ରିଲିଜ୍‍ ହେଲା ସତ୍ୟ ଘଟଣା ଉପରେ ଆଧାରିତ ‘ସ୍ତ୍ରୀ’ ର ଟ୍ରେଲର୍‍

0

ନୂଆଦିଲ୍ଲୀ : ଅଭିନେତା ରାଜକୁମାର ରାଓ, ଶ୍ରଦ୍ଧା କପୁର ଓ ପଙ୍କଜ ତ୍ରିପାଠୀ ଅଭିନୀତ ଚଳଚ୍ଚିତ୍ର ‘ସ୍ତ୍ରୀ’ ର ଟ୍ରେଲର ରିଲିଜ୍‍ ହୋଇଛି। ୨ ମିନିଟ୍‍ ୫୦ ସେକେଣ୍ଡର ଏହି ଟ୍ରେଲରକୁ ଗୁରୁବାର ରାତିରେ ୟୁଟ୍ୟୁବ୍‍ରେ ରିଲିଜ୍‍ କରାଯାଇଛି। ରିଲିଜ୍‍ ହେବାର ମାତ୍ର କିଛି ଘଣ୍ଟାରେ ଏହି ଟ୍ରେଲର ବହୁ ଲୋକପ୍ରିୟତା ହାସଲ କରିଥିବା ଜଣାପଡ଼ିଛି। ଏହା ଏକ ହରର୍‍-କମେଡ଼ି ଆଧାରିତ ଚଳଚ୍ଚିତ୍ର।
ଅମର କୌଶିକଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ସତ୍ୟ ଘଟଣା ଉପରେ ଆଧାରିତ ଯାହା ୩୧ ଅଗଷ୍ଟରେ ମୁକ୍ତିଲାଭ କରିବାକୁ ଯାଉଛି। ଚଳଚ୍ଚିତ୍ରର କାହାଣୀ ଚନ୍ଦେରୀ ନାମକ ଏକ ଗାଁ ଉପରେ ଆଧାରିତ ଯେଉଁଠି ହଠାତ୍‍ ପୁରୁଷମାନେ ରହସ୍ୟମୟ ଢଙ୍ଗରେ ଉଭାନ୍‍ ହୋଇଯାଉଛନ୍ତି। ପରେ ଲୋକଙ୍କ ଠାରୁ ଶୁଣିବାକୁ ମିଳୁଛି ସ୍ତ୍ରୀ ନାମକ ଏକ ଡ଼ାହାଣୀ ଅଛି ଯିଏ ଏହି ପୁରୁଷ ମାନଙ୍କୁ ଉଭାନ କରୁଛି। ଚଳଚ୍ଚିତ୍ରର ଟ୍ରେଲର ଆରମ୍ଭ ହୋଇଛି ରାଜକୁମାର ରାଓଙ୍କର ଏକ ପ୍ରଶ୍ନ ଠାରୁ। ଯେଉଁଥିରେ ସେ ପଙ୍କଜ ତ୍ରିପାଠୀଙ୍କୁ ପଚାରିଛନ୍ତି, ସ୍ତ୍ରୀ କିଏ? ତା’ ବିଷୟରେ ଆପଣ ଯାହା ଜାଣିଛନ୍ତି କୁହନ୍ତୁ। ରାଜକୁମାର ରାଓ ଓ ଶ୍ରଦ୍ଧା କପୁରଙ୍କୁ ପ୍ରଥମ ଥର ପାଇଁ ଗୋଟିଏ ପରଦାରେ ସାଥିରେ ଦେଖିବାକୁ ମିଳିବ। ଦୁହିଁଙ୍କ ଯୋଡ଼ି ବହୁ ଲୋକପ୍ରିୟତା ହାସଲ କରିବାର ଆଶା କରାଯାଉଛି।

Leave A Reply