ନୋଇଡ଼ାରୁ ୨ସନ୍ଦିଗ୍ଧ ବାଂଲାଦେଶୀ ଆତଙ୍କବାଦୀ ଗିରଫ

0

ନୋଇଡ଼ା : ଉତ୍ତରପ୍ରଦେଶର ନୋଇଡ଼ାରୁ ୨ ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ଏହି ଆତଙ୍କବାଦୀ ଦ୍ୱୟ ବାଂଲାଦେଶୀ ଓ ଏମାନଙ୍କ ନାମ ମୁସାରଫ ହୁସେନ ଏବଂ ରୁବେଲ ଅହମ୍ମଦ ବୋଲି ଜାଣିବାକୁ ମିଳିଛି। ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ ଆତଙ୍କବାଦୀ ନିରୋଧୀ ଦଳ ମିଳିତ ଭାବେ ୨ ବାଂଲାଦେଶୀ ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି। ଜାତୀୟ ରାଜଧାନୀ ଦିଲ୍ଲୀଠାରେ ଏହି ଆତଙ୍କବାଦୀ ଦ୍ୱୟ ଏକ ବଡ଼ଧରଣର ଆକ୍ରମଣ ପାଇଁ ଯୋଜନା କରୁଥିଲେ ବୋଲି ଜଣେ ବରିଷ୍ଠ ପୁଲିସ୍‍ ଅଧିକାରୀ ପ୍ରକାଶ କରିଛନ୍ତି। ଅଗଷ୍ଟ ୧୫ ସ୍ୱାଧୀନତା ଦିବସକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସ୍ୱାଧୀନତା ଦିବସ ପୂର୍ବରୁ ପାକିସ୍ତାନସ୍ଥିତ ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦ (ଜେଇଏମ୍‍) ପକ୍ଷରୁ ଦିଲ୍ଲୀରେ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ନେଇ ଗୋଇନ୍ଦା ସଂସ୍ଥା ସତର୍କ ସୂଚନା ଜାରି କରିଛନ୍ତି। ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‍ଆଇଏ) ଦ୍ୱାରା ନିକଟରେ ଗିରଫ ହୋଇଥିବା ଜେଇଏମ୍‍ ଆତଙ୍କବାଦୀ ସୟଦ ମୁନେର ଉଲ ହାସନ କ୍ୱାଦରୀ, ଆସିକ୍‍ ବାବା ଏବଂ ତାରିକ୍‍ ଅହମଦ ଦାର ଜେରାବେଳେ ସମ୍ଭାବ୍ୟ ଆତଙ୍କବାଦୀ ଯୋଜନା ସମ୍ପର୍କରେ ପ୍ରକାଶ କରିଥିଲେ। ଏମାନେ ୨୦୧୬ ନାଗ୍ରୋଟା ଭାରତୀୟ ସେନା ଶିବିର ଉପରେ ଆକ୍ରମଣରେ ସାମିଲ ଥିଲେ। ଏହି ଆକ୍ରମଣରେ ୭ ଭାରତୀୟ ସେନା ଯବାନ ସହିଦ ହୋଇଥିଲେ। ଜେରା ବେଳେ ଆତଙ୍କବାଦୀମାନେ କହିଛନ୍ତି ଯେ ଜେଇଏମ୍‍ କାଶ୍ମୀର ଯୁବକଙ୍କୁ ଆତଙ୍କବାଦୀ ପ୍ରଶିକ୍ଷଣ ଦେଇ ଭାରତକୁ ପଠାଉଛି। ଗିରଫ ବାଂଲାଦେଶୀ ଆତଙ୍କବାଦୀ ଦ୍ୱୟଙ୍କୁ ଜେରା କରାଯାଉଛି।

Leave A Reply