‘ଟପ୍‍’ ଯୋଜନାରୁ ଜିତୁ ବାଦ୍‍

0

ନୂଆଦିଲ୍ଲୀ: ତାରକା ବନ୍ଧୁକଚାଳନାକାରୀ (ସୁଟର) ଜିତୁ ରାୟ ଟାର୍ଗେଟ୍‍ ଅଲିମ୍ପିକ୍‍ ପୋଡିୟମ (ଟପ୍‍) ଯୋଜନାରୁ ବାଦ୍‍ ପଡ଼ିଛନ୍ତି। ଜିତୁଙ୍କ ବ୍ୟତୀତ ସୁଟର ଯଶସ୍ୱିନୀ ଦେସୱାଲ୍‍, ଅମନ୍‍ପ୍ରୀତ ସିଂହ ଓ ନୀରଜ କୁମାରଙ୍କୁ ଟପ୍‍ ଯୋଜନାରୁ ବାଦ୍‍ ଦିଆଯାଇଥିବା ଜଣାପଡ଼ିଛି। ଏହି ସୁଟରମାନେ ଖରାପ ପ୍ରଦର୍ଶନ କରୁଥିବାରୁ ସେମାନଙ୍କୁ ଟପ୍‍ ଯୋଜନାରୁ ବାଦ୍‍ ଦିଆଯିବାକୁ ନିଷ୍ପତ୍ତି ହୋଇଛି ବୋଲି ସାଇ ତରଫରୁ ସୂଚନା ଦିଆଯାଇଛି। ଏହି ସବୁ ସୁଟରମାନେ ଏସୀୟ କ୍ରୀଡ଼ା ଓ ବିଶ୍ୱ ଚମ୍ପିଆନ୍‍ସିପରେ ଭାଗ ନେବା ନିମନ୍ତେ ଯୋଗ୍ୟତା ହାସଲ କରିବାକୁ ସମର୍ଥ ହୋଇନଥିବାରୁ ସେମାନଙ୍କୁ ଟପ୍‍ ଯୋଜନାରୁ ବାଦ୍‍ ଦିଆଯାଇଥିବା ସାଇର ଜଣେ ଅଧିକାରୀ କହିଛନ୍ତି। ଏସୀୟ କ୍ରୀଡ଼ା ଓ ବିଶ୍ୱ ଚମ୍ପିଆନ୍‍ସିପ ନିମନ୍ତେ ଯୋଗ୍ୟତା ଅର୍ଜନ କରିଥିବା ସୁଟରମାନଙ୍କ ନିମନ୍ତେ ୫୦ ଲକ୍ଷ ଟଙ୍କା ଟପ୍‍ ଯୋଜନା ମାଧ୍ୟମରେ ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି। ସୂଚନାଥାଉକି ଜିତୁ ଗତ ଏପ୍ରିଲ୍‍ରେ ଅଷ୍ଟ୍ରେଲିଆରେ ଆୟୋଜିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପୁରୁଷ ୧୦ମିଟର ଏୟାର ପିସ୍ତଲ୍‍ ବିଭାଗରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ତେବେ ଏହାପରେ ସେ ଫର୍ମ ହରାଇ ବସି ଏସୀୟ କ୍ରୀଡ଼ା ଓ ବିଶ୍ୱ ଚମ୍ପିଆନ୍‍ସିପ ନିମନ୍ତେ ଯୋଗ୍ୟତା ଅର୍ଜନ କରିବାକୁ ବିଫଳ ହୋଇଥିଲେ। ତେଣୁ ତାଙ୍କୁ ଟପ୍‍ ଯୋଜନାରୁ ବାଦ୍‍ ଦିଆଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ସ୍କିଟ୍‍ ବିଭାଗ ସୁଟର ମାଇରାଜ ଅହମ୍ମଦ ଖାନ୍‍ ଓ ସିରାଜ ଶେଖଙ୍କୁ କ୍ରୀଡ଼ା ମନୋବିଜ୍ଞାନୀ ଓ ଫିଜିଓ ନିଯୁକ୍ତି ପାଇଁ ଟପ୍‍ ଯୋଜନାରେ ୬.୧୩ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ସାଇ ତରଫରୁ ସୂଚନା ମିିଳିଛି। ଟ୍ରାପ୍‍ ସୁଟର ସୀମା ତୋମରଙ୍କୁ ଇଟାଲିଆନ୍‍ ଓପନ୍‍ ଗ୍ରୀନ୍‍ କପ୍‍ରେ ଭାଗ ନେବାକୁ ଟପ୍‍ ଯୋଜନାରେ ୩.୨୫ ଲକ୍ଷ ଟଙ୍କା ଯୋଗାଇ ଦିଆଯିବ ବୋଲି ଜଣାପଡ଼ିଛି।
ଡବଲ ଟ୍ରାପ୍‍ ସୁଟର ଅଙ୍କୁର ମିତ୍ତଲଙ୍କୁ ସରଞ୍ଜାମ କ୍ରୟ ଓ ଇଟାଲୀରେ ପ୍ରଶିକ୍ଷଣ ନିମନ୍ତେ ଟପ୍‍ ଯୋଜନାରେ ୬.୪୩ ଲକ୍ଷ ଟଙ୍କା ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଛି।

Leave A Reply