ଭାରତ-ଦକ୍ଷିଣ କୋରିଆ ୪ ବୁଝାମଣାପତ୍ର ସ୍ୱାକ୍ଷର

0

ନୂଆଦିଲ୍ଲୀ : ସମ୍ପ୍ରତି ୪ ଦିନିଆ ଭାରତ ଗସ୍ତରେ ଥିବା ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍‍ ଜାଇ ଇନ୍‍ ଏବଂ ତାଙ୍କ ପତ୍ନୀ କିମ୍‍ ଜଙ୍ଗ୍‍ ସୁକ୍‍ଙ୍କୁ ମଙ୍ଗଳବାର ରାଷ୍ଟ୍ରପତି ଭବନରେ ଭାରତୀୟ ପ୍ରତିପକ୍ଷ ରାମନାଥ କୋବିନ୍ଦ, ତାଙ୍କ ପତ୍ନୀ ସବିତା କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭବ୍ୟ ସମ୍ବର୍ଦ୍ଧନା ଦେଇଛନ୍ତି। ରାଷ୍ଟ୍ରପତି କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ମୁନ୍‍ଙ୍କ ଆଲୋଚନା ପୃଷ୍ଠଭୂମିରେ ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ ୪ଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି। ମୋଦୀ ଏବଂ ମୁନ୍‍ ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା କରିବା ସହିତ ଆଗାମୀ ଦିନରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଓ ଅର୍ଥନୈତିକ ସହଯୋଗିତା ବୃଦ୍ଧି କରିବାକୁ ଏକମତ ହୋଇଛନ୍ତି।
କୋରିଆ ଉପଦ୍ୱୀପରେ ଶାନ୍ତି ପ୍ରତିଷ୍ଠା ପ୍ରକ୍ରିୟା ତ୍ୱରାନ୍ୱିତ କରିଥିବାରୁ ମୁନ୍‍ଙ୍କୁ ମୋଦୀ ଏହି ଅବସରରେ ଭୁରି ପ୍ରଶଂସା କରିଛନ୍ତି। କୋରିଆ ରାଷ୍ଟ୍ର ଦ୍ୱୟ ମଧ୍ୟରେ ଉତ୍ତେଜନା ଦୂର ନିମନ୍ତେ ଭାରତ ସମସ୍ତ ସମ୍ଭାବ୍ୟ ସହଯୋଗ ଯୋଗାଇ ଦେବ ବୋଲି ମୋଦୀ ପ୍ରତିଶ୍ରୁତି ଦେଇଛନ୍ତି। ଶାନ୍ତି ଏବଂ ସ୍ଥିରତା ସ୍ଥାପନ ଦିଗରେ ପରସ୍ପର ସହିତ ଯୋଗାଯୋଗ ରକ୍ଷା ପୂର୍ବକ ଆପୋଷ ସହଯୋଗ ବୃଦ୍ଧି କରିବାକୁ ଉଭୟଙ୍କ ନେତା ନିଷ୍ପତ୍ତି ନେଇଛନ୍ତି। ଦକ୍ଷିଣ କୋରିଆ ଭାରତରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥିବାରୁ ମୁନ୍‍ଙ୍କୁ ମୋଦୀ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି, ଭାରତର ଘରେଘରେ କୋରିଆ କମ୍ପାନୀଗୁଡିକ ପରିଚିତି ଲାଭ କରିଛି। ଦକ୍ଷିଣ କୋରିଆ ଯୋଗୁ ଭାରତର ମେକ୍‍ ଇନ୍‍ ଇଣ୍ଡିଆ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସମ୍ଭବ ହୋଇଛି। ସେହିଭଳି ମୁନ୍‍ କହିଛନ୍ତି, ଚତୁର୍ଥ ଶିଳ୍ପ ବିପ୍ଳବ କ୍ରମେ ସହଯୋଗିତା, ସମ୍ବୃଦ୍ଧି ଏବଂ ଶାନ୍ତିର ପ୍ରସାର ଲାଗି ଭାରତ ଓ ଦକ୍ଷିଣ କୋରିଆ ମିଳିତ ଭାବେ କାର୍ଯ୍ୟ କରିବାକୁ ଦୁଇ ନେତାଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଛି। ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ଦୃଢୀଭୂତ କରିବା ଲାଗି ଦୁଇ ଦେଶ ମଧ୍ୟରେ ଆଗାମୀ ଦିନରେ ଆପୋଷ ସମ୍ମିଳନ ଅନୁଷ୍ଠିତ ହେବ। ଏହାଦ୍ୱାରା ଉଭୟ ଦେଶକୁ ନେତୃବୃନ୍ଦଙ୍କ ନିୟମିତ ଆତଯାତ ଲାଗି ରହିବ। ୨୦୨୦ରେ ମୋଦୀ କୋରିଆ ଗସ୍ତ କରିବେ। ଏହି ଗସ୍ତକୁ ସେ ଉତ୍ସୁକତାର ସହିତ ଅପେକ୍ଷା କରିବେ ବୋଲି ମୁନ୍‍ କହିଛନ୍ତି। ତତ୍‍ସମୟରେ ବହୁସ୍ତରୀୟ ସମ୍ମିଳନ ଦ୍ୱାରା ଉଭୟ ରାଷ୍ଟ୍ରୟ ମଧ୍ୟରେ ଯୋଗାଯୋଗ ନିବିଡ ହେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ମୋଦୀ ଏବଂ ମୁନ୍‍ଙ୍କ ସାକ୍ଷାତ ପୂର୍ବରୁ ଉଭୟ ଦେଶ ମଧ୍ୟରେ ପ୍ରତିନିଧିସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦ୍ୱିପାକ୍ଷିକ ବ୍ୟାପକ ଅର୍ଥନୈତିକ ଅଂଶୀଦାରିତାକୁ ମଜବୁତ କରିବା ଉପରେ ସହମତି ପ୍ରକାଶ ପାଇଛି। ୨୦୩୦ ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟକୁ ୫୦ ବିଲିୟନ୍‍ ଡଲାରରେ ପହଞ୍ଚାଇବା ଲାଗି ଉଭୟ ରାଷ୍ଟ୍ର ମିଳିତ ଭାବେ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି।

Leave A Reply