ବିଶିଷ୍ଟ ଶିକ୍ଷାବିତ ପ୍ରଫେସର ବଂଶୀଧର ତ୍ରିପାଠୀଙ୍କର କରୋନାରେ ବିୟୋଗ, ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ
ଭୁବନେଶ୍ୱର: ଓଡିଶାର ଜଣେ ପ୍ରଖ୍ୟାତ ଶିକ୍ଷାବିତ୍, ପୂର୍ବତନ ଶିକ୍ଷା ଗବେଷଣାର ଯୁଗ୍ମ ନିର୍ଦ୍ଦେଶକ ତଥା ରେଭେନ୍ସା ବିଶ୍ୱବିଦ୍ୟାଳୟ ଶିକ୍ଷା ବିଭାଗର ପୂର୍ବତନ ବିଭାଗୀୟ ମୁଖ୍ୟ ପ୍ରଫେସର ବଂଶୀଧର ତ୍ରିପାଠୀଙ୍କର ନଭେମ୍ବର ୨ ତାରିଖ ରାତି ୯.୩୪ ମିନିଟରେ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି। କୋଭିଡ୍ ଗାଇଡ୍ଲାଇନ୍ ଅନୁଯାୟୀ ଆଜି ପୂର୍ବାହ୍ନରେ ସତ୍ୟନଗର ଶ୍ମଶାନରେ ପ୍ରଫେସର ବଂଶୀଧର ତ୍ରିପାଠୀଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ପ୍ରଫେସର ବଂଶୀଧର ତ୍ରିପାଠୀଙ୍କ ତିନି ଝିଅ ବିମୋଚପ୍ରଜ୍ଞା, ବିୟୋତ୍ପ୍ରଜ୍ଞା ଓ ବିଜ୍ଞାନପ୍ରଜ୍ଞା ଓ ତିନି ଜ୍ୱାଇଁ ବିରଞ୍ଚି, ବିବେକ ଓ ରାଜେନ୍ଦ୍ର ଉପସ୍ଥିତ ଥିଲେ।
ସ୍ବର୍ଗତ ପ୍ରଫେସର ବଂଶୀଧର ତ୍ରିପାଠୀଙ୍କ ବିୟୋଗରେ ତାଙ୍କର ଛାତ୍ର ତଥା ବରିଷ୍ଠ କଂଗ୍ରେସ ନେତା ଡ.ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଗଭୀର ଶୋକ ପ୍ରକାଶ କରି ଏକ ଶୋକବାର୍ତ୍ତାରେ କହିଛନ୍ତି ଯେ ଓଡିଶାର ଶିକ୍ଷା ଜଗତରେ ପ୍ରଫେସର ବଂଶୀଧର ତ୍ରିପାଠୀ ଥିଲେ ଜଣେ ଉତୁଙ୍ଗ ବ୍ୟକ୍ତିତ୍ୱ। ପ୍ରଫେସର ବଂଶୀଧର ତ୍ରିପାଠୀ ୧୯୩୩ ମସିହାରେ ଗଞ୍ଜାମ ଜିଲ୍ଲା କ୍ଷେତ୍ରିୟବରପୁର ଠାରେ ଜନ୍ମଗ୍ରହଣ କରିଥିଲେ। ୧୯୭୫ ମସିହାରେ ଶିକ୍ଷାରେ ମନୋବିଜ୍ଞାନ ଉପରେ ଋଷିଆ ଦେଶର ଲେଲିନ୍ ଗ୍ରାଡ୍ ବିଶ୍ୱ ବିଦ୍ୟାଳୟରୁ ଗବେଷଣା କରି ପିଏଚ୍ଡି ଡିଗ୍ରୀ ଲାଭ କରିଥିଲେ। ଅଧ୍ୟାପନା କ୍ଷେତ୍ରରେ ତାଙ୍କର ନିଷ୍ଠା ଆଜିର ଶିକ୍ଷା କ୍ଷେତ୍ରରେ ବିରଳ। ପ୍ରଫେସର ତ୍ରିପାଠୀଙ୍କ ବିୟୋଗରେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ପଦ୍ମଶ୍ରୀ ଡ.ପ୍ରତିଭା ରାୟ, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍ଗୋ, ଜଗନ୍ନାଥ ପଟ୍ଟନାୟକ, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ, ଶିକ୍ଷାବିତ୍ ପ୍ରଫେସର ବ୍ରଜବନ୍ଧୁ ପଣ୍ଡା, ପୂର୍ବତନ କୁଳପତି ଡ.ବିମଳେନ୍ଦୁ ମହାନ୍ତି, ପୂର୍ବ ପ୍ରଶାସକ ନରେନ୍ଦ୍ର କୁମାର ମିଶ୍ର, ଶିକ୍ଷାବିତ୍ବଦ୍ରିନାଥ ପଟ୍ଟନାୟକ, ସୌରେନ୍ଦ୍ର ମହାପାତ୍ର, ସମାଜସେବୀ ସୀତାବଲ୍ଲଭ ମହାପାତ୍ର, ବୁଦ୍ଧଦେବ ମିଶ୍ର, ଯୁଧିଷ୍ଠିର ଖଟୁଆ, କଳ୍ପଲତା ପତ୍ରୀ, ଓଡିଶା ସରକାରଙ୍କ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ନିହାର ରଞ୍ଜନ ସ୍ୱାଇଁ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ପ୍ରଫେସର ବଂଶୀଧର ତ୍ରିପାଠୀ ଜଣେ ଅସାଧାରଣ ପ୍ରତିଭାର ଅଧିକାରୀ ଥିଲେ ବୋଲି କହିଛନ୍ତି।
Comments are closed.