ସୁପ୍ରିମକୋର୍ଟରେ ୩୭୭ ଧାରାର ସାମ୍ବିଧାନିକ ବୈଧତା ନେଇ ଶୁଣାଣି ଆରମ୍ଭ

0

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ମଙ୍ଗଳବାରଠାରୁ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ତାଲିକାଭୁକ୍ତ କରୁଥିବା ଭାରତୀୟ ପିଙ୍ଗଳ କୋଡ୍‍ ଧାରା ୩୭୭ର ସାମ୍ବିଧାନିକ ବୈଧତା ନେଇ ଶୁଶାଣି ଆରମ୍ଭ ହୋଇଛି।
ଶୁଣାଣି ଘୁଞ୍ଚାଇବା ଲାଗି କେନ୍ଦ୍ର ସରକାରଙ୍କ ଆବେଦନକୁ ସୁପ୍ରିମକୋର୍ଟ ସୋମବାର ଖାରଜ କରିଦେଇଥିଲେ। ଫଳରେ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ମଙ୍ଗଳବାର ଏହି ଶୁଣାଣି ହୋଇଛି। ଗୋଟିଏ ପକ୍ଷ ‘ପରମ୍ପରା ଏବଂ ସଂସ୍କୃତି ନାମରେ ଏହାକୁ ଅପରାଧ ବୋଲି ବିବେଚନା କରିବାକୁ ଯୁକ୍ତି ଉପସ୍ଥାପନ କରୁଛନ୍ତି। ଅନ୍ୟ ଏକ ପକ୍ଷ ଏହା ଜଣଙ୍କ ବ୍ୟକ୍ତିଗତ ଏବଂ ଗୋପନୀୟ ଅଧିକାର ହୋଇଥିବାରୁ ଅପରାଧ ତାଲିକାରୁ ହଟାଇବାକୁ ଦାବି କରିଛନ୍ତି। ପ୍ରଧାନ ବିଚାରପତି ଦୀପକ ମିଶ୍ର, ଜଷ୍ଟିସ୍‍ ଆର୍‍ଏଫ୍‍ ନାରିମାନ, ଏକେ ଖାନୱିଲକାର, ଡିୱାଇ ଚନ୍ଦ୍ରଚୂଡ଼ ଏବଂ ଇନ୍ଦୁ ମାଲହୋତ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ ୩୭୭ ବୈଧ କି ନାହିଁ ତାହା ପରୀକ୍ଷା କରାଯାଉଛି ବୋଲି କହିଥିଲେ।
ପ୍ରକାଶ ଯେ ପ୍ରାପ୍ତ ବୟସ୍କଙ୍କ ମଧ୍ୟରେ ସମଲିଙ୍ଗୀ ସମ୍ପର୍କ ଅପରାଧ ନୁହେଁ ବୋଲି ୨୦୦୯ରେ ଦିଲ୍ଲୀ ହାଇକୋର୍ଟ ଦେଇଥିବା ରାୟକୁ ସର୍ବୋଚ୍ଚ ନ୍ୟାୟାଳୟ ୨୦୧୩ରେ ଖାରଜ କରି ଦେଇଥିଲେ। ମାତ୍ର ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ବିରୋଧରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ସମୀକ୍ଷା ଆବେଦନ ହୋଇଥିଲା। ତାହା ମଧ୍ୟ ଖାରଜ ହୋଇଯିବା ପରେ ପ୍ରଭାବିତ ପକ୍ଷମାନେ ମୂଳ ରାୟର ପୁନଃ ସମୀକ୍ଷା ଲାଗି ଏକ କ୍ୟୁରେଟିଭ୍‍ (ଉପଚାରାତ୍ମକ) ଆବେଦନ କରିଥିଲେ। ଏହି ମାମଲା ଉପରେ ନିଜର ପ୍ରତିକ୍ରିୟା ଉପସ୍ଥାପନ କରିବାକୁ ଅଧିକ ସମୟ ଆବଶ୍ୟକ ବୋଲି ଦର୍ଶାଇ କେନ୍ଦ୍ର ମାମଲାର ଶୁଣାଣି ଘୁଞ୍ଚାଇବାକୁ ନିବେଦନ କରିଥିଲା। ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ପୀଠ ସୋମବାର ଆବେଦନଟିକୁ ରଦ୍ଦ କରିଦେଇଥିଲେ। ଫଳରେ ମଙ୍ଗଳବାରଠାରୁ ମାମଲାର ଶୁଣାଣି ଆରମ୍ଭ ହୋଇଛି।
ସୁପ୍ରିମକୋର୍ଟ ଖଣ୍ଡପୀଠ କହିଛନ୍ତି ଯେ ଶୁଣାଣି ୩୭୭ର ସାମ୍ବିଧାନିକ ବୈଧତା ନେଇ ସୀମିତ ରହିବ। କୌଣସି ଅଧିକାରକୁ ନେଇ ଶୁଣାଣି ହେବନାହିଁ। ମାମଲାର ଶୁଣାଣି ସମୟରେ ଯାହା ଆଗକୁ ଆସିବ ତାର ବିଚାର କରାଯିବ।

Leave A Reply