ଦିନିକିଆ ସିରିଜ୍‍: ଭାରତ ପାଇଁ ୧ନଂ ମାନ୍ୟତା ସୁଯୋଗ

0

ଦୁବାଇ : ଗୁରୁବାରଠାରୁ ଘରୋଇ ଇଂଲଣ୍ଡ ବିରୋଧରେ ଭାରତ ୩ ମ୍ୟାଚ୍‍ର ଦିନିକିଆ ସିରିଜ୍‍ ଖେଳିବ। ଏହି ସିରିଜ୍‍କୁ ଯଦି ବିରାଟ କୋହଲିଙ୍କ ଦଳ ୩-୦ରେ ପୋଛିନିଏ; ତେବେ ଇଂଲଣ୍ଡଠାରୁ ଏହା ଆଇସିିସି ଦିନିକିଆ ମାନ୍ୟତାର ୧ନଂ ସ୍ଥାନ ଛଡ଼ାଇ ଆଣିବ। ତେବେ ଭାରତ ଯଦି ୨-୧ରେ ସିରିଜ୍‍ ଜିତେ; ତଥାପି ଇଂଲଣ୍ଡ ୧ନଂ ଦିନିକିଆ ଦଳ ହୋଇରହିବ। ଭାରତ ଯଦି ଏହି ସିରିଜ୍‍ରେ ପରାସ୍ତହୁଏ; ତଥାପି ଏହା ୨ୟ ସ୍ଥାନରେ ରହିବ। ବର୍ତ୍ତମାନ ଦିନିକିଆ ମାନ୍ୟତାରେ ଇଂଲଣ୍ଡ ୧ନଂ ସ୍ଥାନରେ ଥିବା ବେଳେ ଭାରତ ୨ୟ ସ୍ଥାନରେ ରହିଛି। ସୂଚନାଯୋଗ୍ୟ; ଗତ ମେ’ ୨ରେ ଭାରତଠାରୁ ଇଂଲଣ୍ଡ ୧ନଂ ଦିନିକିଆ ଦଳ ମାନ୍ୟତା ଛଡ଼ାଇ ନେଇଥିଲା। ଦିନିକିଆ ସିରିଜ୍‍ ପୂର୍ବରୁ ଟ୍ୱେଣ୍ଟି୨୦ ସିରିଜ୍‍କୁ ଭାରତ ୨-୧ରେ ଜିତିନେଇଛି। ପୁଣି ଚଳିତମାସରେ ୧୦ଟି ଦଳ ଦିନିକିଆ ମ୍ୟାଚ୍‍ ଖେଳୁଥିବାରୁ ଆଇସିସି ଦିନିକିଆ ମାନ୍ୟତାରେ ଏପଟ ସେପଟ ହୋଇପାରେ। ଏହାସହ ଦିନିକିଆ ବ୍ୟାଟ୍‍ସମ୍ୟାନ୍‍ ମାନ୍ୟତାରେ ୧ନଂ ସ୍ଥାନରେ ଥିବା ଭାରତୀୟ ଅଧିନାୟକ ବିରାଟ କୋହଲି ଭଲ ପ୍ରଦର୍ଶନ କରି ୧ନଂ ସ୍ଥାନ ବଜାୟ ରଖିବାକୁ ଚାହିଁବେ। ୪ର୍ଥ ସ୍ଥାନରେ ଥିବା ଭାରତୀୟ ଓପ୍‍ନର ରୋହିତ ଶର୍ମା ଏଥିରେ ଉନ୍ନତି କରିବାକୁ ଚାହିଁବେ। ଅନ୍ୟପକ୍ଷରେ ଇଂଲଣ୍ଡର ଜୋ ରୁଟ୍‍ ଏବେ ୬ଷ୍ଠ ସ୍ଥାନରେ ଥିବା ବେଳେ ଭଲ ପ୍ରଦର୍ଶନ କରି ୫ମ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡର ରସ୍‍ ଟେଲରଙ୍କୁ ଅତିକ୍ରମ କରିବାକୁ ଚାହିଁବେ। ଅନ୍ୟପକ୍ଷରେ ୧ନଂ ଦିନିକିଆ ବୋଲର ମାନ୍ୟତା ପାଇଥିବା ଭାରତର ଯଶପ୍ରୀତ ବୁମ୍‍ରା ଆଙ୍ଗୁଠି ଆଘାତ ଯୋଗୁଁ ଏହି ସିରିଜ୍‍ ଖେଳୁନଥିବାରୁ ୧ନଂ ମାନ୍ୟତା ପାଇବାକୁ ଅନ୍ୟ ବୋଲରଙ୍କ ପାଖରେ ସୁଯୋଗ ରହିଛି।

Leave A Reply