www.samajalive.in
Sunday, December 14, 2025
23.1 C
Bhubaneswar

ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଦାବି

-ଉଦ୍ଧବଙ୍କୁ ରାବଣ ସହିତ ତୁଳନା କଲେ କଙ୍ଗନା
– ଆଜି ରାଜ୍ୟପାଳଙ୍କୁ ଭେଟି ଫେରାଦ ହେବେ
 -ବିମାନ ଚଳାଚଳ ବନ୍ଦ ପାଇଁ ଇଣ୍ଡିଗୋକୁ ତାଗିଦା

ମୁମ୍ବଇ: ଶିବସେନା ତଥା ମହାରାଷ୍ଟ୍ର ସରକାରଙ୍କ ଆକ୍ରୋଶର ଶିକାର ହୋଇଥିବା ଅଭିନେତ୍ରୀ କଙ୍ଗନା ରଣାୱତ ରବିବାର ରାଜ୍ୟପାଳ ଭଗତ ସିଂହ କୋଶିଆରୀଙ୍କୁ ସାକ୍ଷାତ କରିବେ ବୋଲି ସୂଚନା ମିଳିଛି। ରବିବାର ଅପରାହ୍ଣ ୪ଟା ୩୦ରେ ସେ ରାଜଭବନରେ ରାଜ୍ୟପାଳଙ୍କୁ ଭେଟିବେ। ସେ ଆସନ୍ତା ୧୪ ତାରିଖରେ ମୁମ୍ବଇ ଛାଡ଼ି ହିମାଚଳ ପ୍ରଦେଶର ମଣ୍ଡିସ୍ଥିତ ନିଜ ଘରକୁ ଫେରିବା ପୂର୍ବରୁ ସ୍ଥିତି ସମ୍ପର୍କରେ ରାଜ୍ୟପାଳଙ୍କୁ ଅବଗତ କରିବେ ବୋଲି କହିଛନ୍ତି। ଶନିବାର ସେ ପୁନର୍ବାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ନିଜ ଟ୍ବିଟର ମାଧ୍ୟମରେ ଆକ୍ରମଣ କରିବା ସହ ତାଙ୍କୁ ଅତ୍ୟାଚାରୀ ରାବଣ ବୋଲି ସଚିତ୍ର ଦର୍ଶାଇଛନ୍ତି। ଏତଦ୍‌ବ୍ୟତୀତ ସେ ନିଜେ ରାଣୀ ଲକ୍ଷ୍ମୀବାଈ ଓ ଛତ୍ରପତି ଶିବାଜୀଙ୍କ ପଦାଙ୍କ ଅନୁସରଣ କରିବେ ବୋଲି ମରାଠୀ ଭାଷାରେ ଲେଖିଛନ୍ତି। ସେ ପୋଷ୍ଟ କରିଥିବା ଚିତ୍ର ନିର୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଦ୍ବାରା ଅଙ୍କିତ ବୋଲି ଜଣାପଡ଼ିଛି।
ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାୱାନଙ୍କ ପୁଅ ଚିରାଗ ପାୱାନ ସାମ୍ପ୍ରତିକ ପରିସ୍ଥିତିରେ ମହାରାଷ୍ଟ୍ର ସରକାରକୁ ବହିଷ୍କାର କର ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରାଯିବା ଉଚିତ ବୋଲି କହିଛନ୍ତି। ଶୁକ୍ରବାର ଜଣେ ପୂର୍ବତନ ନୌବାହିନୀ ଅଧିକାରୀଙ୍କୁ ଶିବସେନା ନେତାମାନେ ଆକ୍ରମଣ କରିଥିଲେ। ଏଥିରେ ସେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ଏହି ଘଟଣାରେ ଅଟକ ଥିବା ଶିବସେନାର ୬ ନେତାଙ୍କୁ ଶନିବାର ଅଦାଲତରେ ଜାମିନ ମିଳିଯାଇଛି। ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଶନିବାର ସମ୍ପୃକ୍ତ ନୌବାହିନୀ ଅଧିକାରୀ ତଥା ତାଙ୍କ ପରିବାର ସଦସ୍ୟଙ୍କ ସହିତ ଫୋନ୍‌ ଯୋଗେ ଆଲୋଚନା କରିଛନ୍ତି। ରାଜ୍ୟରେ ସରକାରୀ ପ୍ରାୟୋଜିତ ଆତଙ୍କବାଦ ଚାଲିଥିବା କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍‌। ପୂର୍ବରୁ କେନ୍ଦ୍ରମନ୍ତ୍ରୀ ରାମଦାସ ଅଥୱାଲେ ରାଜ୍ୟପାଳଙ୍କୁ ଭେଟି କଙ୍ଗନାଙ୍କୁ କାର୍ଯ୍ୟାଳୟ ଭଙ୍ଗା ବାବଦ କ୍ଷତିପୂରଣ ବ୍ୟବସ୍ଥା କରାଇବାକୁ ଜଣାଇଥିଲେ। ଅନ୍ୟପକ୍ଷରେ ଗତ ୯ତାରିଖରେ ମୁମ୍ବଇ ଆସିବାବେଳେ ଇଣ୍ଡିଗୋ ବିମନରେ କଙ୍ଗନାଙ୍କ ଫଟୋ ଳଉଠାଇବା ନେଇ ସାମ୍ବାଦିକ ଓ ଅନ୍ୟମାନଙ୍କ ଭିଡ଼ ଘଟଣାରେ ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ (ଡିଜିସିଏ) ଇଣ୍ଡିଗୋ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତ୍ତି ନେଇଛନ୍ତି। ଦୁଇ ସପ୍ତାହ ପାଇଁ ଇଣ୍ଡିଗୋର ଘରୋଇ ବିମାନ ଚଳାଚଳ ନିଲମ୍ବିତ ହେବ ବୋଲି ଡିଜିସିଏ ମହାନିର୍ଦେଶକ ଏକ ପତ୍ର​‌େ​‌ର ସ୍ପଷ୍ଟ କରିଛନ୍ତି। ଶୁକ୍ରବାର ଇଣ୍ଡିଗୋ ପକ୍ଷରୁ ଡିଜିସିଏଙ୍କ ନିକଟରେ ଲିଖିତ ଜବାବ ପ୍ରଦାନ କରାଯାଇଥିଲା; କିନ୍ତୁ କେଉଁମାନେ ବିମାନରେ କରୋନା ମାର୍ଗଦର୍ଶିକା ଉଲ୍ଲଙ୍ଘନ କରିଥିଲେ ତାହା ଦର୍ଶାଯାଇ ନ ଥିଲା। ଇଣ୍ଡିଗୋ ସେମାନଙ୍କୁ ଠାବ କରି ଦଣ୍ଡବିଧାନ କରା ନ କଲେ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବ ବୋଲି ଡିଜିସିଏ ପକ୍ଷରୁ କୁହାଯାଇଛି।
ଅପରପକ୍ଷରେ ଶିବସେନା ପକ୍ଷରୁ ଏହା ମୁଖପତ୍ର ‘ସାମ୍‌ନା’ରେ ଲେଖାଯାଇଛି ଯେ କେବଳ କଙ୍ଗନା ନୁହନ୍ତି; ଦେଶର ବିଭିନ୍ନ କ୍ଷେତ୍ରରେ କଳାକାରମାନେ ଆସି ମୁମ୍ବଇରେ ନାମ ଓ ଅର୍ଥ କମାଇଛନ୍ତି। ସେମାନେ ମୁମ୍ବଇରେ ନିଜର ଅଟ୍ଟାଳିକା ନିର୍ମାଣ କରିଛନ୍ତି ଓ ‘ଦାଦା ସାହେବ ଫଲ୍‌କେ’ ପୁରସ୍କାର ବିଜୟୀ ହୋଇଛନ୍ତି। କୌଣସି କଳାକାର ଜାତି କିମ୍ବା ଧର୍ମ ଭିତ୍ତିରେ ସଫଳତା ପାଇଥିବାର ପ୍ରମାଣ ନାହିଁ। ଏଭଳି ସ୍ଥିତିରେ କଙ୍ଗନାଙ୍କ ଅଭିଯୋଗ ଭିତ୍ତିହୀନ ବୋଲି ଏଥିରେ ଉଲ୍ଲେଖ ରହିଛି। ସେନା କଂଗ୍ରେସର ଛତ୍ରଚ୍ଛାୟା ତଳେ ରହି ତାଙ୍କୁ ନିର୍ଯାତିତ କରୁଛି ବୋଲି କଙ୍ଗନା ଅଭିଯୋଗ କରିଛନ୍ତି। ପୂର୍ବରୁ ସେ ଶିବସେନାକୁ ସୋନିଆ ସେନା ବୋଲି ଅଭିହିତ କରିଥିଲେ। ଏହି କଙ୍ଗନା-ଶିବସେନା ବିବାଦରେ ଦଳର କୌଣସି ନେତା ମୁହଁ ନ ଖୋଲିବାକୁ କଂଗ୍ରେସ ପକ୍ଷରୁ ନିର୍ଦେଶ ଦିଆଯାଇଛି। ପ୍ରଥମ ବଳିଉଡ୍‌ ବ୍ୟକ୍ତିତ୍ବ ଭାବେ କଙ୍ଗନାଙ୍କୁ ୱାଇ-ପ୍ଲସ ସୁରକ୍ଷା ଦିଆଯିବା ପ୍ରସଙ୍ଗରେ ଶନିବାର ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ସ୍ବରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ଜି କିଷନ ରେଡ୍ଡୀ କହିଛନ୍ତି ଯେ କଙ୍ଗନାଙ୍କୁ ଶିବସେନା ପକ୍ଷରୁ ଧମକ ଦିଆଯିବା ପରେ ତ‌ାଙ୍କ ବାପା ହିମାଚଳ ପ୍ରଦେଶ ରାଜ୍ୟ ସରକାରଙ୍କୁ ସୁରକ୍ଷା ଯୋଗାଇଦେବାକୁ ଅନୁରୋଧ କରିଥିଲେ। ରାଜ୍ୟ ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର ଏହି ଭିତ୍ତିରେ କେନ୍ଦ୍ର ସରକାରଙ୍କୁ ନିବେଦନ କରିଥିଲେ; ତେବେ ଏହି ସୁରକ୍ଷା ବ୍ୟବସ୍ଥା ବାବଦ ଖର୍ଚ୍ଚ କିଏ ବହନ କରିବେ ସେ ନେଇ ମନ୍ତ୍ରୀ କିଛି ସ୍ପଷ୍ଟ କରି ନାହାନ୍ତି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories