ଆଗାମୀ ପିଢ଼ିର ସୁରକ୍ଷା ଚାହୁଁଥିଲେ ଗାଈଠାରୁ ଦୂରରେ ରୁହ: ଆଜମ୍‍ ଖାନ୍‍

0

ରାମପୁର: ଯଦି ଭବିଷ୍ୟ ପିଢ଼ିକୁ ସୁରକ୍ଷିତ ଦେଖିବାକୁ ଚାହୁଁଛ ତେବେ ଗୋ ସମ୍ପଦଠାରୁ ଦୂରତା ରକ୍ଷା କର। ଗୋ ଚାଲାଣ ଅଭିଯୋଗରେ ରାଜସ୍ଥାନର ଅଲୱରରେ ମୁସଲିମ୍‍ ଯୁବକଙ୍କୁ ଆକ୍ରମଣ ଓ ହତ୍ୟା ଘଟଣା ପରେ ଉପରୋକ୍ତ ମତ ଦେଇଛନ୍ତି ଉତ୍ତରପ୍ରଦେଶର ସମାଜବାଦୀ ପାର୍ଟି ନେତା ଆଜମ୍‍ ଖାନ୍‍।
ମୁସଲ୍‍ମାନ୍‍ ସମ୍ପ୍ରଦାୟଙ୍କୁ ଆହ୍ୱାନ ଦେଇ ଆଜମ୍‍ ଖାନ୍‍ କହିଛନ୍ତି ଯେ ବର୍ତ୍ତମାନର ସ୍ଥିତିରେ ନିଜ ଓ ନିଜ ସନ୍ତାନ ସନ୍ତତିଙ୍କ ସୁରକ୍ଷା ପାଇଁ ଗୋ ପାଳନ ଓ ବ୍ୟବସାୟ ବନ୍ଦ କରିବା ଶ୍ରେୟଃସ୍କର।
ଅଲୱରରେ ଗୋ ଚାଲାଣ ଅଭିଯୋଗରେ ରାକବର ଖାନ୍‍ ନାମକ ୨୭ ବର୍ଷ ବୟସ୍କ ମୁସଲିମ୍‍ ଯୁବକଙ୍କୁ ପ୍ରାୟ ୮ ଜଣ ନିର୍ଘାତ ମାଡ଼ ମାରିଥିଲେ। ରାକବରଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‍ରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ନିର୍ମମ ମାଡ଼ ଯୋଗୁଁ ତାଙ୍କ ଶରୀରର ବିଭିନ୍ନ ଅଙ୍ଗରେ ଗୁରୁତର କ୍ଷତ ସୃଷ୍ଟି ହୋଇଥିଲା ଏବଂ ସେଥିଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ପୋଷ୍ଟମର୍ଟମ୍‍ ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା। ଅପରପକ୍ଷରେ ତାଙ୍କୁ ଡାକ୍ତରଖାନା ନେବାରେ ପୁଲିସ ଜାଣିଶୁଣି ବିଳମ୍ବ କରିଥିବା ଅଭିଯୋଗ ହୋଇଥିଲା।
ଏହା ପୂର୍ବରୁ ମଧ୍ୟ ସେଠାରେ ଗତ ଏପ୍ରିଲ୍‍ ମାସରେ ଜଣେ ୫୦ ବର୍ଷ ବୟସ୍କ ମୁୁସଲିମ୍‍ ବ୍ୟକ୍ତିଙ୍କୁ ଗୋ ଚାଲାଣ ଅଭିଯୋଗରେ ହତ୍ୟା କରାଯାଇଥିଲା। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟର ସୂଚନା ଅନୁଯାୟୀ ୨୦୧୪ ରୁ ଗତ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଗୋ ଚାଲାଣ ଅଭିଯୋଗରେ ୪୦ଟି ସ୍ଥାନରେ ୪୫ ଜଣଙ୍କୁ ହତ୍ୟା କରଯାଇଛି।

Leave A Reply