www.samajalive.in
Monday, December 15, 2025
16.1 C
Bhubaneswar

ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ

ଭୁବନେଶ୍ବର : ପୁରୀ ଜିଲାର ସତ୍ୟବାଦୀରେ ପ୍ରତିଷ୍ଠା ହେବ ଓଡ଼ିଆ ବିଶ୍ବବିଦ୍ୟାଳୟ। ଐତିହ୍ୟ କ୍ୟାବିନେଟର ପ୍ରଥମ ବୈଠକରେ ସତ୍ୟବାଦୀରେ ଓଡ଼ିଆ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ନେଇ ଶୁକ୍ରବାର ଏକ ମହତ୍ତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଐତିହ୍ୟ କ୍ୟାବିନେଟ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି, ବିଶ୍ବବିଦ୍ୟାଳୟ ପାଇଁ ସରକାର ୨୫ ଏକର ଜମି ଯୋଗାଇ ଦେବେ। ଜମି ଚିହ୍ନଟ ହୋଇଛି। ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଏହାର ଅନୁଧ୍ୟାନ କରିବେ। ଅଳ୍ପ ଦିନ ମଧ୍ୟରେ ବିଶ୍ବବିଦ୍ୟାଳୟ ପାଇଁ ସ୍ଥାନ ନିରୂପଣ ଚୂଡ଼ାନ୍ତ ହେବ।
ଶିକ୍ଷା ବିକାଶ ଏବଂ ସ୍ବାଧୀନତା ଆନ୍ଦୋଳନରେ ସତ୍ୟବାଦୀର ଭୂମିକା ଥିଲା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ସତ୍ୟବାଦୀର ବକୁଳ ବନରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦ୍ବାରା ଆରମ୍ଭ ହୋଇଥିଲା ଆଦର୍ଶ ଶିକ୍ଷାନୁଷ୍ଠାନ ବନ ବିଦ୍ୟାଳୟ। ପଣ୍ଡିତ ଉତ୍କଳମଣିଙ୍କ ସହ ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର, ଆଚାର୍ୟ୍ୟ ହରିହର ଦାସ ଓ ପଣ୍ଡିତ କୃପାସିନ୍ଧୁ ମିଶ୍ର ଏହି ବନ ବିଦ୍ୟାଳୟ ଚଳାଇଥିଲେ। ପଞ୍ଚସଖା ଭାବେ ପରିଚିତ ଏହି ପାଞ୍ଚଜଣ ପୁଣ୍ୟାତ୍ମା ସେହିଠାରେ ରହି ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରୁଥିଲେ। ସ୍ବାଧୀନତା ସଂଗ୍ରାମରେ ସେମାନଙ୍କ ଅବଦାନ ଅତୁଳନୀୟ। ପଞ୍ଚସଖାଙ୍କ ସମ୍ମାନାର୍ଥେ ସରକାର ସତ୍ୟବାଦୀରେ ଓଡ଼ିଆ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଥିସହ ଓଡ଼ିଆ କଳା, ସଂସ୍କୃତି ଓ ଶାସ୍ତ୍ରୀୟ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ସରକାର ଓଡ଼ିଆ ସଂସ୍କୃତି ଓ ଐତିହ୍ୟ ନୀତି ପ୍ରଣୟନ କରିବେ। ସେହିପରି ରାଜ୍ୟରେ ଥିବା ସମସ୍ତ ପାଠାଗାର ପାଇଁ ନିର୍ଦେଶକ ପଦ ସୃଷ୍ଟି କରାଯିବ। କଟକସ୍ଥିତ ଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରର ସୁପରିଚାଳନା ନିମନ୍ତେ ଏକ ଟ୍ରଷ୍ଟ ଗଠନ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଥମ ଐତିହ୍ୟ କ୍ୟାବିନେଟ ବୈଠକରେ ଉପରୋକ୍ତ ଚାରିଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି।
ସୂଚନାଯୋଗ୍ୟ ଯେ ୨୦୧୭ ମସିହା ଡିସେମ୍ବର ମାସ ୧୨ ତାରିଖରେ ପୁରୀ ଠାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଓଡ଼ିଶାରେ ଐତିହ୍ୟ କ୍ୟାବିନେଟ ଗଠନ ନିଷ୍ପତ୍ତି ହୋଇଥିବା ବେଳେ ଗତ ୧୨ ତାରିଖରେ ଐତିହ୍ୟ କ୍ୟାବିନେଟ ଗଠନ କରାଯାଇଥିଲା। ଓଡ଼ିଆ ଭାଷା ଏକ ଶାସ୍ତ୍ରୀୟ ଭାଷା। ଓଡ଼ିଶାର ସଂସ୍କୃତି ବହୁ ପ୍ରାଚୀନ। ଲଳିତକଳା, ଚାରୁକଳା, ଓଡ଼ିଶୀ, ନୌବାଣିଜ୍ୟ, ଜଗନ୍ନାଥ ସଂସ୍କୃତି ଓ ପରମ୍ପରା, ଜନଜାତିଙ୍କ କଳା ଓ ସଂସ୍କୃତି ଓଡ଼ିଶାବାସୀଙ୍କ ଅବିଚ୍ଛେଦ୍ୟ ଅଙ୍ଗ। ଏହାର ପ୍ରଚାର ପ୍ରସାର ଓ ଗବେଷଣାକୁ ସରକାର ଅଧିକ ଗୁରୁତ୍ବ ଦେଇଛନ୍ତି। କଳା, ସଂସ୍କୃତିର ରକ୍ଷଣାବେକ୍ଷଣ ଏବଂ ଓଡ଼ିଆ ଭା​‌ଷାର ପ୍ରଚାର ପ୍ରସାର ନିମନ୍ତେ ଏକ ସଂସ୍କୃତି ଓ ଐତିହ୍ୟ ନୀତି ପ୍ରଣୟନ କରାଯିବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗକୁ ଚିଠା ନୀତି ପ୍ରସ୍ତୁତ କରିବାକୁ ଦାୟିତ୍ବ ପ୍ରଦାନ କରାଯାଇଛି। ରାଜ୍ୟରେ ପ୍ରାୟ ୬୦୦ରୁ ଅଧିକ ସାର୍ବଜନୀନ ପାଠାଗାର ରହିଛି। ସାର୍ବଜନୀନ ପାଠାଗାରଗୁଡ଼ିକର ଉପଯୁକ୍ତ ପରିଚାଳନା ପାଇଁ ନିର୍ଦେଶକ ପଦ ସୃଷ୍ଟି ନେଇ ଆଇନରେ ବ୍ୟବସ୍ଥା ରହିଛି। ସଂସ୍କୃତି ନିର୍ଦେଶକ ପାଠାଗାର ନିର୍ଦେଶକ ଭାବେ କାର୍ୟ୍ୟ ତୁଲାଉଥିଲେ। ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଥିବା ସାର୍ବଜନୀନ ପାଠାଗାର ପାଇଁ ସ୍ବତନ୍ତ୍ର ଭାବେ ନିର୍ଦେଶକ ନିଯୁକ୍ତ ହେବେ। ଏହି ପ୍ରସ୍ତାବକୁ କ୍ୟାବିନେଟ ମୋହର ଲାଗିଛି। ଏହାବ୍ୟତୀତ କଟକରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ବାସଭବନକୁ ଆନନ୍ଦଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ର କରାଯାଇଛି। ରାଷ୍ଟ୍ରପତି ଏହାର ଉଦଘାଟନ କରିଥିଲେ। ଏହାର ସୁପରିଚାଳନା ପାଇଁ ଏକ ଟ୍ରଷ୍ଟ ଗଠନ କରାଯିବ। ଏଥିପାଇଁ ଏକ କର୍ପସ ପାଣ୍ଠି ମଧ୍ୟ ରହିବ। ନେତାଜୀ ସଂଗ୍ରହାଳୟ ଟ୍ରଷ୍ଟ ଢ଼ାଞ୍ଚାରେ ଏହି ଟ୍ରଷ୍ଟ କରାଯିବ ବୋଲି ଐତିହ୍ୟ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ବୈଠକରେ ଅର୍ଥମନ୍ତ୍ରୀ ଶଶି ଭୂଷଣ ବେହେରା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା, ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ରମେଶ ମାଝୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ଏବଂ ସମସ୍ତ ବିଭାଗର ସଚିବ ପ୍ରମୁଖ ଉପସ୍ଥିତ ରହିଥିଲେ।

- Advertisement -

 

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories