ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବିକଲା ବିଜେଡି

0

ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟାର ସୟଦ ଉସମାନ ଅଲ୍ଲୀ ଓରଫ ଟିଟୋର ପତ୍ନୀ ବେନଜିରକୁ ପେଟ୍ରୋଲ ପମ୍ପ ଆବଣ୍ଟିତ ହୋଇଥିବା ଅଭିଯୋଗ ଉପରେ ଏବେ ରାଜନୀତି ବଢିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରାମର୍ଶକ୍ରମେ ଘଟଣାର ସିବିଆଇ ତଦନ୍ତ ଲାଗି ଆଇଓସିଏଲ କରିଥିବା ସୁପାରିସକୁ ନେଇ ବିଜେଡି ପ୍ରଶ୍ନ ଉଠାଇଛି। କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଥିବା ବେଳେ ହଠାତ୍‍ ସିବିଆଇ ତଦନ୍ତ ଘୋଷଣା କ’ଣ ପାଇଁ ବୋଲି ବିଜେଡି ପ୍ରଶ୍ନ କରିଛି।
ଏକ ସାମ୍ବାଦିକ ସମ୍ମିିଳନୀରେ ରାଜ୍ୟସଭା ସାଂସଦ ତଥା ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି ଏକ ନିର୍ଦ୍ଧିଷ୍ଟ ପେଟ୍ରୋଲ ପମ୍ପ ବିଷୟରେ ତଦନ୍ତ କରା ନ ଯାଇ ୨୦୧୪ରୁ ଅଦ୍ୟାବଧି ଓଡ଼ିଶାରେ ଦିଆଯାଇଥିବା ସମସ୍ତ ପେଟ୍ରୋଲ ପମ୍ପ ଓ ଗ୍ୟାସ ଏଜେନ୍ସିର ସିବିଆଇ ତଦନ୍ତ କରାଯାଉ। ସେ କହିଛନ୍ତି ଆଇଓସିଏଲ ମାଲିକାନାର ପେଟ୍ରୋଲ ପମ୍ପ ଗୁଡିକୁ ଚଳାଇବା ପାଇଁ ନିର୍ଦ୍ଧିଷ୍ଟ ନିୟମାବଳୀ ରହିଥିବାବେଳେ ଟିଟୋକୁ ପେଟ୍ରୋଲ ପମ୍ପ ମିଳିବା ଓ ଆବଣ୍ଟନରେ ତ୍ରୁଟି ଥିବା ଆଇଓସିଏଲ କହିବା ହାସ୍ୟାସ୍ପଦ। ଟିଟୋକୁ ପେଟ୍ରୋଲ ପମ୍ପ ମିଳିବା ନେଇ କେନ୍ଦ୍ରମନ୍ତ୍ରୀ କିପରି ଜାଣିପାରିଲେ ନାହିଁ। ସିବିଆଇ ତଦନ୍ତ ଆଳରେ କାହାକୁ ଘଣ୍ଟ ଘୋଡାଇବା ପାଇଁ ଉଦ୍ୟମ କରୁଛନ୍ତି ବୋଲି ଶ୍ରୀ ଦେବ ଅଭିଯୋଗ କରି ଶ୍ରୀ ପ୍ରଧାନଙ୍କ ଇସ୍ତଫା ଦାବି କରିଛନ୍ତି।
ବିଭିନ୍ନ ସମୟରେ ଅପରାଧୀ ଗୋଷ୍ଠୀଙ୍କ ସହ ବିଜେପି ସଂପର୍କ ରଖି ରାଜନୀତି କରୁଥିବା ଶ୍ରୀ ଦେବ ଅଭିଯୋଗ କରିଛନ୍ତି। ଓଡ଼ିଶାରେ ଏହା ଚଳିବନି ବୋଲି ଶ୍ରୀ ଦେବ କହିଛନ୍ତି। ଆଜିର ସମ୍ବାଦିକ ସମ୍ମିଳନୀରେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ଏନ.ଭାସ୍କର ରାଓ ଉପସ୍ଥିତ ଥିଲେ।

Leave A Reply