www.samajalive.in
Saturday, December 13, 2025
18.1 C
Bhubaneswar

ଶିକ୍ଷା ପାଇଁ ଭିକ୍ଷା କରୁଛନ୍ତି ସାଧୁ ; ନିଜେ ପଢ଼ିଛନ୍ତି ପଞ୍ଚମ, ବାଣ୍ଟୁଛନ୍ତି ଶିକ୍ଷାର ଆଲୋକ

ସୋନପୁର: ନିଜର ଶିକ୍ଷାଗତ ଯୋଗ୍ୟତା ମାତ୍ର ପଞ୍ଚମ। କିନ୍ତୁ ବଣପାହାଡ ଘେରା ନିପଟ ମଫସଲ ତଥା ଅନୁନ୍ନତ ଅଞ୍ଚଳରେ ସାଜିଛନ୍ତି ଶିକ୍ଷାର ଆଲୋକବର୍ତ୍ତିକା। ନିଜର ପ୍ରଚେଷ୍ଟା ସହ ଅଞ୍ଚଳବାସୀଙ୍କ ସହଯୋଗରେ ସେହି ବଣ ପାହାଡ ଘେରା ଅଞ୍ଚଳରେ ପ୍ରତିଷ୍ଠା କରିଛନ୍ତି ପ୍ରାୟ ଦେଢ କୋଟି ଟଙ୍କା ମୂଲ୍ୟର ଏକ ଶିକ୍ଷାନୁଷ୍ଠାନ। ମାଗଣାରେ ଶିକ୍ଷା ଗ୍ରହଣ କରୁଛନ୍ତି ଅଞ୍ଚଳର ଦୁଇ ଶହରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, ଶିକ୍ଷାନୁଷ୍ଠାନରେ ବର୍ତ୍ତମାନ ୫୦ ଜଣ ପିତାମାତା ସ୍ନେହ ଶ୍ରଦ୍ଧାରୁ ବଞ୍ଚିତ ମାଗଣାରେ ରହି ଶିକ୍ଷା ଗ୍ରହଣ କରିବାର ସୁଯୋଗ ପାଇଛନ୍ତି। ଆଉ ଏହି ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିଛନ୍ତି ସୁବର୍ଣ୍ଣପୁର ଜିଲା ସଦର ବ୍ଲକ ଛକୋରମାଲ ପଞ୍ଚାୟତ ଅନ୍ତର୍ଗତ ବିଶେଶ୍ୱରପାଲିର ୬୩ ବର୍ଷୀୟ ମହିମାଧର୍ମୀ ସାଧୁ ପ୍ରଣବାନନ୍ଦ ଦାସ। ଭୀମଭୋଇଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଏହି ବିଦ୍ୟାଳୟ ସ୍ଥାପନା କରିଥିବା ସେ କହନ୍ତି। ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ, ସ୍ଥାନୀୟ ଅଧିବାସୀ, ନେତା ତଥା ପ୍ରଶାସନର ସହଯୋଗର ଏହି ବିଦ୍ୟାଳୟ ଚାଲିଥିବା ସାଧୁ ପ୍ରଣବାନନ୍ଦ ପ୍ରକାଶ କରିଛନ୍ତି।
ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ୧୯୯୨ରେ ସେ ଆରମ୍ଭ କରିଥିଲେ ଭୀମଭୋଇ ଅନାଥାଶ୍ରମ ବିଦ୍ୟାଳୟ। ଏହି ବିଦ୍ୟାଳୟରେ ବର୍ତ୍ତମାନ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ବେଳେ ଛାତ୍ରଛାତ୍ରୀଙ୍କୁ ମାଗଣାରେ ରହିବା ବ୍ୟବସ୍ଥା ସହ ଶିକ୍ଷାଦାନର ବ୍ୟବସ୍ଥା ମଧ୍ୟ ରହିଛି। ବର୍ତ୍ତମାନ କରୋନା ମହାମାରୀ
ପାଇଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ସମ୍ପୂର୍ଣ୍ଣ ବନ୍ଦ ରହିଥିଲେ ସୁଦ୍ଧା ଏହି ବିଦ୍ୟାଳୟରେ ଏବେବି ୪୪ ଜଣ ଛାତ୍ରଛାତ୍ରୀ ହଷ୍ଟେଲରେ ରହିଛନ୍ତି। ନିଜର ନିଃସ୍ୱାର୍ଥପର ସେବା ସାଙ୍ଗକୁ ଅଞ୍ଚଳରେ ଶିକ୍ଷାର ବିକାଶରେ ଅଣ୍ଟା ଭିଡିଥିବା ସାଧୁ ପ୍ରଣବାନନ୍ଦ ପ୍ରଥମେ ଅଞ୍ଚଳର ଲୋକଙ୍କ ସହଯୋଗ କାମନା କରିବା ପରେ ଏହି ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ବିଶେଶ୍ୱରପାଲିର ଶ୍ରୀରାମ ମହାକୁଡ ଜମିଦାନ କରିବା ସହ ମାଟିଆପାଲିର ଗଉଁତିଆ ପରୀକ୍ଷିତ ଦନ୍ତା ସ୍କୁଲ ପ୍ରତିଷ୍ଠାରେ ସମସ୍ତ ସାହାଯ୍ୟ ସହଯୋଗର ହାତ ବଢାଇଥିଲେ। ୧୯୯୨ରେ ବିନିକାର ତତ୍କାଳୀନ ବିଧାୟକ ତଥା ବର୍ତ୍ତମାନର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ପ୍ରଥମ ଥର ପାଇଁ ଏଠାରେ ଆରମ୍ଭ ହୋଇଥିବା ଆଶ୍ରମ ପରିଦର୍ଶନ କରି ବିଧାୟକ ପାଣ୍ଠିରୁ ୫୦ ହଜାର ଟଙ୍କା ସ୍କୁଲ କୋଠା ନିର୍ମାଣ ପାଇଁ ଦାନ କରିଥିଲେ। ସ୍ଥାନୀୟ ଜନସାଧାରଣଙ୍କ ଆକୁଣ୍ଠ ସହଯୋଗ ସହ ଜିଲା ମିଲର୍ସ ଏସୋସିଏସନ, ମାରୱାଡି ଯୁବାମଞ୍ଚ ବଲାଙ୍ଗିର ଶାଖା, ଲଛିପୁରର ଛଡ ସିମେଣ୍ଟ ବ୍ୟବସାୟୀ ସତ୍ୟନାରାୟଣ ହୋତା, ଖଲିଆପାଲିର ସ୍ୱର୍ଗତ ଛତ୍ରଧାରୀ ଅଗ୍ରୱାଲ, ସୋନପୁରର ଦେବାଶିଷ ଗୁରୁ, ମନୋଜ ଅଗ୍ରୱାଲ, ଡବଲଙ୍ଗର ଦୁର୍ଯ୍ୟୋଧନ କୁମ୍ଭାର, ଫାର୍ମାସିଷ୍ଟ ପ୍ରଦୀପ କୁମାର ନୁଆଁଇ, ସୋନପୁର କଲେଜର ପ୍ରାକ୍ତନ ଅଧ୍ୟକ୍ଷା ରେଣୁକା ମିଶ୍ରଙ୍କ ସମେତ ବଗରଡ ଜିଲା ପଦମପୁରର ଡାକ୍ତର ସଞ୍ଜିବ କୁମାର ଦୋରା ପ୍ରମୁଖଙ୍କ ନିଷ୍ଠାପର ସହଯୋଗ ସାଙ୍ଗକୁ ସ୍ଥାନୀୟ ବିଧାୟକ, ସାଂସଦ ଓ ଜିଲା ପ୍ରଶାସନର ସହଯୋଗରେ ବର୍ତ୍ତମାନ ଏହି ଶିକ୍ଷାନୁଷ୍ଠାନ ଧୀରେ ଧୀରେ ନିଜର କାୟା ବିସ୍ତାର କରି ଚାଲିଛି। ଏପରିକି ଏହି ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ଜଣେ ଛାତ୍ର ଦିଲ୍ଲୀର ଏକ ସରକାରୀ କଲେଜ ଅଧ୍ୟକ୍ଷ ପଦରେ ରହି ଥିବାରୁ ସେ ମଧ୍ୟ ପ୍ରତ୍ୟେକ ବର୍ଷ କିଛି ଆର୍ଥିକ ସାହାଯ୍ୟ ପ୍ରଦାନ କରୁଥିବା ବେଳେ ବିଦ୍ୟାଳୟରୁ ପାସ କରି ସାରିଥିବା କିଛି ଶିକ୍ଷକ ଓ ଇଞ୍ଜିନିୟର ମଧ୍ୟ ସହଯୋଗର ହାତ ବଢାଇଛନ୍ତି।
ବର୍ତ୍ତମାନ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସରକାରୀ ସ୍ୱୀକୃତି ପାଇ ସାରିଥିବା ଏହି ଶିକ୍ଷାନୁଷ୍ଠାନଟି ୪ ଏକର ପରିମିତ ଜମିରେ ରହିଥିବା ବେଳେ ଏଠାରେ ରହିଛି ୧୨ କୋଠରି ବିଶିଷ୍ଟ ଏକ ହଷ୍ଟେଲ, ୫ ଟି ବିରାଟ ବିରାଟ ଶ୍ରେଣୀଗୃହ, ରୋଷେଇ ଗୃହ, ଛାତ୍ର ଓ ଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ। ଶିକ୍ଷାନୁଷ୍ଠାନର କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ୨୯ ଲକ୍ଷ ଟଙ୍କା ହଷ୍ଟେଲ ନିର୍ମାଣ ପାଇଁ ଯୋଗାଇ ଦେଇ ସାରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, ଏଠାରେ ପିତାମାତା ସ୍ନେହରୁ ବଞ୍ଚିତ ଶିଶୁମାନେ ରହୁଥିବାରୁ ଆବଶ୍ୟକ ସରକାରୀ ଅନୁମତି ମଧ୍ୟ ମିଳିସାରିଛି ସମ୍ପୃକ୍ତ ବିଭାଗଠାରୁ। ଶିକ୍ଷାନୁଷ୍ଠାନରେ ବର୍ତ୍ତମାନ ୧୯ଜଣ ଶିକ୍ଷକଶିକ୍ଷୟିତ୍ରୀ ରହିଥିଲେ ବି ସେମାନେ ମଧ୍ୟ ଅଧିକ ଅର୍ଥ ଦାବି ନ କରି ଏକ ସେବା ମନୋଭାବ ନେଇ ନିଷ୍ଠାପର ଭାବେ ଆଜି ପର୍ଯ୍ୟନ୍ତ ଶିକ୍ଷାଦାନ କରି ଚାଲିଛନ୍ତି। ସରକାରୀ ନିୟମ ଅନୁଯାୟୀ ଉଭୟ ଶିକ୍ଷାନୁଷ୍ଠାନ ଓ ହଷ୍ଟେଲ ପାଇଁ ରହିଛି ଗୋଟିଏ ପରିଚାଳନା କମିଟି। ସାଧୁ ପ୍ରଣବାନନ୍ଦ ଏହି ପରିଚାଳନା କମିଟିର ମୁଖ୍ୟ ଭାବରେ ବର୍ତ୍ତମାନ କାର୍ଯ୍ୟ କରୁଛନ୍ତି। ଏହି ଶିକ୍ଷାନୁଷ୍ଠାନ ସମ୍ପର୍କରେ ସାଧୁ ପ୍ରଣବାନନ୍ଦ ଦାସ କହନ୍ତି, ଭୀମଭୋଇଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଏଭଳି ଶିକ୍ଷାନୁଷ୍ଠାନ ଗଢିବାର ପ୍ରେରଣା ପାଇଛନ୍ତି। ତେଣୁ ତାଙ୍କ ଜୀବନ ପଛେ ନର୍କରେ ପଡ଼ିଯାଉ, କିନ୍ତୁ ଶିକ୍ଷାନୁଷ୍ଠାନଟି ବଞ୍ଚି ରହୁ। ଆଉ ଏଥିପାଇଁ ସେ ଅଞ୍ଚଳରେ ଶିକ୍ଷା ପାଇଁ ଭିକ୍ଷା କରୁଛନ୍ତି ବୋଲି ଅତ୍ୟନ୍ତ ଖୁସିରେ କହିଛନ୍ତି।

Hot this week

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

Related Articles

Popular Categories