ନୱାଜ ସରିଫଙ୍କ ଗିରଫଦାରୀ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡି

0

ଇସାଲାମାବାଦ : ପାନାମା ପେପର ପ୍ରଘଟ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଏନ୍‍ଏବି୍‍ ଅଦାଲତ ଦ୍ୱାରା ଜେଲ ଦଣ୍ଡ ପାଇଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଶୁକ୍ରବାର ସ୍ୱଦେଶ ଫେରୁଛନ୍ତି। ଲାହୋର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଗିରଫ କରାଯିବ। ତାଙ୍କ ଗିରଫଦାରୀ ପାଇଁ ପାକିସ୍ତାନରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଉଲ୍ଲେଖ ଯେ ବହୁ ଚର୍ଚ୍ଚିତ ଆଭେନ୍‍ଫିଲ୍ଡ ଦୁର୍ନୀତି ମାମଲାରେ ନୱାଜ ସରିଫଙ୍କୁ ୧୦ବର୍ଷ ଜେଲ୍‍ ଦଣ୍ଡାଦେଶ ହୋଇଥିବାବେଳେ ତାଙ୍କର ରାଜନୈତିକ ଉତ୍ତରାଧିକାରୀ ଭାବେ ବିବେଚିତ ଝିଅ ମାରିଅମ ମ ନୱାଜଙ୍କୁ ୭ବର୍ଷ ଓ ଜ୍ୱାଇଁ କ୍ୟାପ୍‍ଟେନ୍‍ ସଫଦରଙ୍କୁ ବର୍ଷେ ଜେଲ୍‍ ଦଣ୍ଡାଦେଶ ହୋଇଛି। ଶୁଣାଣି ବେଳେ ସେ ପତ୍ନୀର ଚିକିତ୍ସା ନିମନ୍ତେ ଲଣ୍ଡନରେ ଥିଲେ। ଶୁକ୍ରବାର ସ୍ୱଦେଶ ଫେରିବା ପୂର୍ବରୁ ନୱାଜ ସରିଫ ନିଜ ଝିଅ ମାରିଅମ ସହ ଲଣ୍ଡନଠାରେ ପାକିସ୍ତାନର ଇଣ୍ଟରନ୍ୟାସନାଲ ଦ ନ୍ୟୁଜକୁ ଏକ ସାକ୍ଷାତାକର ଦେଇଥିଲେ। ସେ କହିଥିଲେ ଯେ ପତ୍ନୀକୁ ଅଚେତ ଅବସ୍ଥାରେ ଛାଡ଼ି ସ୍ୱଦେଶ ଫେରୁଛି। ଅର୍ଥାତ ଏକ ଉଦ୍ଦେଶ୍ୟ ନେଇ ପାକିସ୍ତାନ ଫେରୁଛି। ଜନତା ମୋ ଉଦ୍ଦେଶ୍ୟ ଜାଣିଛନ୍ତି। ପହଞ୍ଚିବା ପରେ ଲାହୋରଠାରେ ମୋତେ ଗିରଫ କରାଯାଇପାରେ। ହେଲେ ମୁଁ ସମ୍ଭାବ୍ୟ ପରିଣାମ ପାଇଁ ପ୍ରସ୍ତୁତ ରହିଛି।

ଏପଟେ ପାକିସ୍ତାନ ସରକାର ଲାହୋର ଏବଂ ଇସଲାମାବାଦଠାରେ ଦୁଇଟି ହେଲିକପ୍ଟର ପ୍ରସ୍ତୁତ କରି ରଖିଛିନ୍ତି । ପହଞ୍ଚିବା ପରେ ଝିଅଙ୍କ ସହ ନୱାଜଙ୍କୁ ଗିରଫ କରି ଆକାଶ ମାର୍ଗରେ ରାୱଲପିଣ୍ଡିସ୍ଥିତ ଅଦିୟାଲା ଜେଲକୁ ନିଆଯିବ।

ନୱାଜ ସାକ୍ଷାତକାର ସମୟରେ କହିଛନ୍ତି ଯେ ସମର୍ଥକମାନେ ତାଙ୍କୁ ବିଶ୍ୱାସ କରନ୍ତି। ମୁଁ ସମସ୍ତ ଦୁର୍ନୀତି ଅଭିଯୋଗରୁ ନିର୍ଦୋଷରେ ଖଲାସ ହେବି। ଲାହୋର ବିମାନ ବନ୍ଦରରେ ମୋର ୧୦,୦୦୦ ସମର୍ଥକ ପହଞ୍ଚିଛନ୍ତି। ସେମାନଙ୍କୁ ଅଟକାଇବାକୁ ପଞ୍ଜାବ ସରକାର କଠୋର କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। ଲାହୋର ବିମାନ ବନ୍ଦରକୁ ସଂଯୋଗ କରୁଥିବା ସଡ଼କକୁ ବନ୍ଦ କରିଦିଆଯାଇଛି। ପାକିସ୍ତାନ ଫେରୁଥିବା ଶୁଣି ମୋ ଶତ୍ରୁମାନେ ଭୟଭୀତ ହୋଇ ପଡିଛନ୍ତି।
ପ୍ରକାଶଯୋଗ୍ୟ ଯେ ପାନାମା ଗେଟ୍‍ ମାମଲାରେ ପାକିସ୍ତାନ ସୁପ୍ରିମକୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ପୂର୍ବକ ଗତ ବର୍ଷ ଜୁଲାଇ ମାସରେ ନୱାଜ ସରିଫ ପ୍ରଧାନମନ୍ତ୍ରୀ ପଦରୁ କ୍ଷମତାଚ୍ୟୁତ ହୋଇଥିଲେ। ସରିଫଙ୍କ ଗିରଫ ହେଲେ ତାଙ୍କ ଦଳ ‘ପିଏମ୍‍ଏଲଏନ୍‍’ ଚଳିତ ମାସ ୨୫ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ପ୍ରଭାବିତ ହେବାର ଆଶଙ୍କା ରହିଛି।
୧୯୯୦ ଦଶକରେ ସରିଫଙ୍କ ପରିବାର ଲଣ୍ଡନର ପ୍ରମୁଖ ସ୍ଥାନ ଆଭେନଫିଲ୍ଡଠାରେ ୪ଟି ଦାମୀ ସମ୍ପତ୍ତି (ବୃହତ୍‍ ଆପାର୍ଟମେଣ୍ଟ) କ୍ରୟ କରିଥିଲେ। ଏହି ଆପାର୍ଟମେଣ୍ଟ କ୍ରୟରେ ବାସ୍ତବରେ କେତେ ଅର୍ଥ ବ୍ୟୟ ହୋଇଛି ସେ ସଂକ୍ରାନ୍ତ ତଥ୍ୟ ଉପସ୍ଥାପନ କରିବାରେ ସରିଫ ଓ ପରିବାର ବ୍ୟର୍ଥ ହୋଇଥିଲେ। ଏନ୍‍ଏବି ନିଜ ପକ୍ଷରୁ ସ୍ୱତନ୍ତ୍ର ପ୍ରତିନିଧିଙ୍କ ମାଧ୍ୟମରେ ଏହାର ମୂଲ୍ୟାୟନ କରିଥିଲେ। ସରିଫ ଦର୍ଶାଇଥିବା ମୂଲ୍ୟ ତୁଳନାରେ ଏହାର ବାସ୍ତବ ମୂଲ୍ୟ ବହୁ ପରିମାଣରେ ଅଧିକ ହୋଇଥିବାର ପ୍ରମାଣ ମିଳିବା ପରେ ଅଦାଲତ ସରିଫଙ୍କ ଉପରେ ୧୦.୬ନିୟୁତ ଡଲାର(୮ନିୟୁତ ପାଉଣ୍ଡ) ଓ ମାରିଅମଙ୍କ ଉପରେ ୨.୬ନିୟୁତ ଡଲାର(୨ନିୟୁତ ପାଉଣ୍ଡ) ଜୋରିମାନା ଧାର୍ଯ୍ୟ କରିଥିଲେ। ଗତ ଶୁକ୍ରବାର ଅର୍ଥାତ ଜୁଲାଇ ୬ରେ ‘ଜାତୀୟ ଏକାଉଣ୍ଟେବିଲିଟି ବ୍ୟୁରୋ’ ବା ଏନ୍‍ଏବି ଅଦାଲତ ଏହି ମାମଲାରେ ସରିଫଙ୍କ ସହ ଝିଅ, ଜ୍ୱାଇଁଙ୍କୁ ଜେଲଦଣ୍ଡ ଶୁଣାଇଥିଲେ।

Leave A Reply