ଥାଇଲାଣ୍ଡରେ ତାଏକ୍ୱୋଣ୍ଡୋ ସ୍ୱର୍ଣ୍ଣ ଜିତିଲେ ସୁମିତ

0

ଭୁବନେଶ୍ୱର : ନିକଟରେ ଥାଇଲାଣ୍ଡରେ ଆୟୋଜିତ ହୋଇଥିବା ୪ର୍ଥ ହିରୋ ଅନ୍ତର୍ଜାତୀୟ ତାଏକ୍ୱୋଣ୍ଡୋ ପ୍ରତିଯୋଗିତାରେ ସୁମିତ ଚମ୍ପିଆନ ସହ ସ୍ୱର୍ଣ୍ଣ ପଦକ ସହ ଶ୍ରେଷ୍ଠ ସଫଳତା ହାସଲ କରିଛନ୍ତି ସୁମିତ କୁମାର ସାହୁ। ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ୍‍ ପୁଞ୍ଜିଆମା ଶାସନ ଗ୍ରାମର ସିଆରପିଏଫରେ କାର୍ଯ୍ୟରତ ସୁଶାନ୍ତ କୁମାର ସାହୁଙ୍କ ପୁତ୍ର ସୁମିତ। ଭୁବନେଶ୍ୱରରେ ବଢ଼ିଥିବା ସୁମିତ ବିଭିନ୍ନ ଜିଲାସ୍ତରୀୟ ଓ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସଫଳତା ହାସଲ କରିବା ପରେ ୨୦୧୩ରେ ପ୍ରଥମଥର ମାଲେସିଆରେ ଆୟୋଜିତ ଅନ୍ତର୍ଜାତୀୟ ତାଏକ୍ୱୋଣ୍ଡୋ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଗୋଟିଏ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ବିଫଳତା ହେବା ପରେ ମଧ୍ୟ ସୁମିତ ଭାଙ୍ଗି ପଡ଼ିନଥିଲେ। ନିଜ ଲକ୍ଷ୍ୟ ପଥରେ ଅଗ୍ରସର ହେବା ନେଇ ପ୍ରଚେଷ୍ଟା ଜାରି ରଖିଥିଲେ। ୨୦୧୭ରେ ହାତ ଆଘାତ ଯୋଗୁଁ ଖେଳ ଠାରୁ କିଛି ଦିନ ଦୂରେଇ ରହିଥିଲେ ମଧ୍ୟ ହାର ମାନିନଥିଲେ। ଫଳରେ ଅନ୍ତର୍ଜାତୀୟ ପଦକ ବିଜୟୀ ହେବାରେ ସକ୍ଷମ ହୋଇଛନ୍ତି। ସୁମିତ କୁହନ୍ତି, କରାଟେରେ ଅନ୍ତର୍ଜାତୀୟସ୍ତରରେ ପଦକ ହାସଲ କରିବା ବାପାଙ୍କର ପିଲାଦିନରୁ ସ୍ୱପ୍ନ ରହିଥିଲା। ଚାକିରିର ବ୍ୟସ୍ତତା ଭିତରେ ବାପା ସ୍ୱପ୍ନ ପୂରଣ କରିପାରିନଥିଲେ। ବାପାଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବା ନେଇ ପିଲାଟି ଦିନରୁ ସ୍ୱପ୍ନ ରହିଥିଲା। ଏଥିପାଇଁ ଛୋଟବେଳୁ ତାଏକ୍ୱୋଣ୍ଡୋ ପ୍ରତି ରୁଚି ରଖିଥିଲି। ବାପା ସିଆରପିଏଫରେ କାର୍ଯ୍ୟରତ ଥିବାରୁ ମୁଁ ଭାରତର ବିଭିନ୍ନ ସ୍ଥାନରେ ପ୍ରଶିକ୍ଷଣ ନେଇଛି। ଏହାଛଡ଼ା ଜିଲା ଓ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ ଏକାଧିକ ପଦକ ମଧ୍ୟ ହାସଲ କରିଛି। କିନ୍ତୁ ପ୍ରଥମ ଅନ୍ତର୍ଜାତୀୟ ପଦକ ହାସଲ କରିବା ପରେ ବହୁତ ଖୁସି ଲାଗୁଛି। ଆଗକୁ କିଭଳି ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ପଦକ ହାସଲ କରିବି ସେ ନେଇ ଲକ୍ଷ୍ୟରହିଛି।

Leave A Reply