ବାଙ୍କୀ : ବାଙ୍କୀ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ସ୍ଥାନୀୟ ଘାସିପୁଟ୍ଟ ବଜାର ପ୍ରାଙ୍ଗଣ ପରିସରରେ ଖରିଫ୍ ୨୦୨୦-୨୧ ବର୍ଷ ନିମନ୍ତେ ଖରିଫ୍ ଧାନ କ୍ରୟ ପାଇଁ ସେବା ସମବାୟ ସମିତିର ସମ୍ପାଦକ ଓ ଡିଇଓ ମାନଙ୍କୁ ପି-ପାସ୍ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ସୋମବାର ଦିନ ଆୟୋଜିତ କାର୍ଯ୍ୟକ୍ରମରେ ବାଙ୍କୀ ଓ ବାଙ୍କୀ-ଡମପଡା ବ୍ଲକର ୪୫ଗୋଟି ସେବା ସମବାୟ ସମିତିର ସମ୍ପାଦକ ଓ ଡିଇଓ ମାନେ ଯୋଗଦେଇ ପ୍ରଶିକ୍ଷଣ ଗ୍ରହଣ କରିଛନ୍ତି। ଜିଲ୍ଲା ଯୋଗାଣ ବିଭାଗର ଏସିଏସଓ ଡଃ. ଜ୍ଞାନେନ୍ଦ୍ରିୟ ମିଶ୍ର, ସହକାରୀ ପ୍ରୋଗ୍ରାମର ଜାମିନୀକାନ୍ତ ମହାପାତ୍ର, ବାଙ୍କୀ ସହକାରୀ ସମବାୟ ନିରିକ୍ଷକ ସରୋଜ କୁମାର ଜେନା, ସମ୍ପାଦକ ନିୟନ୍ତ୍ରିତ ବଜାର କମିଟିର ଅଜୟ କୁମାର ରାଉତ, ଯୋଗାଣ ବିଭାଗର ପି-ପାସ ଡିଇଓ ସ୍ମୃତିରଞ୍ଜନ ନାୟକ ପ୍ରମୁଖ କମ୍ପ୍ୟୂଟରୀକରଣ ମାଧ୍ୟମରେ କିପରି ସୂଚାର ରୂପେ ଧାନ କ୍ରୟ କରାଯିବ ସେ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏହି ପ୍ରଶିକ୍ଷଣ ଶିବିରରେ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା କୋଭିଡ୍-୧୯ ନିୟମ ପାଳନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ପ୍ୟାକ୍ସର ସମ୍ପାଦକ ଓ ଡିଇଓ ମାନଙ୍କୁ ଚାଷୀଙ୍କ ତଥ୍ୟ ଯଥା ଉଠା ଜଳସେଚନ, ଭାଗଚାଷୀ ଓ ୧୦ ଏକରରୁ ଅଧିକ ଜମି ଥିବା ଚାଷୀ ମାନଙ୍କର କିଭଳି ସଠିକ ଅନୁସନ୍ଧାନ କରାଯାଇ ଧାନ କିଣା କାର୍ଯ୍ୟକ୍ରମରେ ସାମିଲ କରାଯିବ ସେ ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଛି। ଧାନ କିଣାଯିବା ପରେ ୨୪ରୁ ୪୮ଘଣ୍ଟା ମଧ୍ୟରେ ଚାଷୀ ମାନେ ନିଜର ପ୍ରାପ୍ୟ ପାଇବା ପାଇଁ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ଚାଷୀ ମାନଙ୍କର ସମସ୍ତ ତଥ୍ୟ ଓ ନିର୍ଭୁଲ କଂପ୍ୟୁଟରୀ କରଣ କରିବା ନିମନ୍ତେ ଶିବିରାର୍ଥୀ ମାନଙ୍କୁ ପରାମର୍ଶ ଦିଆଯାଇଛି। ଶେଷରେ ସମ୍ପାଦକ ଅଜୟ କୁମାର ରାଉତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଏମ.ଆଇ ସର୍ମିଷ୍ଠା ଦଳବେହେରା ଉପସ୍ଥିତ ଥିଲେ।
Popular Categories



