ଅନ୍ତର୍ଦାହ
ଦ୍ବିତୀୟ ବିଶ୍ବଯୁଦ୍ଧ ସମୟର ଘଟଣା। ଜାପାନର ଅଗ୍ରଗତିକୁ ପ୍ରତିହତ କରିବାପାଇଁ ଆମେରିକା ହିରୋସିମା ଓ ନାଗାସାକି ଉପରେ ପରମାଣୁ ବୋମା ପକାଇଥାଏ। ଯେଉଁଦିନ ଆମେରିକା ଏଭଳି ଅମାନବୀୟ କାର୍ଯ୍ୟ କରିଥିଲା ସେଦିନ ଆଲବର୍ଟ ଆଇନଷ୍ଟାଇନ ରାତିସାରା ଶୋଇପାରି ନଥିଲେ। ଆଖି ଆଗରେ ତାଙ୍କର ଭାସି ଉଠୁଥିଲା ସେହି ଲୋମହର୍ଷଣକାରୀ ଭୟଙ୍କର ବିପର୍ଯ୍ୟୟର ଦୃଶ୍ୟ- ଲକ୍ଷଲକ୍ଷ ଲୋକଙ୍କ ଏକକାଳୀନ ଯନ୍ତ୍ରଣାଜର୍ଜରିତ ମୃତ୍ୟୁ। ଯେଉଁମାନେ ବଞ୍ଚିଯାଇଥିଲେ ସେମାନଙ୍କର ବୁକୁଫଟା କରୁଣ ଆର୍ତ୍ତ ଚିତ୍କାର। ଏହି ନାରକୀୟ ଘଟଣାରେ ଲକ୍ଷଲକ୍ଷ ନିର୍ଦୋଷ, ନିରାପରାଧ ଲୋକ ଜଳିପୋଡ଼ି ପାଉଁଶ ହୋଇଯାଇଥିଲେ ଯେଉଁମାନଙ୍କର ଯୁଦ୍ଧରେ ସାମାନ୍ୟତମ ଭୂମିକା ନଥିଲା କି ସେମାନଙ୍କର ଟିକିଏ ବି ଭୁଲ ନଥିଲା।
ଏହାର ମାତ୍ର କିଛି ଦିନ ପୂର୍ବରୁ ସେ ଆମେରିକାର ରାଷ୍ଟ୍ରପତିଙ୍କ ନିକଟକୁ ପତ୍ର ଲେଖି କ୍ଷୋଭରସହ ଜଣାଇଥିଲେ ଯେ ଆମେରିକା ପରମାଣୁ ବୋମା ମାଧ୍ୟମରେ ମହାବିନାଶକାରୀ କାର୍ଯ୍ୟ କରିବାକୁ ଯାଉଛି। ସେହି ପତ୍ରରେ ଉଲ୍ଲେଖ କରିଥିଲେ ପରମାଣୁ ମଧ୍ୟରେ ଲୁକ୍କାୟିତ ଥିବା ଅସୀମ ଶକ୍ତି- ସମ୍ଭାବନା ସମ୍ପର୍କରେ। ଏହାକୁ ପରିଭାଷିତ କରିବା ଉଦ୍ଦେଶ୍ୟରେ ହିଁ ସେ ଏହି ପତ୍ର ଲେଖିଥିଲେ। ଏହାର ଭୟଙ୍କର ଦୁରୁପଯୋଗରେ ସେ କେବଳ ପଶ୍ଚାତ୍ତାପ ହିଁ କରୁଥିଲେ।
ଏହାର ବେଶ୍ କିଛି ଦିନପରେ ତାଙ୍କର ଜଣେ ଅନ୍ତରଙ୍ଗ ବନ୍ଧୁ ପ୍ରଶ୍ନ କରିଥିଲେ- ଯଦି ପୃଥିବୀରେ ଆପଣ ପୁନର୍ଜନ୍ମ ନେବାକୁ ଚାହୁଁଥାନ୍ତି ତା’ହେଲେ କ’ଣ ହୋଇ ଜନ୍ମ ନେବାକୁ ଚାହିଁବେ- ଜଣେ ବୈଜ୍ଞାନିକ, ଭୌତିକ ବିଜ୍ଞାନଶାସ୍ତ୍ରୀ ନା ଗଣିତଜ୍ଞ?
ବ୍ୟଥିତ, ଅତିମାତ୍ରାରେ ବିଚଳିତ ଆଇନଷ୍ଟାଇନ ଭଗ୍ନସ୍ବରରେ କହିଥିଲେ- କେବେନୁହେଁ। କୌଣସି ପରିସ୍ଥିତିରେ ମୁଁ ଏଭଳି ଏକ ନାମୀ ବ୍ୟକ୍ତିଭାବରେ ଜନ୍ମନେବାକୁ ଚାହିଁବିନି। ମହାନ ବୈଜ୍ଞାନିକ ତ କେବେନୁହେଁ। ଅତି ଭଲ ହେବ ଯଦି ମୁଁ ସାଧାରଣ ମଣିଷଟିଏ, ପାଣି ପାଇପ ସଜାଡ଼ୁଥିବା ମିସ୍ତ୍ରିଟିଏ ହୁଏ। ଖେଦୋକ୍ତି ପ୍ରକାଶ କରି କହିଥିଲେ କିଛି ଲୋକ ମନକୁ ଉପଯୋଗ କରିବା ସାମର୍ଥ୍ୟ ରଖିଛନ୍ତି। କିଛି ଲୋକଙ୍କୁ ସେମାନଙ୍କ ମନ ଉପଯୋଗ କରୁଛି। (ସେମାନେ ମନର ଇଚ୍ଛାରେ ପରିଚାଳିତ ହେଉଛନ୍ତି)। ମୋର ବଡ଼ ଅବସୋସ ହେଉଛି ମୁଁ କେବେ ବି ମନରେ ଶୋଚନା କରିନଥିଲି ଯେ ଦିନେ ପରମାଣୁ ବୋମା ତିଆରି ହେବ ଓ ଲକ୍ଷଲକ୍ଷ ନିର୍ଦୋଷ ଲୋକଙ୍କ ପ୍ରାଣନାଶ କରିବ। ଏହି ଘଟଣାରେ ମୁଁ ନିଜକୁ କେବେ କ୍ଷମା ଦେଇ ପାରିବିନି।
ଆଇନଷ୍ଟାଇନଙ୍କର ଉପରୋକ୍ତ ଉକ୍ତିର ଯଥାର୍ଥତା ଯେ କେହି ସ୍ବୀକାର କରିବେ। ପରିବର୍ତ୍ତିତ ପରିସ୍ଥିତିରେ ମଧ୍ୟ ଏହାର ପ୍ରାସଙ୍ଗିକତା ରହିଛି। କାରଣ କିଛି ଖଳପ୍ରକୃତିର ଉଦ୍ଧତ ରାଷ୍ଟ୍ରନେତାମାନଙ୍କୁ ସେମାନଙ୍କ ମନହିଁ ଉପଯୋଗ କରୁଛି ଯାହା ଅଚିରେ ସୁନ୍ଦର ସୃଷ୍ଟିର ଧ୍ବଂସର କାରଣ ହେବ।