www.samajalive.in
Sunday, December 7, 2025
23.1 C
Bhubaneswar

ମହାମାରୀରେ ମଞ୍ଚ ଅନ୍ଧାର; ସୁଟିଂ ଦେଇଛି ରୋଜଗାର

ଭୁବନେଶ୍ବର (ଗୋପୀନାଥ ବାରିକ୍‌): ମହାମାରୀ କରୋନା ଛଡ଼ାଇ ନେଇଛି ପେସା। ସାତ ମାସ ପରେ କେମିତି ଅଛନ୍ତି ଯାତ୍ରା କଳାକାର। ଗୋଟିଏ ପଟେ ମଞ୍ଚ ଅନ୍ଧାର ଥିବାବେଳେ ଅନ୍ୟ ପଟେ କଳାକାରଙ୍କ ଜୀବନ ଜୀବିକା ଅନ୍ଧକାର ଭିତରକୁ ଠେଲି ହୋଇଯାଇଛି। ଅନେକ କଳାକାରଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି। ପରିବାରର ବୋଝ ସେମାନଙ୍କୁ ଭାରାକ୍ରାନ୍ତ କରିବା ସହ ଭବିଷ୍ୟତକୁ ନେଇ ସେମାନେ ଚିନ୍ତାରେ ପଡ଼ିଛନ୍ତି। ସିନେମା ହଲ୍‌ ଖୋଲିବାକୁ ନେଇ ଆଶା-ଆଶଙ୍କା ପରିଲକ୍ଷିତ ହୋଇଥିବାବେଳେ କେବେ ଯାତ୍ରା ପରିବେଷଣ ନେଇ ଅନୁମତି ମିଳିବ ତାହା ମଧ୍ୟ ବଡ଼ ପ୍ରଶ୍ନବାଚୀ ହୋଇ ଛିଡ଼ା ହୋଇଛି। ତେବେ କିଛି କଳାକାର ପେସା ବଦଳାଇ ପରିବାର ପ୍ରତିପୋଷଣ ନିମନ୍ତେ ଛୋଟମୋଟ ବ୍ୟବସାୟକୁ ଆପଣାଇଛନ୍ତି। ସେପଟେ ଯାତ୍ରା କଳାକାର କଲ୍ୟାଣ ସମିତି ମଧ୍ୟ କଳାକାରଙ୍କୁ ଆତ୍ମନିର୍ଭରଶୀଳ ହେବା ନିମନ୍ତେ ରାସ୍ତା ଦେଖାଇଛି। ତେବେ ଏହି ସମୟରେ କିଛି ଯାତ୍ରା କଳାକାର ସୁଟିଂକୁ ଆପଣାଇ ନେଇଛି। ଯାତ୍ରା ଜଗତର ଅତି ପରିଚିତ କଳାକାରଙ୍କୁ ଛୋଟ ପରଦାରେ ଦେଖି ତାଙ୍କ ପ୍ରିୟ ଦର୍ଶକ ଉଲ୍ଲସିତ ହେଉଛନ୍ତି। ଏଭଳି ସଙ୍କଟ ସମୟରେ ସୁଟିଂ କିଛିମାତ୍ରାରେ ରୋଜଗାର ଦେଇଛି ବୋଲି କିଛି କଳାକାର ମତ ରଖିଛନ୍ତି। ସେହିପରି ଯାତ୍ରା ବନ୍ଦ ଥିବାବେଳେ ବିଭିନ୍ନ ଚାନେଲରେ ଯାତ୍ରା ପ୍ରସାରିତ ହେଉଥିବାରୁ କିଛି ସଂସ୍ଥା ଓ ଯାତ୍ରାନୁଷ୍ଠାନ ଏବେ ଯାତ୍ରା ନାଟକ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ଯେଉଁଥିରେ କଳାକାରମାନେ ରୋଜଗାର ପାଇବାର ରାସ୍ତା ଖୋଲିଛି।

ଯାତ୍ରା ଜଗତର ଲୋକପ୍ରିୟ ଖଳନାୟକ ଦୈତାରି ପଣ୍ଡା ଏବେ ମଞ୍ଜରୀର ମେଗା ଧାରାବାହିକ ‘ସିଂହଦ୍ବାର’ରେ ଏକ ପ୍ରମୁଖ ଭୂମିକାରେ ଆସୁଛନ୍ତି। ପ୍ରସ୍ତୁତି ପଥେ ଥିବା ଏହି ଧାରାବାହିକ ଶୀଘ୍ର ପ୍ରସାରିତ ହେବ ବୋଲି ସୂଚନା ମିଳିଛି। ସେହିପରି ଏହି ଧାରାବାହିକରେ ଅନ୍ୟତମ ଲୋକପ୍ରିୟ ଖଳନାୟକ ରାଇମୋହନ ପରିଡ଼ାଙ୍କୁ ମଧ୍ୟ ଭିନ୍ନ ଭୂମିକାରେ ଦେଖିବାକୁ ମିଳିବ। ରାଇ ଧାରାବାହିକ ସହ ନୂଆ ଚିତ୍ର ‘ତୋ ପାଇଁ କିଛି ବି..’ରେ ମୁଖ୍ୟ ଖଳନାୟକ ଭାବେ ଅଭିନୟ କରୁଛନ୍ତି। ଯାତ୍ରା ଜଗତର ଲୋକପ୍ରିୟ ନାୟକ ଗୌର ଦାସ ଏବେ ଜୀ ସାର୍ଥକ୍‌ର ମେଗା ଧାରାବାହିକ ‘ଦିବ୍ୟଦୃଷ୍ଟି’ରେ ଏକ ଦମ୍‌ଦାର ଭୂମିକାରେ ଅବତୀର୍ଣ୍ଣ ହୋଇଥିବାବେଳେ ଅଭିନେତ୍ରୀ ପ୍ରତିଭା ମହାରଣା ଓରଫ ରିଙ୍କିଙ୍କୁ ମେଗା ଧାରାବାହିକ ‘ଦୁର୍ଗା’ରେ ଦେଖିବାକୁ ମିଳୁଛି। ଯାତ୍ରା ପରିବେଷଣ ବନ୍ଦ ପରେ ସେ ଫଳ ଦୋକାନ କରି ପରିବାର ଚଳାଉଥିଲେ। ତରଙ୍ଗ କର୍ତ୍ତୃପକ୍ଷ ଏ ସମ୍ପର୍କରେ ଜାଣିବା ପରେ ତାଙ୍କୁ ଉକ୍ତ ଧାରାବାହିକରେ ସୁଯୋଗ ଦେଇଛନ୍ତି। ଯାତ୍ରା ଜଗତର ଯୁବ ପିଢ଼ିର ହାସ୍ୟାଭିନେତା ଗୁରୁପ୍ରସାଦ ପୃଷ୍ଟିଙ୍କୁ ହାସ୍ୟରସାତ୍ମକ ଧାରାବାହିକ ‘ଏକ୍ସକ୍ୟୁଜ୍‌ ମି’ରେ ପପୁ ପମପମଙ୍କ ସହ ଦେଖିବାକୁ ମିଳିଥିବାବେଳେ ଖୁବ୍‌ଶୀଘ୍ର ନନ୍ଦିଘୋଷ ଟିଭିରେ ପ୍ରସାରିତ ହେବାକୁ ଥିବା ‘ବାଞ୍ଛାବୁଢ଼ାର ନ୍ୟୁଜ୍‌ ଆନାଲିସିସ୍‌’ରେ ତାଙ୍କୁ ଦେଖିବାକୁ ମିଳିବ। ସେହିପରି ଲୋକପ୍ରିୟ ହାସ୍ୟାଭିନେତା ଦୟାନିଧି ଉପାଧ୍ୟାୟ ନ୍ୟୁଜ୍‌ ୭ର ଏକ ହାସ୍ୟରସାତ୍ମକ କାର୍ଯ୍ୟକ୍ରମରେ ଅଭିନୟ କରିଥିବାବେଳେ ତାହା ଶୀଘ୍ର ପ୍ରସାରିତ ହେବ ବୋଲି ସୂଚନା ମିଳିଛି। ଯାତ୍ରା ଜଗତର ଆକ୍ସନ୍‌ ହିରୋ ଭାବେ ପରିଚିତ ହାପି କର ଓ ତାଙ୍କ ଗାୟିକା ପତ୍ନୀଙ୍କୁ ବିଭିନ୍ନ ମ୍ୟୁଜିକ୍‌ ଭିଡିଓରେ ଦେଖିବାକୁ ମିଳୁଥିବାବେଳେ ନାୟକ ଲରେନ୍ସ ପୂଜା ପାଇଁ ପ୍ରସ୍ତୁତ ହେଉଥିବା ଏକ ଚଳଚ୍ଚିତ୍ରରେ ନାୟକ ସାଜିଛନ୍ତି। ଯାତ୍ରା ଜଗତର ଜୁନିୟର ବାବୁଶାନ ଭାବେ ପରିଚିତ ସୌମ୍ୟରଞ୍ଜନ ମିଶ୍ର କ୍ଷୁଦ୍ର ଚଳଚ୍ଚିତ୍ର ପ୍ରସ୍ତୁତିରେ ମନୋନିବେଶ କରିଛନ୍ତି। ଯାତ୍ରାର ଅନ୍ୟତମ ଚର୍ଚ୍ଚିତ ଚେହେରା ରାନୀ ପଣ୍ଡା ଏବେ ମଞ୍ଜରୀରେ ପ୍ରସାରିତ ‘ବଜରଙ୍ଗୀ କଲୋନୀ’ରେ ଅଭିନୟ କରୁଛନ୍ତି।

- Advertisement -

ବିଭିନ୍ନ ଚାନେଲ ପାଇଁ ଯାତ୍ରା ନାଟକର ପ୍ରସ୍ତୁତି ଚାଲୁ ରହିଥିବାବେଳେ ଏଥିରେ ଯାତ୍ରା ଜଗତର ପରିଚିତ କଳାକାର – ଦୈତାରୀ ପଣ୍ଡା, ସଞ୍ଜୟ ଭୋଳ, କାହ୍ନା-ଟିକି, ଭିକାରି, ଗୌର ଦାସ, ଜିତୁ, ମୁନା-ନମିତା, ଟୁକୁନା-ଲିପି, ଶୁଭେନ୍ଦୁ-ଟିକିନା, ଲିଜା ପଣ୍ଡା, ସାନମଣି, ନରି ପଣ୍ଡା ପ୍ରମୁଖ ବ୍ୟସ୍ତ ଥିବା ସୂଚନା ମିଳିଛି। ସେହିପରି ନାଟ୍ୟ ନିର୍ଦେଶକ କିଶୋର ଖଣ୍ଡୁଆଳ, ପ୍ରଦୀପ ବେହେରା, ଗୁରୁ ପ୍ରସାଦ ମିଶ୍ର, ଶାନ୍ତନୁ ଓଝା ପ୍ରମୁଖ ମଧ୍ୟ ଚାନେଲ ପାଇଁ ପ୍ରସ୍ତୁତ ହେଉଥିବା ଯାତ୍ରା ନାଟକ ପ୍ରସ୍ତୁତିରେ ସାମିଲ ହୋଇଛନ୍ତି। ଯାତ୍ରା କଳାକାର କଲ୍ୟାଣ ସମିତି କଳାକାରଙ୍କୁ ଏଭଳି ମହାମାରୀ ସମୟରେ ସହାୟତା ପାଇଁ ଦାବି ଜଣାଇଥିଲେ ହେଁ ଏଯାଏଁ ସରକାର ଏଥିପ୍ରତି ଦୃଷ୍ଟି ଦେଇନାହାନ୍ତି। ତେଣୁ ଏଭଳି ସ୍ଥିତିରେ ସୁଟିଂ କିଛି ପରିମାଣରେ କଳାକାରଙ୍କୁ ସହାୟତା କରୁଛି ବୋଲି କହିଛନ୍ତି ଯାତ୍ରା ଜଗତର ଲୋକପ୍ରିୟ କଳାକାର ଦୈତାରୀ ପଣ୍ଡା।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories