+୨ରେ ଖାଲିପଡ଼ିଛି ୧.୨୫ ଲକ୍ଷ ସିଟ୍‌

ଭୁବନେଶ୍ବର: ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା କନିଷ୍ଠ ମହାବିଦ୍ୟାଳୟ (ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ରେ ଯୁକ୍ତ ଦୁଇ ସ୍ପଟ୍‌ ନାମଲେଖା ସରିବା ପରେ ରାଜ୍ୟରେ ମୋଟ ୧ଲକ୍ଷ ୨୫ ହଜାର ୧୯ ସିଟ୍‌ ଖାଲି ରହିଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଖାଲିଥିବା ସିଟ୍‌ ପାଇଁ ଦ୍ବିତୀୟ ପର୍ୟ୍ୟାୟ ଆବେଦନ ଶେଷ ହୋଇଛି। ୨୦୩୨ କନିଷ୍ଠ ମହାବିଦ୍ୟାଳୟ ପାଇଁ ଆସନ୍ତା ୨୩ ତାରିଖରେ ମେଧା ତାଲିକା ପ୍ରକାଶ ପାଇବ।

ଯୁକ୍ତ ଦୁଇ କଳା, ବାଣିଜ୍ୟ, ବିଜ୍ଞାନ, ଧନ୍ଦାମୂଳକ ଶିକ୍ଷା, ସଂସ୍କୃତ ଉପଶାସ୍ତ୍ରୀ ପାଠ୍ୟକ୍ରମରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କର ନାମଲେଖା ଆସନ୍ତା ୨୪ରୁ୨୭ ମଧ୍ୟରେ ଅନୁଷ୍ଠିତ ହେବ। ଏହି ସମୟ ମଧ୍ୟରେ ଛାତ୍ରଛାତ୍ରୀ ତ୍ରୁଟି ସଂଶୋଧନ ମଧ୍ୟ କରିପାରିବେ। ୨୮ ତାରିଖ ସୁଦ୍ଧା ସଂପୃକ୍ତ କନିଷ୍ଠ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କର ନାମଲେଖା ତଥ୍ୟ ଇ-ସ୍ପେସ୍‌ରେ ଅନ୍‌ଲାଇନ୍‌ରେ ଅପଲୋଡ୍‌ କରିବେ। ଡିସେମ୍ବର ୩ରେ ସ୍ପଟ୍‌ ନାମଲେଖା ପାଇଁ ବଳକା ସିଟ୍‌ର ତାଲିକା ପ୍ରକାଶ ପାଇବ।

ଚଳିତ ଶିକ୍ଷାବର୍ଷ ୨୦ ହଜାର ଛାତ୍ରଛାତ୍ରୀ ସ୍ପଟ୍‌ରେ ନାମ ଲେଖାଇଛନ୍ତି। ୨୦୩୨ କନିଷ୍ଠ ମହାବିଦ୍ୟାଳୟର ସମୁଦାୟ ୪ ଲକ୍ଷ ୪୨ ହଜାର ୭୮୨ ସିଟ୍‌ ମଧ୍ୟରୁ ୩ ଲକ୍ଷ ୧୭ ହଜାର ୭୬୩ ସିଟ୍‌ ପୂରଣ ହୋଇଛି। କଳାରେ ୩୦ ହଜାର ୪୮, ବିଜ୍ଞାନରେ ୬୭ ହଜାର ୨୮୭, ବାଣିଜ୍ୟରେ ୧୮ହଜାର ୨୨୬, ସଂସ୍କୃତ ଉପଶାସ୍ତ୍ରୀରେ ୪୨୭୮ ଓ ଧନ୍ଦାମୂଳକ ଶିକ୍ଷାରେ ୫୧୮୦ ସିଟ୍‌ ଖାଲି ରହିଛି।

Comments are closed.