ପାଣି ଛାଡ଼ିଲା ହୀରାକୁଦ

0

ସମ୍ବଲପୁର/ଭୁବନେଶ୍ୱର: ହୀରାକୁଦ ବନ୍ଧରୁ ମଙ୍ଗଳବାର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି। ରାତି ୯ଟା ସୁଦ୍ଧା ପର୍ଯ୍ୟାୟକ୍ରମେ ୨୦ଟି ସ୍ଲୁଇସ ଗେଟ୍‍ ଖୋଲାଯାଇ ପାଣି ଛଡ଼ା ଯାଉଛି। ନିଷ୍କାସନ ଆରମ୍ଭ ହେବା ସମୟରେ ଜଳସ୍ତର ୬୧୮.୦୮ ଫୁଟ ଥିଲା ଓ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୩୫ ହଜାର ଘନଫୁଟ ପାଣି ପ୍ରବେଶ କରୁଥିଲା। ରାତି ୯ଟାରେ ପ୍ରତି ସେକେଣ୍ଡରେ ୩ ଲକ୍ଷ ୨୩ ହଜାର ୫୫୦ ଘନଫୁଟ ପାଣି ତଳମୁଣ୍ଡକୁ ଛଡ଼ାଯାଉଛି। ଏଥିରୁ କେବଳ ୨୦ ଟି ସ୍ଲୁଇସ ଗେଟ୍‍ ଯୋଗେ ୩ ଲକ୍ଷ ୧୦ହଜାର ପାଣି ପ୍ରତି ସେକେଣ୍ଡରେ ନିଷ୍କାସିତ ହେଉଛି। ଏହି ସମୟରେ ନଦୀବନ୍ଧ ମଧ୍ୟକୁ ସେକେଣ୍ଡ ପ୍ରତି ୮୬ହଜାର ୩୨ଘନଫୁଟ ଜଳ ପ୍ରବେଶ କରୁଛି। ଜଳସ୍ତର ୬୧୭.୬୭ ଫୁଟ ରେକର୍ଡ କରାଯାଇଛି।
ଆଜି ସକାଳୁ ପୂଜାର୍ଚ୍ଚନା ପରେ ଦିନ ୧୨ଟା ୨୦ ମିନିଟରେ ହୀରାକୁଦ ବନ୍ଧ ମଣ୍ଡଳ ମୁଖ୍ୟଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୁଇଚ୍‍ ଟିପି ହୀରାକୁଦ ସହର ପଟରେ ଥିବା ୭ ନମ୍ବର ସ୍ଲୁଇସ ଗେଟ୍‍ ପ୍ରଥମେ ଖୋଲିଥିଲେ। ତା’ପରେ ବିଭିନ୍ନ ପର୍ଯ୍ୟାୟରେ ଅଧିକ ସଂଖ୍ୟକ ଗେଟ୍‍ ଖୋଲାଯାଇଛି।
ଖୋଲାଯାଇଥିବା ୨୦ଟି ଗେଟରୁ ହୀରାକୁଦ ସହର ପଟ ସ୍ଲୁଇସରେ ୧୫ ଓ ବୁର୍ଲା ପଟ ସ୍ଲୁଇସର ୫ଟି ଗେଟ ଖୋଲାଯାଇଛି।
ବନ୍ଧ ମଣ୍ଡଳ ମୁଖ୍ୟଯନ୍ତ୍ରୀ ଶ୍ରୀ ରଥ ସୂଚନା ଦେଇଛନ୍ତି ଯେ ସମ୍ଭାବ୍ୟ ବର୍ଷା ଓ ଜଳପ୍ରବେଶ ବୃଦ୍ଧିକୁ ଦୃଷ୍ଟିରେ ରଖି ଜଳସ୍ତର ହ୍ରାସ କରାଯାଉଛି। ଜଳସ୍ତର ୬୦୬ ଫୁଟ ପର୍ଯ୍ୟନ୍ତ ହ୍ରାସ କରାଯିବ। ଏବେ ମହାନଦୀ ଉପର ଓ ତଳ ମୁଣ୍ଡରେ ବର୍ଷା ହେଉ ନଥିବାରୁ ବନ୍ୟା ଆଶଙ୍କା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ବନ୍ୟା ଜଳ ନିଷ୍କାସନ ଆରମ୍ଭ ସମୟରେ ବିଧାୟିକା ଡା.ରାସେଶ୍ୱରୀ ପାଣିଗ୍ରାହୀ, ଭିମସାର ନିର୍ଦେଶକ ଡା.ଅଶ୍ୱିନୀ ପୂଜାହାରୀ, ଜିଲାପାଳ ସମର୍ଥ ବର୍ମା, ଏସପି ସଞ୍ଜିବ ଅରୋରା, ଡିଏଫଓ ଡା.ସଞ୍ଜିତ କୁମାର, ଶିକ୍ଷାନବୀଶ ଆଇଏଏସ ଆଶିଷ ପାଟିଲ ଅତିଥି ଭାବେ ଉପସ୍ଥିତ ଥିଲେ। ବନ୍ୟାଜଳ ନିଷ୍କାସନ ଦେଖିବା ପାଇଁ ଦର୍ଶକଙ୍କ ପ୍ରବଳ ଭିଡ଼ ହୋଇଥିଲା।
ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ନେଇ ଥିବା ଆଶଙ୍କା ଏବେ ଦୂର ହୋଇଛି। କେବଳ ସୁବର୍ଣ୍ଣରେଖାକୁ ଛାଡ଼ିଦେଲେ ଅନ୍ୟ ନଦୀଗୁଡ଼ିକର ଜଳସ୍ତର କ୍ରମଶଃ ଖସିବାରେ ଲାଗିଛି। ବିଶେଷ କରି ଆଖୁଆପଦାଠାରେ ବୈତରଣୀର ଜଳସ୍ତର ଗତକାଲି ବିପଦସଙ୍କେତ ଉପରେ ଥିବାବେଳେ ଆଜି ଏହା ହ୍ରାସ ପାଇଛି। ମାତ୍ର ସୁବର୍ଣ୍ଣରେଖା ଜଳସ୍ତର ରାଜଘାଟଠାରେ ବଢ଼ୁଛି। ବର୍ଷା କମିଯିବା ସହିତ ଅନ୍ୟାନ୍ୟ ନଦୀର ଜଳସ୍ତର ଏବେ ବିପଦସଙ୍କେତ ତଳେ ପ୍ରବାହିତ ହେଉଛି। ଗତକାଲି ମହାନଦୀର ମୁଣ୍ଡଳୀଠାରେ ୭.୩୦ଲକ୍ଷ କ୍ୟୁସେକ ପାଣି ନିଷ୍କାସିତ ହେଉଥିବାବେଳେ ଏହା ଆଜି ସନ୍ଧ୍ୟା ୬ଟା ସୁଦ୍ଧା ୩ଲକ୍ଷ ୮୩ହଜାର ୮୦୮ କ୍ୟୁସେକ ପ୍ରବାହିତ ହେଉଛି।
ହୀରାକୁଦରୁ ପାଣି ଛାଡିବା ପରେ ତଳମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର କୌଣସି ଆଶଙ୍କା ନାହିଁ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ କହିଛନ୍ତି। ସେ କହିଛନ୍ତି ଯେ ରାଜ୍ୟର ଯେଉଁ ୧୮ଜିଲାରେ ବର୍ଷାଜଳ ଜମି ରହିବା ଯୋଗୁଁ ବନ୍ୟା ପରିସ୍ଥିତି ଉପୁଜିଥିଲା ସେଥିରେ ସୁଧାର ଆସିଛି। ଏବେ ଓଡ଼ିଶା ପାଇଁ ବନ୍ୟା ସଙ୍କଟ ନାହିଁ। ସମ୍ବଲପୁର, ବୁର୍ଲା, କଳାହାଣ୍ଡି, ରାୟଗଡା ଓ କଟକ ପ୍ରଭୃତି ଅଞ୍ଚଳରେ ଯେଉଁମାନେ ବିଭିନ୍ନ ସ୍କୁଲ , କଲେଜ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଥିଲେ ଏବେ ପରିସ୍ଥିତି ସୁଧୁରିବା ଯୋଗୁଁ ଲୋକେ ନିଜ ନିଜ ଘରକୁ ଫେରିଲେଣି। ବନ୍ୟା ପାଣି ଛାଡିବା ପରେ ଯଦି କୌଣସି ଜଳ ବାହିତ ସମସ୍ୟା ଦେଖାଦେଲା ତେବେ ତାକୁ ଯୁଦ୍ଧକାଳୀନ ଭିତ୍ତିରେ ମୁକାବିଲା କରାଯିବ ବୋଲି ଶ୍ରୀ ସେଠୀ କହିଛନ୍ତି।
ଜଳସମ୍ପଦ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କେବଳ ସୁବର୍ଣ୍ଣରେଖାକୁ ଛାଡ଼ିଦେଲେ ରାଜ୍ୟର ଅନ୍ୟାନ୍ୟ ସମସ୍ତ ନଦୀର ଜଳସ୍ତର ବିପଦସଙ୍କେତ ତଳେ ପ୍ରବାହିତ ହେଉଛି। ଗତକାଲି ନରାଜଠାରେ ମହାନଦୀ, ଆଳିପିଙ୍ଗଳଠାରେ ଦେବୀ, ନିମାପଡ଼ାଠାରେ କୁଶଭଦ୍ରା ସମେତ ବ୍ରାହ୍ମଣୀ, ବୈତରଣୀ, ବଂଶଧାରା ଓ ଅନ୍ୟାନ୍ୟ ନଦୀର ଜଳସ୍ତର ବଢ଼ୁଥିବାବେଳେ ଆଜି ଏଠାରେ ଜଳସ୍ତର କମିଛି।

kalyan agarbati
Leave A Reply