ନୋ ଫ୍ଲାଇଙ୍ଗ ଜୋନ୍‍ ପ୍ରସ୍ତାବକୁ ନାଁ

0

ପୁରୀ : ରଥଯାତ୍ରା ସମୟରେ ପୁରୀକୁ ‘ନୋ ଫ୍ଲାଇଙ୍ଗ ଜୋନ୍‍’ ଘୋଷଣା ପ୍ରସ୍ତାବକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପ୍ରତ୍ୟାଖ୍ୟାନ କରିଛି। ଭୌଗୋଳିକ ସ୍ଥିତି ଅନୁଯାୟୀ ଶ୍ରୀମନ୍ଦିର ଓ ବଡ଼ଦାଣ୍ଡ ଉପରେ ବିମାନ ଚଳାଚଳ ପଥ ରହିଥିବା କୁହାଯାଇଛି। ୩୫ହଜାର ଫୁଟ ଉପରେ ବିମାନ ଚଳାଚଳ କରୁଥିବାରୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତି ବିପଦ ଆଶଙ୍କା ନଥିବା ବିଭାଗୀୟ ଅଧିକାରୀ ଯୁକ୍ତି ବାଢିଛନ୍ତି। ଜରୁରୀ ପରିସ୍ଥିତିରେ ଯଦି ୧୦୦୦ଫୁଟ ତଳକୁ ବିମାନ ଚଳାଚଳ ହ୍ରାସ ପାଏ ତେବେ ଆଗୁଆ ସୂଚନା ଦିଆଯିବ ବୋଲି ମନ୍ତ୍ରଣାଳୟ ପ୍ରକାଶ କରିଛି। ରଥଯାତ୍ରା ସମୟରେ ଶ୍ରୀମନ୍ଦିର ଉପରେ ବିମାନ ଚଳାଚଳ ନିଷିଦ୍ଧ ଘୋଷଣା ପାଇଁ ପୁଲିସ ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। କେନ୍ଦ୍ର ସରକାର ତାହାକୁ ଅଗ୍ରାହ୍ୟ କରିଥିବା ଆରକ୍ଷୀ ଅଧିକ୍ଷକ ଡାକ୍ତର ସାର୍ଥକ କୁମାର ଷଡଙ୍ଗୀ ଗୁରୁବାର ସୂଚନା ଦେଇଛନ୍ତି।

ଠାକୁରଙ୍କ ସମ୍ମୁଖରେ ଛିଡ଼ାହେବେନି ସେବକ

ପୁରୀ : ଚତୁର୍ଦ୍ଧାମୂର୍ତ୍ତି ରଥରେ ବିଜେ କରିଥିବା ବେଳେ କୌଣସି ସେବକ ତାଙ୍କ ସମ୍ମୁଖରେ ଛିଡାହେବେ ନାହିଁ। ଜନସାଧାରଣଙ୍କ ନିର୍ବିଘ୍ନ ଦର୍ଶନ ପାଇଁ ଏପରି କଟକଣା ଜାରି କରାଯାଇଥିବା ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି। ଏଥିନେଇ ଗୁରୁବାର ସମସ୍ତ ସେବକ ନିଯୋଗ କର୍ମକର୍ତ୍ତାଙ୍କୁ ଚିଠିଲେଖି ଜଣାଇ ଦିଆଯାଇଛି। ରଥଉପରେ ଅତ୍ୟଧିକ ସେବକ ଛିଡାହୋଇ ରହୁଥିବାରୁ ଭକ୍ତଙ୍କ ଦର୍ଶନରେ ବାଧା ସୃଷ୍ଟି ହେଉଛି। ତେଣୁ ରଥଉପରେ କେବଳ ନୀତି ସଂପୃକ୍ତ ସେବକ ଏବଂ କର୍ତ୍ତବ୍ୟରତ କର୍ମଚାରୀ ରହିବାକୁ ଅନୁମତି ଦିଆଯିବ। ରଥରେ ସେବା ନଥିବା କୌଣସି ସେବକ ଉପରକୁ ଚଢିବେ ନାହିଁ। ଏହି କଟକଣା କଡାକଡି ଭାବେ କାର୍ଯ୍ୟକାରୀ କରାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ରଥରେ ମହାପ୍ରଭୁଙ୍କୁ ସ୍ପର୍ଶ ମନା

ପୁରୀ : ଶ୍ରୀଜୀଉ ରଥରେ ବିଜେ କରିଥିବା ବେଳେ କୌଣସି ଅନଧିକୃତ ବ୍ୟକ୍ତି ସ୍ପର୍ଶ କରିପାରିବେ ନାହିଁ। ପହଣ୍ଡି ସମୟରେ ମଧ୍ୟ ଏହି କଟକଣା ବଳବତ୍ତର ରହିବ। ରଥଉପରେ ଅଣସେବକଙ୍କ ଚଢିବା ଉପରେ ନିଷେଧାଦେଶ ଜାରି କରାଯାଇଛି। ତେଣୁ ଶ୍ରୀଜୀଉଙ୍କ ପହଣ୍ଡି ସମୟରେ ୨ଟି କର୍ଡନ କରାଯିବ। ରଥ ଚତୁଃପାର୍ଶ୍ବରେ ଲୁହା ବ୍ୟାରିକେଡ୍‍ କରାଯିବା ସହ ସଶସ୍ତ୍ର ପୁଲିସ ବାହିନୀ ସୁରକ୍ଷା ଦାୟିତ୍ୱରେ ରହିବେ। ଜଗତ୍‍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଏବଂ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦେଶକୁ ଭିତ୍ତିକରି ଶ୍ରୀମନ୍ଦିର ପ୍ରଶାସନ ଏପରି ନିଷ୍ପତ୍ତି ଗ୍ରହଣ କରିଛି। କଟକଣା ଉଲ୍ଲଂଘନ କରି ଶ୍ରୀଜୀଉଙ୍କୁ ସ୍ପର୍ଶ କିମ୍ବା ରଥରେ ଚଢିଲେ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯିବ ବୋଲି ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି।

Leave A Reply