ସମ୍ବଲପୁର : ରାଜ୍ୟ ସରକାର ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ‘ଗୋପବନ୍ଧୁ କାର୍ଯ୍ୟରତ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା’ ବିଗତ ଦୁଇ ବର୍ଷ ହେଲା ଲାଗୁ କରିଛନ୍ତି। ରାଜ୍ୟ ସରକାରଙ୍କ ଏହି ଯୋଜନା ଦ୍ୱାରା ଅନେକ କାର୍ଯ୍ୟରତ ସାମ୍ବାଦିକ ଚିକିତ୍ସା ସୁବିଧା ପାଇ ପାରିଛନ୍ତି। ତେବେ ରାଜ୍ୟ ସରକାର ୨୦୧୯ – ୨୦୨୦ ବର୍ଷ ପାଇଁ ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସ କୋ. ଲି. ବୀମା କମ୍ପାନୀ ସହିତ ଚୁକ୍ତି ସ୍ୱାକ୍ଷର କରି ବୀମା ସୁବିଧା ଯୋଗାଇ ଦେଇଥିଲେ। କିନ୍ତୁ ଏହି ବୀମାର ଅବଧି ଗତ ୩୧ ଅଗଷ୍ଟରେ ଶେଷ ହୋଇଯାଇଛି। ଏଣୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମାକୁ ତୁରନ୍ତ ନବୀକରଣ କରିବାକୁ ଦାବି କରିଛି ସମ୍ବଲପୁର ଜିଲା ସାମ୍ବାଦିକ ସଂଘ। ସମ୍ବଲପୁର ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରେରିତ ପତ୍ର ଅନୁଯାୟୀ, ସମସ୍ତ ସାମ୍ବାଦିକ ମାନେ ରାଜ୍ୟ ସରକାର ବିଗତ ଦୁଇ ବର୍ଷ ହେବ ସ୍ୱାସ୍ଥ୍ୟ ବୀମା ସୁବିଧା ଯୋଗାଇ ଦେଇଥିବାରୁ ଧନ୍ୟବାଦ ଅର୍ପଣ କରିଛନ୍ତି। ଏବେ କରୋନା ମହାମାରୀ ଯୋଗୁଁ ବହୁ ସାମ୍ବାଦିକ ସଂକ୍ରମିତ ହେଉଛନ୍ତି ଏବଂ ଚିକିତ୍ସାରତ ରହିଛନ୍ତି। ଏଭଳି ଘଡିସନ୍ଧି ମୁହୁର୍ତ୍ତରେ ସାମ୍ବାଦିକ ଓ ତାଙ୍କର ପରିବାରବର୍ଗ କୋଭିଡ – ୧୯ ଭଳି ରୋଗର ବ୍ୟୟବହୁଳ ଖର୍ଚ୍ଚ ଉଠାଇବାରେ ସମର୍ଥ ହେଉ ନାହାନ୍ତି। ଫଳରେ ସେମାନେ ଜରୁରୀକାଳିନ ପରିସ୍ଥିତିରେ ଚିକିତ୍ସା ସୁବିଧାରୁ ବଞ୍ଚିତ ହେଉଛନ୍ତି। ଏଣୁ ଏହି ସଙ୍କଟଜନକ ପରିସ୍ଥିତିକୁ ଦୃଷ୍ଟିରେ ରଖି ତୁରନ୍ତ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ନବୀକରଣ କରି ତୁରନ୍ତ ବୀମା ସୁବିଧା ଯୋଗାଇ ଦେବାକୁ ସଂଘର ସଭାପତି ସୁବାଷ ଚନ୍ଦ୍ର ପାଣିଗ୍ରାହୀ, ସାଧାରଣ ସମ୍ପାଦକ ଶଙ୍କର ବେହେରା, ଅମଳେନ୍ଦୁ ନାୟକ ଙ୍କ ସମେତ ସଦସ୍ୟ ମାନେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି।
ସାମ୍ବାଦିକ ସ୍ୱାସ୍ଥ୍ୟ ବୀମାର ତୁରନ୍ତ ନବୀକରଣ ପାଇଁ ସମ୍ବଲପୁର ଜିଲା ସାମ୍ବାଦିକ ସଂଘର ଦାବି
Popular Categories



