www.samajalive.in
Saturday, December 6, 2025
23.1 C
Bhubaneswar

ରେକର୍ଡ ରନ୍‍ର ପିଛାକରି ଜିତିଲା ରାଜସ୍ଥାନ

ଶାରଜା : ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍) ଇତିହାସରେ ସର୍ବାଧିକ ୨୨୪ ରନ୍‍ର ପିଛାକରି ବିଜୟୀ ହୋଇଛି ରାଜସ୍ଥାନ ରୟାଲ୍‍ସ। ରବିବାର ଖେଳା ଯାଇଥିବା ମ୍ୟାଚ୍‍ରେ କିଙ୍ଗ୍‍ସ ଏକାଦଶ ପଞ୍ଜାବକୁ ୪ ୱିକେଟରେ ରାଜସ୍ଥାନ ପରାସ୍ତ କରିଛି। ଏହି ବିଜୟ ସହ ୧୨ ବର୍ଷ ତଳର ତା’ର ନିଜ ରେକର୍ଡକୁ ରାଜସ୍ଥାନ ରୟାଲ୍‍ସ ଭାଙ୍ଗିପାରିଛି। ୨୦୦୮ରେ ଡେକାନ୍‍ ଚାର୍ଜର୍ସ ବିପକ୍ଷରେ ୨୧୫ ରନ୍‍ର ପିଛାକରି ରାଜସ୍ଥାନ ଜିତିଥିଲା; ଯେଉଁ ରେକର୍ଡ ଏହି ମ୍ୟାଚ୍‍ରେ ଭଙ୍ଗ ହୋଇଛି। କ୍ରମାଗତ ୨ୟ ମ୍ୟାଚ୍‍ରେ ପଞ୍ଜାବ ୨ ଶହରୁ ଅଧିକ ରନ୍‍ କରି ପାରିଥିଲା। ଓପ୍‍ନର ମୟଙ୍କ ଅଗ୍ରୱାଲଙ୍କ ଶତକ ଓ କେ.ଏଲ୍‍. ରାହୁଲଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ୨ ୱିକେଟ୍‍ ହରାଇ ୨୨୩ ରନ୍‍ କରଥିଲା। ଆଇପିଏଲ୍‍ ରେକର୍ଡ ୨୨୪ ରନ୍‍ ବିଜୟଲକ୍ଷ୍ୟର ପିଛାକରି ସଞ୍ଜୁ ସାମ୍‍ସନ, ଷ୍ଟିଭେନ୍‍ ସ୍ମିଥ୍‍ ଓ ରାହୁଲ ତିୱତିଆଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ରାଜସ୍ଥାନ ରୟାଲ୍‍ସ ୩ଟି ବଲ୍‍ ବାକିଥାଇ ୬ ୱିକେଟ ହରାଇ ଜିତି ପାରିଥିଲା। ରାଜସ୍ଥାନ କ୍ରମାଗତ ୨ୟ ମ୍ୟାଚ୍‍ ଜିତିଥିବା ବେଳେ ପଞ୍ଜାବ ୩ୟ ମ୍ୟାଚ୍‍ରେ ୨ୟ ପରାଜୟ ଭୋଗିଛି।
ଟସ୍‍ ଜିତି ରାଜସ୍ଥାନ ରୟାଲ୍‍ସ ଫିଲ୍‍ଡିଂ ନେଇଥିଲା। ପଞ୍ଜାବର ଦୁଇ ଓପ୍‍ନର କେ.ଏଲ୍‍. ରାହୁଲ ଓ ମୟଙ୍କ ଅଗ୍ରୱାଲ ଆରମ୍ଭରୁ ଆକ୍ରମଣ କରିଥିଲେ। ୧୫ଶ ଓଭରରେ ୪୫ ବଲ୍‍ରେ ମୟଙ୍କ ଶତକ ପୂରଣ କରିଥିଲେ। ୧୬.୩ ଓଭରରେ ୧୮୩ ରନ୍‍ର ଓପ୍‍ନିଂ ଭାଗିଦାରୀ ପରେ ମୟଙ୍କ ଅଗ୍ରୱାଲ ଆଉଟ ହୋଇଥିଲେ। ମୟଙ୍କ ୫୧ ବଲ୍‍ରୁ ୭ଟି ଛକା ଓ ୧୦ଟି ଚୌକା ସହ ୧୦୭ ରନ୍‍ କରିଥିଲେ। ୧୮ଶ ଓଭରରେ ଆଉଟ ହୋଇଥିବା କେ.ଏଲ୍‍. ରାହୁଲ ୫୪ ବଲ୍‍ରୁ ଗୋଟିଏ ଛକା ଓ ୭ଟି ଚୌକା ସହ ୬୯ ରନ୍‍ କରିଥିଲେ। ୨୨୪ ରନ୍‍ର ପାହାଡ଼ ଅତିକ୍ରମ କରିବା ଲକ୍ଷ୍ୟରେ ରାଜସ୍ଥାନ ରୟାଲ୍‍ସର ଓପ୍‍ନର ଓହ୍ଲାଇଥିଲେ। ରାଜସ୍ଥାନର ଅଧିନାୟକ ଷ୍ଟିଭେନ୍‍ ସ୍ମିଥ୍‍ ଓ ଗତ ମ୍ୟାଚ୍‍ର ହିରୋ ସଞ୍ଜୁ ସାମ୍‍ସନ ବାଉଣ୍ଡରୀ ବର୍ଷା କରିଥିଲେ। ୨୭ ବଲ୍‍ରେ ସାମ୍‍ସନ ଅର୍ଦ୍ଧଶତକ ପୂରଣ କରିଥିଲେ। ଶେଷ ୫ ଓଭରରୁ ୮୪ ରନ୍‍ ଆବଶ୍ୟକ ଥିଲା। ୧୭ଶ ଓଭରରେ ଆଉଟ ହୋଇଥିବା କେରଳର ସାମ୍‍ସନ ୪୨ ବଲ୍‍ରୁ ୭ଟି ଛକା ଓ ୪ଟି ଚୌକା ସହ ୮୫ ରନ୍‍ କରିଥିଲେ। ଆରମ୍ଭରୁ ଧିମା ବ୍ୟାଟିଂ କରିଥିବା ରାହୁଲ ତିୱତିଆ ୧୮ଶ ଓଭରରେ ସେଲ୍‍ଡନ କଟ୍ରେଲ ବୋଲିଂ କରିଥିବା ଓଭରରେ ୫ଟି ଛକା ମାରିଥିଲେ। ପରେ ରାହୁଲ ତିୱତିଆ ଓ ଜୋଫ୍ରା ଆର୍ଚର ଦଳକୁ ବିଜୟଲକ୍ଷ୍ୟରେ ପହଞ୍ଚାଇଥିଲେ। ଏକଦା ୨୩ ବଲ୍‍ରୁ ୧୭ ରନ୍‍ କରିଥିବା ବାମହାତି ତିୱତିଆ ୩୧ ବଲ୍‍ରୁ ୭ଟି ଛକା ସହ ୫୩ ରନ୍‍ କରିଥିଲେ। ଆର୍ଚର ୩ ବଲ୍‍ରୁ ୨ଟି ଛକା ସହ ୧୩ ରନ୍‍କରି ଅପରାଜିତ ଥିଲେ। ମହମ୍ମଦ ସାମି ୨ଟି ୱିକେଟ ପାଇଥିଲେ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories