୍‌ରେ ସେଭଳି ଅଣାୟତ୍ତ ପରିସ୍ଥିତି ହେବାରୁ ହିଁ ଦ୍ବିତୀୟ ପର୍ଯ୍ୟାୟ ଲକ୍‌‌ଡାଉନ୍ ଘୋଷଣା କରାଗଲା। ନିକଟରେ ଫ୍ରାନ୍ସର ଲୋକେ ମଧ୍ୟ ସେଭଳି ଅମାନିଆ ହେଉଥିବାର ଜଣାପଡ଼ିଛି। ଯଦିଓ ସେଠାରେ କରୋନା ଏବେ ନିୟନ୍ତ୍ରିତ, ସେଠା ପ୍ରଶାସନ କିନ୍ତୁ ଲୋକଙ୍କୁ ଜନସମାଗମ ତଥା ହୋଟେଲରେ ପାର୍ଟି ଆଦି ନିୟମକୁ ବାରଣ କରିଛି। ଫ୍ରାନ୍ସର ଉତ୍ତର ପ୍ରାନ୍ତରେ ଥିବା ଏକ ପଞ୍ଚତାରକା ହୋଟେଲ ‘ରୟାଲ୍ ୟାଚ୍’। ୪ଦିନ ତଳେ ୫୦୦ରୁ ଅଧିକ ଲୋକ ସେଠାରେ ପାର୍ଟି ଆୟୋଜନ କରି ମଉଜ କରିଥିଲେ। ହୋଟେଲ କର୍ତ୍ତୃପକ୍ଷଙ୍କ ମତରେ ସେମାନେ କୋଭିଡ-୧୯ର ସମସ୍ତ ନିର୍ଦେଶାବଳୀକୁ ପାଳନ କରିଥିଲେ। ତାପମାତ୍ରା, ଶରୀରରେ ଅମ୍ଳଜାନର ମାତ୍ରା ସହ ସମ୍ପୂର୍ଣ୍ଣ ଶରୀରକୁ ସାନିଟାଇଜ୍‌ର ବନ୍ଦୋବସ୍ତ ହେବା ସତ୍ତ୍ବେ ପାର୍ଟିର ୨ଦିନ ପରେ ୧୫ଜଣ ଲୋକ କରୋନା ପଜିଟିଭ୍ ବାହାରିଥିଲେ। ସେଠା ପୁଲିସ୍‌ ପାଖକୁ କଥା ଯିବା ପରେ ସଙ୍ଗେସଙ୍ଗେ ପାର୍ଟିରେ ଥିବା ଅନ୍ୟ ଲୋକଙ୍କୁ ଚିହ୍ନଟ କରାଯାଇ ଏକାନ୍ତବାସରେ ରହିବାକୁ ପରାମର୍ଶ ଦିଆଗଲା। ପ୍ରଶାସନ ଦୃଷ୍ଟିକୁ ଖବର ଆସିବା ପରେ ଲୋକଙ୍କ ଏଭଳି ମୂର୍ଖାମିକୁ ନେଇ ବିରକ୍ତ ପ୍ରକାଶ କରିଛନ୍ତି। ନିୟମ କୋହଳର ଅର୍ଥ ନୁହେଁ, ଏକାଠି ହୋଇ ପାର୍ଟି କରିବା। ଅନ୍ତତଃ ଭ୍ୟାକ୍ସିନ୍ ବାହାରିବା ପର୍ଯ୍ୟନ୍ତ ଲୋକେ ଥୟ ଧରି ରହିବା ଜରୁରୀ। ନଚେତ୍ କରୋନାକୁ ବଶ କରିବା କାଠିକର ପାଠ ହୋଇଯିବ।

Comments are closed.