www.samajalive.in
Wednesday, December 10, 2025
18.1 C
Bhubaneswar

ମଣିଷ ମାଣ୍ଡେଲାଙ୍କ ମହାତ୍ମାପଣିଆ

ଅଭିରାମ ବିଶ୍ବାଳ

ପଚାଶପଚାଶ ବର୍ଷର ବ୍ୟବଧାନରେ ଏ ଧରାପୃଷ୍ଠରେ ଉଭାହୋଇଥିବା ସେ ତିନି ଅତି ବିଶିଷ୍ଟ ବ୍ୟକ୍ତିତ୍ବଙ୍କ କାରଣରୁ ଚଳିତ ୨୦୧୮ ମସିହାଟି ଆହୁରି ଅଧିକ ଭାଗ୍ୟବାନ ଓ ମୂଲ୍ୟଯୁକ୍ତ ହୋଇପାରିଛି। ଏ ବର୍ଷ କାର୍ଲମାର୍କ୍ସଙ୍କ ଜନ୍ମର ୨୦୦ତମ ବର୍ଷ, ମହାତ୍ମା ଗାନ୍ଧିଙ୍କ ଜନ୍ମର ଦେଢ଼ଶହ ବର୍ଷ ପାଳନର ଶୁଭାରମ୍ଭ ବର୍ଷ ଓ ନେଲସନ୍‌ ମାଣ୍ଡେଲାଙ୍କ ଜନ୍ମର ଶହେବର୍ଷ ପୂର୍ତ୍ତି। ଏ ତିନି ବିଶ୍ବବିଦିତ ଲୋକପ୍ରତିମାଙ୍କୁ ଯଦି ଜଣଙ୍କଠାରେ ଖୋଜାଯାଇପାରିବ ତାହାହେଲେ କିଛି ମାତ୍ରାରେ ସିଏ ହେଲେ ଖୋଦ୍‌ ମାଣ୍ଡେଲା। କାହିଁକି ନା ତାଙ୍କ ରାଜନୀତିକ ଜୀବନର ଆରମ୍ଭ ଯଦି ସନ୍ତ୍ରାସବାଦ ଓ ସାମ୍ୟବାଦୀ ଉଗ୍ରପନ୍ଥାରୁ, ତେବେ ଅନ୍ତିମ ପର୍ଯ୍ୟାୟ ଗାନ୍ଧିବାଦୀ ଅହିଂସା ଓ ଆଳାପଧର୍ମୀ। ଏମିତିରେ ତ ତାଙ୍କ ମୂଳ ନାଁ ‘ରୋଲି ହଲାହଲା’ର ଅର୍ଥ ହେଲା ମୋଟାମୋଟି ଏମିତିଆ ଜଣେ ବ୍ୟକ୍ତି ଯିଏ ରଖେଇଥୋଇ ଦିଅନ୍ତିନି; ଆତ୍ମଜୀବନୀ ‘ଲଙ୍ଗ୍‌ ୱାକ୍‌ ଟୁ ଫ୍ରିଡମ୍‌’ର ପ୍ରଥମ ପରିଚ୍ଛେଦ ମୁତାବକ, ଯିଏ ଗଛଡାଳ ଭିଡ଼ାଓଟରା କରୁଥାନ୍ତି। ପରିବାରରେ ତାଙ୍କ ଆଗରୁ କେହି ସ୍କୁଲମାଟି ମାଡ଼ିନଥିଲେ। ପ୍ରଥମ ଦିନ ହିଁ ଶିକ୍ଷୟିତ୍ରୀ ତାଙ୍କୁ ଯେଉଁ ଇଂରାଜୀ ନାଁରେ ଡାକିଲେ ତାହା ହେଲା ମାଣ୍ଡେଲା, ଯାହାର କାରଣ ନିଜ ଜୀବନର ଶେଷ ଯାଏ ବି ନିଜେ ନେଲସନ୍‌ ଜାଣି ପାରିନଥିଲେ। ସମୟକ୍ରମେ ସିଏ ହୋଇଥିଲେ ସାଧାରଣ ମଣିଷର ତ୍ରାଣକର୍ତ୍ତା, ମହାପୁରୁଷ ଓ ମହାତ୍ମା। ଅବଶ୍ୟ ନିଜର ସ୍ବାଭାବିକ ଆଫ୍ରିକୀୟ ମାନବୀୟତା ନ ଦୂରେଇ। ଶହେ ବର୍ଷ ତଳେ ୧୯୧୮ ମସିହା ଆଜି ତାରିଖ (ଜୁଲାଇ ୧୮)ରେ ସିଏ ଜନ୍ମଗ୍ରହଣ କରିଥିଲେ।
ଅତି କମ୍‌ରେ ଦୁଇଟି ଅତି ମହତ କାରଣ ପାଇଁ ମାଣ୍ଡେଲା ପୃଥିବୀର ବିବେକରେ ପରିଣତ ହୋଇ ଜଣେ ଧର୍ମନିରପେକ୍ଷ ସନ୍ଥ ସମ ଆଶାଠାରୁ ଆହୁରି ଉପରେ ଆସ୍ଥାନ ଜମେଇ ପାରିଥିଲେ। ପ୍ରଥମଟି ହେଲା ବର୍ଣ୍ଣବି​‌େ​‌ଦ୍ବଷ ବା ରଂଗଭେଦ ବା ‘ଆପାରଥେଟ୍‌’ ବିରୋଧରେ ତାଙ୍କ ନେତୃତ୍ବରେ ନିରନ୍ତର ଆନ୍ଦୋଳନ ଏବଂ ଦ୍ବିତୀୟଟି ହେଲା ଉପରୋକ୍ତ ଆନ୍ଦୋଳନ ସକାଶେ ସଂଖାଲଘୁ ଗୋରା ସରକାର ଦ୍ବାରା ୨୭ବର୍ଷ ୬ମାସ କାରାଦଣ୍ଡ ଭୋଗ। ତାଙ୍କ ପରିଚୟ କରି ଦିଆହେଲା କଏଦୀ ନମ୍ବର ୪୬୬/୬୪। କାରାଗାରରେ ତାଙ୍କର ଅନ୍ୟତମ ପ୍ରମୁଖ କାମଥିଲା ପ୍ରକାଣ୍ଡକାୟ ପଥରଖଣ୍ଡମାନ ଫଟେଇବା। ସେଇ ପ୍ରକ୍ରିୟାରେ ସିଏ ଦୁର୍ଦାନ୍ତ ଓ ନିଷ୍ଠୁର ହେଲେନି; ବରଂ ନିଜେ ଫୁଲ ଭଳି କୋମଳ ଓ କମନୀୟ ହୋଇଗଲେ ଏବଂ ହିଂସା ଜାଗାରେ ଯଥା ସମ୍ଭବ ଅହିଂସା ଆପଣେଇ ନେଲେ। ସବୁଠୁ ବଡ଼କଥା ହେଉଛି ଯେଉଁ ଗୋରା ଶାସକ ଓ ନାସ୍‌ନାଲ ପାର୍ଟି ସରକାର ତାଙ୍କୁ ଜେଲ୍‌ ପଠେଇଥିଲେ ସେଇ ସରକାରର, ଶାସକ ବର୍ଗର ଡିକ୍ଲାର୍କଙ୍କ ସହ ମିଶି ସିଏ ବିବିଧ ବର୍ଣ୍ଣର ସରକାର ଗଢ଼ିଲେ ଏବଂ ତାଙ୍କ ସହ ମିଳିତ ଭାବେ ନୋବେଲ ଶାନ୍ତି ପୁରସ୍କାର ଗ୍ରହଣ କରିଥିଲେ। ପୂର୍ବତନ ବର୍ଣ୍ଣବି‌େ‌ଦ୍ବଷୀ ସରକାରଙ୍କ ଅମଳର ବୀଭତ୍ସ କାଣ୍ଡର ତଦନ୍ତ ନିମନ୍ତେ ଗଠିତ ଆୟୋଗର ନାଁ ପୁଣି ରଖାହୋଇଥିଲା ସତ୍ୟ ଓ ମୀମାଂସା-ମିଳାମିଶା ଆୟୋଗ। ୨୭+ ବର୍ଷର ଏତେ ବିଷାଦ ଓ କଷଣ ସତ୍ତ୍ବେ ମନ ଓ ନୀତିନିଷ୍ପତ୍ତିରେ ଲେଶମାତ୍ର ପ୍ରତିହିଂସା କି ପ୍ରତିଶୋଧପରାୟଣତା ନଥିଲା ତାଙ୍କର। ଦକ୍ଷିଣ ଆଫ୍ରିକାର କଳା, ଗୋରା ଓ ମିଶ୍ରରଙ୍ଗର ଲୋକଙ୍କ ସାଙ୍ଗକୁ ସାରା ପୃଥିବୀ ପାଇଁ ମାଣ୍ଡେଲା ଉଭାହେଲେ ସମ୍ମତି ଆଶା ଓ ସମନ୍ବୟର ସୁବର୍ଣ୍ଣ ଯୁଗ ସମ୍ଭବ କରିଥିବା ଏବଂ ସର୍ବେସାମିଲ୍‌, ସହନଶୀଳ ଓ ଗଣତାନ୍ତ୍ରିକ ରାଜନୀତିର ରୂପାୟନ ଚେଷ୍ଟା କରିଥିବା ଅଗ୍ରଦୂତ ପ୍ରବକ୍ତା- ପ୍ରୟୋଗକର୍ତ୍ତା ଭାବେ। ଦକ୍ଷିଣ ଆଫ୍ରିକା ଏକ ଇନ୍ଦ୍ରଧନୁ ଦେଶ ହେଉ ବୋଲି ସେ ଚାହିଁଥିଲେ ଓ ସେ ଦିଗରେ ପ୍ରବଳ ପ୍ରୟାସ କରିଥିଲେ। ଏବେ କିନ୍ତୁ କୁଆଡ଼େ ତାଙ୍କ ଦେଶରେ ଅପରାଧ ଓ ଅସମାନତାର ମହାମାରୀ।
ଗାନ୍ଧୀ ଯେମିତି ଭାରତବର୍ଷ ପାଇଁ ଜାତିର ଜନକ, ମାଣ୍ଡେଲା ସେମିତି ଦକ୍ଷିଣ ଆଫ୍ରିକାର ଜନକ। ତିନିଟି ମହାଦେଶ ପାଇଁ ମୋହନ ମହାତ୍ମା ହୋଇପାରିଥିଲେ। ଏସିଆର ଭାରତରେ ତାଙ୍କ ଜନ୍ମ। ୟୁରୋପର ଇଂଲଣ୍ଡରେ ତାଙ୍କ ଉଚ୍ଚଶିକ୍ଷା ଓ ଆଫ୍ରିକାର ଦକ୍ଷିଣ ଆଫ୍ରିକାରୁ ମଣିଷର ମର୍ଯ୍ୟାଦା ତଥା ଅଧିକାର ପାଇଁ ଆନ୍ଦୋଳନର ଦକ୍ଷିଣ ତାଲିମ। ସେଇ ଗାନ୍ଧୀଙ୍କୁ ପରେ ମାଣ୍ଡେଲା ପ୍ରେରଣା ଓ ପ୍ରଭାବ ବୋଲି ସ୍ବୀକାର କରିଥିଲେ। ଦକ୍ଷିଣ ଆଫ୍ରିକାର ପିଟରମରିସ୍‌ବର୍ଗ ଷ୍ଟେସନରୁ ଥରେ ଗାନ୍ଧୀଙ୍କୁ ଟ୍ରେନ୍‌ରୁ ବାହାର କରି ଦିଆଯାଇଥିଲା। ପରେ ସେଇ ପିଟରମରିସ୍‌ବର୍ଗ ସହରକୁ ଆଣି ଗିରଫ ମାଣ୍ଡେଲାଙ୍କୁ ଜେଲ୍‌ ପଠେଇଥିଲା ପୁଲିସ। ଦୁହିଁଙ୍କ ଜୀବନରେ ଏ ଦୁଇଟି ଘଟଣା ଐତିହାସିକ ମୋଡ଼ ହୋଇଯାଇଥିଲା। ଅବଶ୍ୟ ଭାରତଠାରୁ ଅଧିକ ଜଟିଳ ଓ ସମସ୍ୟାଜର୍ଜରିତ ଥିଲା ଦକ୍ଷିଣ ଆଫ୍ରିକାର ଗୋରା ଶୋଷଣ ଓ ​‌େ‌ସ୍ବଚ୍ଛାଚାର। ଯେଉଁଠି ପାତରଅନ୍ତର ଆଧାର ଥିଲା ଦେହର ରଙ୍ଗ, ଯଦିଓ ଶୋଷକ-ଶୋଷିତଙ୍କ ଧର୍ମ ଅନେକ ପରିମାଣରେ ଏକାଥିଲା। ବହିରାଗତ ଶାସକ ସାଜି ମୂଳବାସିନ୍ଦାଙ୍କୁ ନିର୍ଯାତନା ଦେଇ ପୋକମାଛି ଭଳି ବିବେଚନା କରୁଥିଲେ। ବହିରାଗତମାନେ ମୂଳ ବାସିନ୍ଦାଙ୍କୁ ‘ବହି’ ଖଣ୍ଡେଖଣ୍ଡେ ଧରେଇ ଦେଲେ ଏବଂ ସେମାନେ ସେ ବହି ପଢ଼ିବାରେ ମନୋନିବେଶ କରିଥିଲାବେଳେ ସେମାନଙ୍କ ମୂଳ ଜନଜାତୀୟ ବିଶ୍ବାସ, ଜମି ଓ ଅଧିକାର ଖଂଜରେ ନେଇ ଚାଲିଗଲେ। ଶାସକ ନିଜ ଭୂଇଁରେ ସେମାନେ ରଙ୍ଗଭେଦ ଯୋଗୁଁ ଈଶ୍ବରଙ୍କ ନିକୃଷ୍ଟ ସନ୍ତାନସନ୍ତତି ହୋଇ ରହିଗଲେ। ସେମାନଙ୍କର ଦୋଷ ବୋଇଲେ କିଛି ନଥିଲା।
ଛିନ୍ନମୂଳ ହେବାର ସର୍ବଦା ଘୋର ବିରୋଧ କରୁଥିବା ମାଣ୍ଡେଲାଙ୍କ ଅନ୍ୟତମ ଐତିହ୍ୟଲବ୍ଧ ଦର୍ଶନ ଥିଲା ଏଇଆ- ‘ଜଣେ ଲୋକର ବ୍ୟକ୍ତିଗତ ସତ୍ତା ଅନ୍ୟମାନଙ୍କ ଅସ୍ତିତ୍ବ ବିନା ସମ୍ଭବ ନୁହେଁ। ମୁଁ ଅଛି କାରଣ ଆମେ ଅଛୁ। ବ୍ୟକ୍ତି ନୁହେଁ, ବ୍ୟଷ୍ଟି ହିଁ ସମାଜର ମୂଳପିଣ୍ଡ।’ ପୁଣି ସେଇ ମାଣ୍ଡେଲା କହୁଥିଲେ ଯେ ଆଦିମ ଆଫ୍ରିକୀୟ ଜାତୀୟବାଦ ଓ ଆଧୁନିକ ମାର୍କ୍ସୀୟ ଦ୍ବନ୍ଦ୍ବାତ୍ମକ ବସ୍ତୁବାଦର ସହାବସ୍ଥାନ ସମ୍ଭବ। ତାଙ୍କ ମୌଳିକ ମତାଦର୍ଶ ବାବଦରେ ବଖାଣିବା ଅପେକ୍ଷା ଭାବିବା ସହଜ। ସିଏ ଆଫ୍ରିକାନ ​‌େ​‌ନସ୍‌ନାଲ୍‌ କଂଗ୍ରେସ ସହ ଥି​‌େ​‌ଲ। ସାମାଜିକ ଜାତୀୟତାବାଦର ପକ୍ଷ ଧରିଥିଲେ। ୧୯୫୫ରୁ ବ୍ୟାଙ୍କ୍‌ ସୁନାଖଣି ଓ ଜମିର ଜାତୀୟକରଣ କଥା ଉଠେଇ ସାରିଥିଲେ। ତା’ସହ ସଂପଦର ସମବଣ୍ଟନ ବିଷୟ ମଧ୍ୟ। ଜଣେ ସୁସ୍ଥ-ସଂକ୍ରାମକ ଗଣନାୟକ ଥିଲେ ସେ । ହାସ୍ୟରସ ବି କିଛି କମ୍‌ ନଥିଲା ତାଙ୍କର। ଥରେ କହିଥିଲେ- ମୁଁ ୨୭ବର୍ଷ ପାଇଁ ତ ଜେଲ ଯାଇନଥିଲି। ଲମ୍ବା ଛୁଟି କାଟୁଥିଲି। ଆତ୍ମଜୀବନୀରେ ଅତି କମ୍‌ରେ ଛଅଟି ପୃଷ୍ଠାରେ ମହାତ୍ମାଗାନ୍ଧୀଙ୍କ କଥା କହିଥିବା ମାଣ୍ଡେଲା ଆଉଥରେ ରହସ୍ୟ କରି କହିଥିଲେ- ଭାରତ ଆମର ଏଠିକି ଜଣେ ଓକିଲ ପଠେଇଥିଲେ, ଯାହାଙ୍କୁ ଆ​‌େ​‌ମ ସନ୍ଥ ଓ ମହାତ୍ମାରେ ରୂପାନ୍ତରିତ କରି ଭାରତ ଫେରେଇଥିଲୁ। ଦକ୍ଷିଣ ଆଫ୍ରିକାରେ ବେପାରବଣିଜ କରୁଥିବା ଭାରତୀୟଙ୍କର ସେଠାକାର କୃଷ୍ଣକାୟ ଶ୍ରମିକଙ୍କ ପ୍ରତି କି ଆଭିମୁଖ୍ୟ ଥିଲା ତାହା ବି ବେଳେବେଳେ ଉଠେ।
ଅନେକ ବିରଳ ଅସାଧାରଣତ୍ବର ଅଧିକାରୀ ବ୍ୟକ୍ତିମାନେ ଦୁଃଖରେ ଭାଙ୍ଗିପଡ଼ନ୍ତିନି, ସେମାନେ କାରୁଣ୍ୟକୁ ମନୋରମ ରୂପ ଦିଅନ୍ତି। ଜେଲ୍‌ରେ ଥିଲାବେଳେ ମାଣ୍ଡେଲାଙ୍କ ମାଆ ଓ ବଡ଼ ପୁଅ ଚାଲିଗଲେ। ସେମାନଙ୍କୁ ଦେଖା କରିବାକୁ ସୁଯୋଗ ଦିଆହେଲାନି। ଅତ୍ୟାଚାରିତ ସନ୍ଥ ଓ ମହାପୁରୁଷସମ ବ୍ୟକ୍ତିିତ୍ବଟିଏ କ୍ଷମତା ରାଜନୀତିର ପଦମଣ୍ଡନ କଲେ ଅନେକ ପରାଭବ ବି ମିଳେ। ଗାନ୍ଧୀ ପ୍ରଧାନମନ୍ତ୍ରୀ କିମ୍ବା ରାଷ୍ଟ୍ରପତି ହୋଇଥିଲେ କ’ଣ ହୋଇଥାନ୍ତା କେଜାଣି? ଗଣତନ୍ତ୍ରପ୍ରେମୀ ମାଣ୍ଡେଲା ଯିଏକି ସାମୂହିକ ନେତୃତ୍ବ ଉପରେ ଗୁରୁତ୍ବ ଦେଉଥିଲେ- ୱାଲଟର ସିସୁଲୁ ଓ ଦେଶମଣ୍ଡ ଟୁଟୁଙ୍କୁ ବେଶ ସମ୍ମାନ କରୁଥିଲେ- ସିଏ ବି କହିଥିଲେ ଦରକାର ପଡ଼ିଲେ ଜଣେ ଜନନାୟକ ଅନ୍ୟ କାହା ମୁହଁ ପରାମର୍ଶ ନକରି ଆଶୁ ଓ ଦୃଢ଼ ନିଷ୍ପତ୍ତି ନେଇପାରନ୍ତି। ରାଷ୍ଟ୍ରପତି ପଦରୁ ଯିବାପରେ ସିଏ ଦାରିଦ୍ର୍ୟ, ଏଡସ୍‌, ଇରାକ୍‌ ଯୁଦ୍ଧ ଓ ନାଟୋର ଅନୁପ୍ରବେଶ ବିରୋଧରେ ପାଟିଖୋଲିଛନ୍ତି। ମାନବିକ ଅଧିକାର ଓ ବରିଷ୍ଠ ନାଗରିକଙ୍କ କଥାବି କହିଛନ୍ତି। ପୁଣି କହିଛନ୍ତି- ମତେ ଡାକିବା ଦରକାର ନାହଁ, ମୁଁ ନିଜେ ଖୋଜିବି। ପ୍ରତିପକ୍ଷକୁ ଅପମାନିତ ନକରି ପରାଜିତ କରିବାରେ ଥିଲେ ସେ ବିଶ୍ବାସୀ। ଜୀବନପ୍ରୀତି ସାଙ୍ଗକୁ ମଣିଷର ମହାନୁଭବତା ଇଚ୍ଛାଶକ୍ତି ଓ ମନୋବଳ ଯେ କ’ଣ ହାସଲ କରିପାରେ ତା’ର ମୂର୍ତ୍ତିମନ୍ତ ଉଦାହରଣ ମାଣ୍ଡେଲା, ଯାହାଙ୍କ ଭିତରେ ଆବ୍ରାହମ ଲିଙ୍କନଙ୍କ ସଂଘର୍ଷ ଓ ଗାନ୍ଧୀଙ୍କ ସଂକଳ୍ପ ଠାବ କରିହୁଏ। ନିଜର ଓ ଲୋକଙ୍କର ମୁକ୍ତି ପାଇଁ ବନ୍ଧୁର ଓ ବହୁଦୂର ଯାତ୍ରାରେ ସିଏ ପଡ଼ି ଥକି ଯାଇନଥିଲେ; ବରଂ ଉଠି, ସଜାଡ଼ି ନିଜକୁ ସାବ୍ୟସ୍ତ କରିଥିଲେ। ଜୀବନରେ ଆଦୌ ନ ପଡ଼ିବା ବା ପଡ଼ିଯିବା ଗୁରୁତ୍ବପୂର୍ଣ୍ଣ ନୁହେଁ; ଗୁରୁତ୍ବପୂର୍ଣ୍ଣ ହେଲା ପଡ଼ିସାରି ଉଠିବା, ଚାଲିବା ଓ ଅଗ୍ରସର ହେବା। ମଣିଷ ମାଣ୍ଡେଲାଙ୍କ ଜୀବନ ଓ ମହାତ୍ମା ପଣିଆ ଆଉ କ’ଣ କି?

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories