ଏସୀୟ କ୍ରୀଡା : ଭାରତୀୟ ପୁରୁଷ ହକି ଦଳ ଘୋଷିତ

0

ନୂଆଦିଲ୍ଲୀ : ଅଗଷ୍ଟ ୧୮ରୁ ଇଣ୍ଡୋନେସିଆର ଜାକର୍ତ୍ତା ଓ ପାଲେମବାଙ୍ଗ୍‍ ସହରରେ ୧୮ଶ ଏସୀୟ କ୍ରୀଡା ଆରମ୍ଭ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ସୋମବାର ହକି ଇଣ୍ଡିଆ ପକ୍ଷରୁ ୧୮ ଜଣିଆ ପୁରୁଷ ହକି ଦଳ ଘୋଷଣା କରାଯାଇଛି। ତେବେ ଓଡ଼ିଶାରୁ ଦୁଇଜଣ ଖେଳାଳି ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା ଦଳରେ ସ୍ଥାନ ପାଇଛନ୍ତି। ନିକଟରେ ହଲାଣ୍ଡରେ ଆୟୋଜିତ ଚମ୍ପିଆନ୍ସ ଟ୍ରଫିରେ ଅଂଶଗ୍ରହଣ କରିଥିବା ଭାରତୀୟ ଦଳରେ ମାତ୍ର ଦୁଇଟି ପରିବର୍ତ୍ତନ କରାଯାଇଛି। ପେନାଲଟି କର୍ଣ୍ଣର ସ୍ପେଶାଲିଷ୍ଟ ରୂପିନ୍ଦର ପାଲ ସିଂହ ଓ ଫରୱାର୍ଡ ଆକାଶଦୀପ ସିଂହ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଚମ୍ପିଆନ୍ସ ଟ୍ରଫି ପାଇଁ ରୂପିନ୍ଦରଙ୍କୁ ବିଶ୍ରାମ ଦିଆଯାଇଥିଲା। ବର୍ତ୍ତମାନ ସେ ଜର୍ମନପ୍ରୀତ ସିଂହଙ୍କ ସ୍ଥାନରେ ଦଳକୁ ଫେରିଛନ୍ତି। ଅପରପକ୍ଷରେ ଫରୱାର୍ଡ ରମଣଦୀପ ସିଂହ ଆହତ ହୋଇଥିବାରୁ ତାଙ୍କ ସ୍ଥାନରେ ଆକାଶଦୀପଙ୍କୁ ଦଳରେ ସାମିଲ କରାଯାଇଥିବା ପ୍ରକାଶ। ଚମ୍ପିଆନ୍ସ ଟ୍ରଫି ଖେଳୁଥିବାବେଳେ ରମଣଦୀପ ଡାହାଣ ଆଣ୍ଠୁରେ ଆଘାତ ପାଇଥିଲେ। ଏହି ଦୁଇଟି ପରିବର୍ତ୍ତନ ବ୍ୟତୀତ ଚମ୍ପିଆନ୍ସ ଟ୍ରଫିରେ ଭାରତକୁ ପ୍ରତିନିଧିତ୍ୱ କରିଥିବା ଅନ୍ୟ ଖେଳାଳିମାନେ ନିଜ ସ୍ଥାନ ସୁରକ୍ଷିତ ରଖିପାରିଛନ୍ତି। ଅଭିଜ୍ଞ ଗୋଲରକ୍ଷକ ପି.ଆର.ଶ୍ରୀଜେସ୍‍ ଦଳର ନେତୃତ୍ୱ ନେଉଥିବାବେଳେ ମିଡ୍‍ଫିଲ୍ଡର ଚିଙ୍ଗିଲସାନା ସିଂହଙ୍କ ଉପରେ ଉପଅଧିନାୟକ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ରୂପିନ୍ଦରଙ୍କ ପ୍ରତ୍ୟାବର୍ତ୍ତନ ସମେତ ହରମନପ୍ରୀତ ସିଂହ, ବରୁଣ କୁମାର, ଅମିତ ରୋହିଦାସ , ସୁରେନ୍ଦ୍ର କୁମାର ଓ ବୀରେନ୍ଦ୍ର ଲାକ୍ରାଙ୍କ ଉପସ୍ଥିତି ଭାରତୀୟ ରକ୍ଷଣଭାଗକୁ ଅଧିକ ଶକ୍ତିଶାଳୀ କରିଛି। ମିଡ୍‍ଫିଲ୍ଡ୍‍ରେ ପୂର୍ବତନ ଅଧିନାୟକ ସର୍ଦ୍ଦାର ସିଂହ, ମନପ୍ରୀତ ସିଂହ, ସିମ୍ରନଜିତ ସିଂହ ଓ ବିବେକ ସାଗର ପ୍ରସାଦ ରହିଥିବାବେଳେ ଆକାଶଦୀପ, ଏସ୍‍.ଭି.ସୁନିଲ, ମନଦୀପ ସିଂହ, ଲଳିତ ଉପାଧ୍ୟାୟ ଓ ଦିଲପ୍ରୀତ ସିଂହଙ୍କୁ ନେଇ ଭାରତୀୟ ଫରୱାର୍ଡ ବାହିନୀ ଏସୀୟ କ୍ରୀଡାରେ ଉନ୍ନତ ପ୍ରଦର୍ଶନ କରିବ ବୋଲି ପ୍ରଶିକ୍ଷକ ହରେନ୍ଦ୍ର ସିଂହ ଆଶାବ୍ୟକ୍ତ କରିଛନ୍ତି।
ଭାରତ ପୁଣି ଚମ୍ପିଆନ ହେଲେ ୨୦୨୦ ଟୋକିଓ ଅଲିମ୍ପିକ୍‍ସ ପାଇଁ ସିଧାସଳଖ ଯୋଗ୍ୟତା ହାସଲ କରିବ। ଦଳରେ ଯୁବ ଓ ଅଭିଜ୍ଞ ଖେଳାଳିଙ୍କୁ ସାମିଲ କରାଯାଇଥିବାରୁ ଏହା ଫଳପ୍ରଦ ପ୍ରମାଣିତ ହେବ ବୋଲି ହରେନ୍ଦ୍ର କହିଛନ୍ତି। ବେଙ୍ଗାଲୁରୁରେ ପ୍ରଶିକ୍ଷଣ ସମୟରେ ଭାରତୀୟ ଦଳ ଦକ୍ଷିଣ କୋରିଆ ସହ ପାଞ୍ଚଟି ଓ ନ୍ୟୁଜିଲାଣ୍ଡ ସହ ତିନିଟି ଅଭ୍ୟାସ ମ୍ୟାଚ ଖେଳିବ ବୋଲି ଜଣାପଡିଛି। ଘୋଷିତ ଦଳ: ଗୋଲରକ୍ଷକ-ଶ୍ରୀଜେସ (ଅଧିନାୟକ), କ୍ରିଶନ ପାଠକ, ଡିଫେଣ୍ଡର-ହରମନପ୍ରୀତ ସିଂହ, ବରୁଣ କୁମାର, ବୀରେନ୍ଦ୍ର ଲାକ୍ରା, ସୁରେନ୍ଦ୍ର କୁମାର, ରୂପିନ୍ଦର ପାଲ ସିଂହ, ଅମିତ ରୋହିଦାସ, ମିଡ୍‍ଫିଲ୍ଡର-ମନପ୍ରୀତ ସିଂହ, ଚିଙ୍ଗିଲସାନା ସିଂହ (ଉପ ଅଧିନାୟକ), ସିମ୍ରନଜିତ ସିଂହ, ସର୍ଦ୍ଦାର ସିଂହ, ବିବେକ ସାଗର ପ୍ରସାଦ, ଫରୱାର୍ଡ-ଏସ୍‍.ଭି.ସୁନିଲ, ମନଦୀପ ସିଂହ, ଆକାଶଦୀପ ସିଂହ, ଲଳିତ ଉପାଧ୍ୟାୟ ଓ ଦିଲପ୍ରୀତ ସିଂହ।

Leave A Reply