ସରକାରଙ୍କ ଉଜ୍ୱଳା ଯୋଜନା କେତେ ସଫଳ? ଅର୍ଥ ଅଭାବରୁ ଗ୍ୟାସ ଟାଙ୍କି ଗଡୁଛି ଭାଡି ତଳେ

0

ଆରଡି ; ସାରା ଦେଶରେ ଗରିବ ଓ ନିମ୍ନଗାମୀ ତଳେ ବସବାସ କରୁଥିବା ପରିବାରଙ୍କ ଘରେ ମହିଳାଙ୍କ ମୁହଁରେ ହସ ଫୁଟାଇବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଜ୍ୱଳା ଯୋଜାନରେ ମାଗଣାରେ ଯୋଗାଇ ଦିଆଯାଇଥିଲା ଗ୍ୟାସଟାଙ୍କି ଓ ଚୁଲା। ହେଲେ ଏହି ଯୋଜନା ସଫଳ ରୂପରେଖ ନେବା ପୂର୍ବରୁ ସେମାନଙ୍କର ଆର୍ଥିକ ଅନାଟନ ଯୋଗୁ ବିଫଳ ହୋଇଛି। ଏପରିକି କାହାଘରେ ଗ୍ୟାସଟାଙ୍କି ଭାଡି ତଳେ ଗଡୁଛି ତ ଆଉ କାହା ଘରେ ଚ୍ୟାୟର ସାଜିଛି ଗ୍ୟାସଟାଙ୍କି। ତାହାସହ ପିଲାମାନଙ୍କ ଖେଳନା ସାଜିଛି ଚୂଲା। ସରକାରଙ୍କ ପକ୍ଷରୁ ଉଜ୍ୱଳା ଯୋଜନାରେ ମାଗଣାରେ ଗ୍ୟାସ ମିଳିଲା। ଆଉ ଚୂଲିରେ ରାନ୍ଧିବାକୁ ପଡିବନି ଅସହାୟ ପରିବାରଙ୍କୁ। ଏପରି ଖୁସି ଖେଳିଯାଇଥିଲା ଗରିବ ଖଟିଖିଆ ଓ ଅସହାୟ ତଳେ ବସବାସ କରୁଥିବା ପରିବାର ମଧ୍ୟରେ। ହେଲେ ଏବେ ଅର୍ଥ ଅଭାବରୁ ଗ୍ୟାସଟାଙ୍କି ଭରିବାକୁ ମନ ବଳାଉ ନାହାନ୍ତି ହିତାଧିକାରୀମାନେ। କାରଣ ଦିନକୁ ମୂଲ ଲାଗି ଯାହାକିଛି ମଜୁରୀ ମିଳୁଛି ତାହା ତେଲ-ଲୁଣ ସଂସାରକୁ ନିଅଣ୍ଟ। ଗ୍ୟାସ ଭରିବା ପାଇଁ ୮/୯ଶହ ଟଙ୍କା ଦରକାର ପଡୁଥିବାରୁ ପୂର୍ବ ପରି ଚୂଲିରେ ରୋଷେଇ କରୁଛନ୍ତି ହିତାଧିକାରୀ। ଏଭଳି ବାସ୍ତବ ଚିତ୍ର ଦେଖିବାକୁ ମିଳିଛି ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଆରଡି ପଞ୍ଚାୟତରେ। ଏହି ପଞ୍ଚାୟତର ମୁଆଁ ଗାଁରେ ଶତାଧିକ ଗରିବ ଖଟିଖିଆ ଓ ଅସହାୟ ପରିବାରଙ୍କୁ ମିଳିଥିଲା ଉଜ୍ୱଳା ଯୋଜନାରେ ଗ୍ୟାସଟାଙ୍କି ଓ ଚୂଲା। କାଁ ଭାଁ ହିତାଧିକାରୀଙ୍କୁ ବାଦ ଦେଲେ ଅର୍ଥ ଅଭାବରୁ ୮୦/୯୦ ହିତାଧିକାରୀଙ୍କ ଘରେ ଆଉ ଜଳୁନି ଗ୍ୟାସ ଚୂଲା। କାହା ଘରେ ଗ୍ୟାସଟାଙ୍କି ଭାଡି ତଳେ ପଡିଛି ତ ଆଉ କାହା ଘରେ ଗ୍ୟାସଟାଙ୍କି ଚ୍ୟାୟାର ସାଜିଛି। ସେହିପରି ଚୂଲାକୁ କେତେକ ପିଲା ଖେଳନା ଭାବେ ବ୍ୟବହାର କରୁଥିବା ଦେଖିବାକୁ ମିଳିଥିଲା ଉକ୍ତ ଗାଁରେ। ସବୁଠାରୁ ବଡକଥା ହେଲା ସରକାର ସିନା ମାଗଣାରେ ଗ୍ୟାସ ଯୋଗାଇ ଦେବା ପାଇଁ ଘୋଷଣା କଲେ ତାହା କେତେକ ଏଜେନ୍ସିି ପାଇଁ ପୁଷମାସ ସାଜିଲା। ଏପରିକି ହିତାଧିକାରୀମାନଙ୍କ କହିବା ଅନୁଯାୟୀ ଗ୍ୟାସ ବଣ୍ଟନ ସମୟରେ ୫/୮ଶହ ପର୍ଯ୍ୟନ୍ତ କନେକସନ୍‍ ପାଇଁ ନେଲେ ଏଜେନ୍ସିମାନେ। ଯଦି ଏହି ଟଙ୍କା ନଦେବ ତୁମକୁ ଗ୍ୟାସ ବହି ମିଳି ପାରିବ ନାହିଁ ବୋଲି ମଧ୍ୟ ରୋକଠୋକ ମନା କରିଦେଇଥିଲେ। ହିତାଧିକାରୀ ଜୟନ୍ତୀ ଦାସ, ପଦ୍ମାବତୀ ଦାସ, ଦୀପ୍ତିରାଣୀ ଦାସ ପ୍ରମୁଖଙ୍କ କହିବା ଅନୁଯାୟୀ ୩ଜଣ ଏଜେନ୍ସି ଗାଁରେ ପର୍ଯ୍ୟାୟକ୍ରମେ ଗ୍ୟାସ ବଣ୍ଟନ କଲେ ହେଲେ ବହି ଦେଲେନି ଯାହାଫଳରେ ସେଇଦିନ ଠାରୁ ଗ୍ୟାସ ସରିଥିଲେ ମଧ୍ୟ ଭରିବା ପାଇଁ ପ୍ରମାଣପତ୍ର କିଛି ନଥିବାରୁ ଏଜେନ୍ସିମାନେ ଫେରାଇ ଦେଉଛନ୍ତି। ତାହାସହ ସେମାନଙ୍କ କହିବା ଅନୁଯାୟୀ ଆମେ ଖଟିଖିଆ ଲୋକ ଦୈନଦିନ ଯାହାକିଛି ରୋଜଗାର ହୋଇଥାଏ ତାହା ପରିବାର ଚଳାଇବା କଷ୍ଟ ଗ୍ୟାସ ଭରିବା ପାଇଁ ୮/୯ଶହ ଟଙ୍କା କେଉଁଠୁ ଆଣିବୁ। ସେହିପରି ଝୁମଲତା ଦାସ, କୁନ୍ତଳା ଦାସ, ବିଳାସିନୀ ଦାସଙ୍କ କହିବା ଅନୁଯାୟୀ ତୁମକୁ ଏକମାସ ମଧ୍ୟରେ ବହି ମିଳିବ ତାହାସହ ତୁମର ବ୍ୟାଙ୍କ ଏକାଉଣ୍ଟକୁ ସରକାରଙ୍କ ପକ୍ଷରୁ ଗ୍ୟାସ ଭରିବା ପାଇଁ ଟଙ୍କା ଆସିବ ଏପରି କେତେ କଣ ପ୍ରତିଶୃତି ଦେଇଥିଲେ ଏଜେନ୍ସିମାନେ, ହେଲେ ଏବେ ଉକ୍ତ ଏଜେନ୍ସିଙ୍କୁ ଫୋନ ଲଗାଇଲେ ଉଠାଉ ନାହାନ୍ତି। ଏହି ଉଜ୍ୱାଳା ଯୋଜନାରେ ଗ୍ୟାସ ବଣ୍ଟନ ନିମନ୍ତେ ଚୁକ୍ତିନାମା କରିଥିବା ଚାନ୍ଦବାଲି ଭାରତ ଗ୍ୟାସ ଏଜେନ୍ସି, ଗୁଆମାଳ ଇଣ୍ଡିଆନ ଗ୍ୟାସ ଏଜେନ୍ସି, ବେତାଳିଗାଁସ୍ଥିତ ଜୈନିକ ଗ୍ୟାସ ଏଜେନ୍ସିଙ୍କୁ ପଚାରିବାରୁ ଏବାବଦରେ କିଛି କହିପାରିବେ ନାହିଁ ବୋଲି ମନା କରିଦେଇଥିଲେ। ଠିକ୍‍ ସମାନ ଅବସ୍ଥା ଦେଖିବାକୁ ମିଳିଛି ଉକ୍ତ ପଞ୍ଚାୟତର ସନ୍ତରା, ବାତୋଳ, ସିଙ୍ଗିପୁର, ଶୀତଳପୁର, ସାନପଙ୍କି ଆଦି ଗାଁର ଶତାଧିକ ହିତାଧିକାରୀ ଅର୍ଥ ଅଭାବରୁ ଗ୍ୟାସ ଭରି ନପାରି ପୂର୍ବପରି ଚୂଲିରେ ରୋଷେଇ କରୁଛନ୍ତି। ଏବାବଦରେ ଚାନ୍ଦବାଲି ଯୋଗାଣ ଅଧିକାରୀ ଓ ବିଡିଓଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ କୈାଣସି ପ୍ରତିକ୍ରିୟା ମିଳିପାରିନଥିଲା।

Leave A Reply