୫ ଦିନ ଅଶାନ୍ତ ରହିବ ସମୁଦ୍ର

0

ଭୁବନେଶ୍ବର : ଆସନ୍ତା ୫ ଦିନ ପର୍ୟ୍ୟନ୍ତ ବଙ୍ଗୋପସାଗର ଓ ଆରବ ସାଗରର ଅଧିକାଂଶ ଭାଗରେ ସମୁଦ୍ର ଅଶାନ୍ତ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ରାଜ୍ୟରେ ମୌସୁମି ସକ୍ରିୟ ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହାର ପ୍ରଭାବରେ ଦକ୍ଷିଣ ଓ ଆଭ୍ୟନ୍ତରଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇଛି। ତେବେ ଅନ୍ୟ ଅଞ୍ଚଳ ବିଶେଷ କରି ଉପକୂଳରେ ବର୍ଷା ଉଭାନ୍ ହୋଇଯାଇଛି।
ଟ୍ରଫ୍ ଲାଇନ୍, ଉତ୍ତର ଓ ପଶ୍ଚିମ ସୀମାନ୍ତବର୍ତ୍ତୀ ଓଡ଼ିଶାରେ ଘୂର୍ଣ୍ଣିବଳୟ ସତ୍ତ୍ବେ ବିଶେଷ ବର୍ଷା ନାହିଁ। ୧୦ ଓ ୧୧ ତାରିଖରେ ରାଜ୍ୟରେ କାଁ ଭାଁ ବର୍ଷା ହୋଇପାରେ। ୧୩ରୁ ପୁଣି ଥରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ୧୨ରୁ ବଡ଼ଧରଣର ବର୍ଷାର ସମ୍ଭାବନା ଥିବା କୁହାଯାଇଛି। ଏହି ସମୟରେ ଝାରସୁଗୁଡ଼ା, ସମ୍ବଲପୁର, ମୟୂରଭଞ୍ଜ ଓ କେନ୍ଦୁଝରରେ ବର୍ଷାର ସମ୍ଭାବନା ରହିଛି। ୧୩ରେ ଉତ୍ତର ଉପକୂଳ ଓଡ଼ିଶା ସହିତ ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ପୁରୀ ଓ ଖୋର୍ଦ୍ଧାରେ ପ୍ରବଳ ବର୍ଷା ହେବ।
ଗତ ୨୪ ଘଣ୍ଟା ମଧ୍ୟରେ ନବରଙ୍ଗପୁରର ଚନ୍ଦାହାଣ୍ଡିରେ ସର୍ବାଧିକ ୧୨ ସେମି ବର୍ଷା ହୋଇଛି। ଗଜପତିର ନୂଆଗଡ଼ରେ ୮ ସେମି, କୋରାପୁଟର ସିମିଳିଗୁଡ଼ା, ନବରଙ୍ଗପୁରର କୋଷାଗୁମଡା, ରାୟଗଡ଼ାର ବିଷମ-କଟକରେ ୭ ସେମି ଲେଖାଏଁ ବର୍ଷା ରେକର୍ଡ଼ କରାଯାଇଛି। ସୋମବାର ଅପରାହ୍ଣ ୫.୩୦ ସୁଦ୍ଧା କୋରାପୁଟରେ ସର୍ବାଧିକ ୪୭ ମିଲିମିଟର ବର୍ଷା ରେକର୍ଡ଼ କରାଯାଇଛି।

Leave A Reply