ରସୁଣ ଚୋରକୁ ହତ୍ୟା ଘଟଣା ; ୨୪ ଘଣ୍ଟା ମଧ୍ୟରେ ୫ ଅଭିଯୁକ୍ତ ଗିରଫ
ରାଉରକେଲା: ରାଉରକେଲାର ଟ୍ରାଫିକ ଗେଟ ମାର୍କେଟରେ ଘଟିଥିବା ହତ୍ୟା ଘଟଣାର ୫ ଅଭିଯୁକ୍ତ ଗିରଫ ହୋଇଥିବା ରବିବାର ଜଣାପଡ଼ିଛି। ଗତ ଶନିବାର ସକାଳେ ପ୍ଲାଣ୍ଟ ସାଇଟ ଥାନାରେ ହୋଇଥିବା ହତ୍ୟା ଅଭିଯୋଗ ମୁତାବକ ପୂର୍ବ ବିଳମ୍ବିତ ରାତିରେ ସାଗର ରାୟ ଓ ତାର ସହଯୋଗୀ ମାର୍କେଟ ଛାତ ଉପରେ ଶୋଇଥିବା ବେଳେ ଅତର୍କିତ ଆକ୍ରମଣର ସମ୍ମୁଖୀନ ହୋଇଥିଲେ। ହସ୍ପିଟାଲରେ ସାଗରର ମୃତ୍ୟୁ ହୋଇଥିଲା। ଅନ୍ୟ ସହଯୋଗୀ ଗୁରୁତର ଅବସ୍ଥାରେ ବୁର୍ଲାରେ ଚିକିତ୍ସାଧୀନ ରହିଛି। ଇତି ମଧ୍ୟରେ ଅଭିଯୋଗ ଆଧାରରେ ତଦନ୍ତ କରି ପୁଲିସ ୨୪ ଘଣ୍ଟା ମଧ୍ୟରେ ୫ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆ ଯାଇଛି। ଡିଏସପି ଅସୀମ ପଣ୍ଡା ପ୍ରକାଶ କରିଥିବା ହତ୍ୟା ଅଭିଯୁକ୍ତଙ୍କ ନାମ ଗୁଡ଼ିକ ହେଲା ରାଜେନ୍ଦ୍ର ପାଲ(୨୫), ପ୍ରଶାନ୍ତ ସେନାପତି (୩୦), ସୁନୀଲ ଦୋରା (୨୬), ସୁଧାଂଶୁ ବେହେରା (୨୩)ଓ ଅକ୍ଷୟ ବାରିକ (୨୪) ।
ସୂଚନା ଯୋଗ୍ୟ ପ୍ରଶାନ୍ତଙ୍କ ଦୋକାନରୁ କିଛିଦିନ ତଳେ ୩ବ୍ୟାଗ ରସୁଣ ଚୋରି ହୋଇଥିଲା। ସାଗର ଚୋରି କରୁଥିବାରୁ ଅନ୍ୟମାନଙ୍କ ସହ ମିଶି ସେ ତାକୁ ହତ୍ୟା କରିଥବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ସାଗର ନାମରେ ୧୭ଟି ମାମଲା ବିଭିନ୍ନ ଥାନାରେ ରହିଛି। ହତ୍ୟାକାରୀ ମାନେ ଠେଙ୍ଗା ଓ କାଠ ବେଟେନ ବ୍ୟବହାର କରିଥିଲେ ବୋଲି ପୁଲିସ କହିଛି ।
Comments are closed.