ରାହୁଳଙ୍କୁ ବ୍ୟକ୍ତିଗତ ଆକ୍ଷେପ: ଦଳୀୟ ନେତାଙ୍କୁ ପଦରୁ ହଟାଇଲେ ମାୟାବତୀ
ଲକ୍ଷ୍ନୌ: ରାହୁଳ ଗାନ୍ଧି ଓ ସୋନିଆ ଗାନ୍ଧିଙ୍କ ବିରୋଧରେ ମନ୍ତବ୍ୟ ଦେବା ମହଙ୍ଗା ପଡ଼ିଲା ଜନୈକ ବିଏସପି ନେତାଙ୍କ ପାଇଁ। ବିଏସପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଜୟପ୍ରକାଶ ଲକ୍ଷ୍ନୌରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ରାହୁଳ ତାଙ୍କ ମା’ଙ୍କ ପରି ଦେଖିବାକୁ ହୋଇଥିବାରୁ ତାଙ୍କୁ ରାଜନୈତିକ ସଫଳତା କେବେବି ମିଳିବ ନାହିଁ। ସୋନିଆଙ୍କ ପରି ରାହୁଳଙ୍କ ଶରୀରରେ ବିଦେଶୀ ରକ୍ତ ପ୍ରବାହିତ ହେଉଛି। ତେଣୁ ଭାରତୀୟ ରାଜନୀତିରେ ରହୁଳ କେବେବି ସଫଳତା ପାଇବେ ନାହିଁ। ଜୟପ୍ରକାଶଙ୍କ ଏଭଳି ମନ୍ତବ୍ୟ ଗଣମାଧ୍ୟମଠାରୁ ଆରମ୍ଭ କରି ରାଜନୈତିକସ୍ତରରେ ବ୍ୟାପକ ଚର୍ଚ୍ଚାର କେନ୍ଦ୍ର ପାଲଟିଥିଲା। ୨୦୧୯ ସାଧାରଣ ନିର୍ବାଚନରେ ବିଜେପିକୁ ଘେରିବାକୁ ଅନ୍ୟାନ୍ୟ ରାଜନୈତିକ ଦଳର ମେଣ୍ଟର ବାସ୍ତବତାକୁ ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହୋଇଥିଲା। ଫଳରେ ମଙ୍ଗଳବାର ସକାଳେ ବିଏସପି ସୁପ୍ରିମୋ ମାୟାବତୀ ଜୟପ୍ରକାଶଙ୍କୁ ଦଳର ସମସ୍ତ ପଦରୁ ହଟାଇଛନ୍ତି। ଜୟପ୍ରକାଶଙ୍କ ଏଭଳି ମନ୍ତବ୍ୟ ବିଏସପି ବିଚାରଧାରା ବିରୋଧୀ ବୋଲି ମାୟାବତୀ ତାଙ୍କ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ।
କଂଗ୍ରେସ ବିଏସପି ସହ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ମେଣ୍ଟ କରି ନିର୍ବାଚନ ରଣାଙ୍ଗନରେ ଓହ୍ଲାଇବାକୁ ସ୍ଥିର କରିଛି। ଏଭଳି ପରିସ୍ଥିତିରେ ୟୁପିର ବିଏସପି ନେତା ଜୟପ୍ରକାଶ ରାହୁଳ ଗାନ୍ଧିଙ୍କୁ ଜଣେ ଅସଫଳ ନେତା ଭାବେ ସର୍ବସାଧାଣରେ ପ୍ରକାଶ କରିବା ମେଣ୍ଟ ରାଜନୀତିକୁ ପ୍ରଭାବିତ କରିବାର ସମ୍ଭାବନା ଦେଖା ଦେଇଥିଲା। ଫଳରେ ବାଧ୍ୟ ହୋଇ ମାୟାବତୀ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ଚର୍ଚ୍ଚା ଜୋର ଧରିବାରେ ଲାଗିଛି। ଅପରପକ୍ଷରେ ଜୟପ୍ରକାଶଙ୍କୁ ଦଳୀୟ ପଦରୁ ହଟାଇବା ମାୟାବତୀଙ୍କୁ ମଧ୍ୟ ଆଗାମୀ ଦିନରେ ମହଙ୍ଗା ପଡ଼ିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ। ବିଏସପି ଦଳରେ ଜୟପ୍ରକାଶ ଜଣେ ଟାଣୁଆ ନେତା ହୋଇଥିବାବେଳେ ତାଙ୍କୁ ମାୟାବତୀଙ୍କ ଏଭଳି ବ୍ୟବହାର ବିଜେପି ପରି ଦଳ ପାଇଁ ସୁଯୋଗ ଆଣି ଦେଇଛି।