ଫ୍ରାନ୍‍ସ-ବେଲ୍‍ଜିୟମ୍‍ ପ୍ରଥମ ସେମିଫାଇନାଲ ଆଜି

0

ସେଣ୍ଟ ପିଟର୍ସବର୍ଗ :  ଚଳିତ ଫୁଟ୍‍ବଲ ବିଶ୍ୱକପ୍‍ର ପ୍ରଥମ ସେମିଫାଇନାଲରେ ମଙ୍ଗଳବାର ପୂର୍ବତନ ବିଶ୍ୱ ଚମ୍ପିଆନ୍‍ ଫ୍ରାନ୍‍ସ ଓ ୨ୟ ଥର ବିଶ୍ୱକପ୍‍ର ସେମିଫାଇନାଲରେ ପହଞ୍ଚିଥିବା ବେଲ୍‍ଜିୟମ୍‍ ମଧ୍ୟରେ ମୁକାବିଲା ହେବ। ୬ଷ୍ଠ ପ୍ରୟାସରେ ୩ୟ ଫାଇନାଲ ଖେଳିବା ଲକ୍ଷ୍ୟରେ ୧୯୮୮ର ବିଶ୍ୱ ଚମ୍ପିଆନ୍‍ ଫ୍ରାନ୍‍ସ ଏହି ମ୍ୟାଚ୍‍ରେ ଓହ୍ଲାଇବ। ଅନ୍ୟପକ୍ଷରେ ଅଦ୍ୟାବଧି ଚଳିତ ବିଶ୍ୱକପ୍‍ରେ ୧୦୦ ପ୍ରତିଶତ ରେକର୍ଡ ରଖିଛି ବେଲ୍‍ଜିୟମ୍‍। ଏହି ମ୍ୟାଚ୍‍ର ଫଳାଫଳ ନେଇ ଭବିଷ୍ୟବାଣୀ କରିବା କଷ୍ଟକର ନିଶ୍ଚୟ। ତେବେ ଅଦ୍ୟାବଧି ପ୍ରଦର୍ଶନକୁ ଦେଖି ଫ୍ରାନ୍‍ସ ୩ୟ ଥର ପାଇଁ ଫାଇନାଲ ଖେଳିବ ବୋଲି ଫୁଟ୍‍ବଲ ପଣ୍ଡିତ ଆକଳନ କରିଛନ୍ତି।
ଫ୍ରାନ୍‍ସ ଲିଗ୍‍ ସ୍ତରରେ ସେପରି ଭଲ ପ୍ରଭାବଶାଳୀ ପ୍ରଦର୍ଶନ କରି ପାରିନଥିଲା। ପ୍ରଥମ ମ୍ୟାଚ୍‍ରେ ବିବାଦୀୟ ପେନାଲ୍‍ଟି ଓ ଆତ୍ମଘାତୀ ଗୋଲ୍‍ ବଳରେ ଅଷ୍ଟ୍ରେଲିଆକୁ ୨-୧ରେ ଫ୍ରାନ୍‍ସ ପରାସ୍ତ କରିଥିଲା। ଏହାପରେ ପେରୁକୁ ୧-୦ରେ ଫ୍ରାନ୍‍ସ ପରାସ୍ତ କରିଥିବା ବେଳେ ଡେନ୍‍ମାର୍କ ସହ ଏହାର ମ୍ୟାଚ୍‍ ଗୋଲ୍‍ଶୂନ୍ୟ ରହିଥିଲା। ତେବେ ନକ୍‍ଆଉଟ ପର୍ଯ୍ୟାୟରେ ଫ୍ରାନ୍‍ସର ଅସଲି ରଙ୍ଗ ଦେଖିବାକୁ ମିଳିଥିଲା। ଏହି ପର୍ଯ୍ୟାୟରେ ଦୁଇ ପୂର୍ବତନ ବିଶ୍ୱ ଚମ୍ପିଆନ୍‍ ତଥା ଦକ୍ଷିଣ ଆମେରିକୀୟ ଫୁଟ୍‍ବଲର ଦୁଇ ମହାଶକ୍ତି ଆର୍ଜେଣ୍ଟିନା ଓ ଉରୁଗୁଏକୁ ଟୁର୍ଣ୍ଣାମେଣ୍ଟରୁ ବିଦାୟ ଦେଇଛି ଫ୍ରାନ୍‍ସ। ପ୍ରିକ୍ୱାର୍ଟରଫାଇନାଲରେ ଗତଥରର ରନର୍ସଅପ୍‍ ଆର୍ଜେଣ୍ଟିନାକୁ ୪-୩ ଗୋଲ୍‍ରେ ହରାଇବା ପରେ ଉରୁଗୁଏକୁ ଫ୍ରାନ୍‍ସ ୨-୦ ଗୋଲ୍‍ରେ ପରାସ୍ତକରି ସେମିଫାଇନାଲରେ ପହଞ୍ଚିଛି। ଫ୍ରାନ୍‍ସର ପ୍ରଦର୍ଶନରେ ହଠାତ୍‍ ଏପରି ଉନ୍ନତି ଏହାକୁ ଅନ୍ୟତମ ଫେଭରିଟ୍‍ର ମାନ୍ୟତା ଦେଇଛି। ତାଙ୍କ ଦଳ ପରି କିଲିଆନ୍‍ ଏମ୍‍ବାପେ ମଧ୍ୟ ଜଣେ ତାରକା ଭାବେ ଉଭା ହୋଇଛନ୍ତି। ୧୯ ବର୍ଷ ବୟସ୍କ ଏମ୍‍ବାପେ ତାଙ୍କ ଗତି ଓ ଚପଳତା ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ଆର୍ଜେଣ୍ଟିନା ବିପକ୍ଷରେ ଏମ୍‍ବାପେ ୨ଟି ଗୋଲ୍‍ ସ୍କୋର୍‍ କରିଛନ୍ତି। ଦଳର ତାରକା ଷ୍ଟ୍ରାଇକର ଅଦ୍ୟାବଧି ୩ଟି ଗୋଲ୍‍ ଦେଇଛନ୍ତି। ବ୍ଲେଜ୍‍ ମାଟ୍ୱିଡି, ଅଲିଭର ଜିରୌଡ୍‍, ପଲ୍‍ ପୋଗ୍‍ବା ଓ ଏନ୍‍ଗୋଲୋ କାଣ୍ଟେ ଫ୍ରାନ୍‍ସ ମିଡ୍‍ଫିଲ୍‍ଡରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଫ୍ରାନ୍‍ସର ଡିଫେନ୍‍ସ ନେଇ ପ୍ରଶ୍ନବାଚୀ ଉଠିଛି। ଆର୍ଜେଣ୍ଟିନାକୁ ଏହା ୪ଟି ଗୋଲ୍‍ ଦେଇଥିବା ବେଳେ ଏହା ୩ଟି ଗୋଲ୍‍ ବରଣ କରିଥିଲା। ଫ୍ରାନ୍‍ସ ଏବେ ଚମତ୍କାର ଫର୍ମରେ ଅଛି ଏବଂ ଗତ ୧୭ଟି ଆନ୍ତର୍ଜାତିକ ମ୍ୟାଚ୍‍ରୁ ମାତ୍ର ଗୋଟିଏ ହାରିଛି।
ବେଲ୍‍ଜିୟମ୍‍ ମଧ୍ୟ ପଛରେ ନାହିଁ। ଫିଫା ମାନ୍ୟତାରେ ଏହା ଫ୍ରାନ୍‍ସର ଉପରେ ଅଛି ଏବଂ ଗତ ୨୪ଟି ମ୍ୟାଚ୍‍ରେ ବେଲ୍‍ଜିୟମ୍‍ ପରାସ୍ତ ହୋଇନାହିଁ। ଗତ କିଛିବର୍ଷ ହେଲା ଏହାର ଫୁଟ୍‍ବଲରେ ଉନ୍ନତି ହେବାରେ ଲାଗିଛି ଏବଂ ଆନ୍ତର୍ଜାତିକ ସ୍ତରରେ ଏହା ସମ୍ମାନ ବଢ଼ିଛି। ତେବେ ବ୍ରାଜିଲ ବିପକ୍ଷରେ କ୍ୱାର୍ଟରଫାଇନାଲରେ ବେଲ୍‍ଜିୟମ୍‍ ୨-୧ ଗୋଲ୍‍ରେ ଜିତିବା ପରେ ହିଁ ବେଲ୍‍ଜିୟମ୍‍କୁ ସମ୍ଭାବ୍ୟ ବିଶ୍ୱବିଜେତା ଭାବେ ଧରି ନିଆଯାଇଛି। ଗତ ବିଶ୍ୱକପ୍‍ ଓ ୟୁରୋ କପ୍‍ର କ୍ୱାର୍ଟରଫାଇନାଲରେ ପରାଜୟ ପରେ ବେଲ୍‍ଜିୟମ୍‍ ତା’ର ପ୍ରଦର୍ଶନରେ ଉନ୍ନତି କରିପାରିଛି। ଆଉ ମାତ୍ର ୨ଟି ବିଜୟ ପରେ ବେଲ୍‍ଜିୟମ୍‍ ତା’ର କ୍ରୀଡ଼ା ଇତିହାସରେ ସବୁଠାରୁ ବଡ଼ ସଫଳତା ହାସଲ କରିବ। ବ୍ରାଜିଲ ବିପକ୍ଷରେ ବେଲ୍‍ଜିୟମ୍‍ ପ୍ରଥମାର୍ଦ୍ଧରେ ଯେପରି ଖେଳିଲା; ସେପରି ଖେଳିଲେ ଏହା ଫ୍ରାନସକୁ ରୋକିପାରିବ। ତେବେ ଦ୍ୱିତୀୟାର୍ଦ୍ଧରେ ବେଲ୍‍ଜିୟମ୍‍ ରକ୍ଷାପନ୍ଥୀରେ ଥିବା ଦୁର୍ବଳତାକୁ ବ୍ରାଜିଲ ପଦାରେ ପକାଇ ଦେଇଥିଲା। ସୌଭାଗ୍ୟ ଯୋଗୁଁ ବେଲ୍‍ଜିୟମ୍‍ ଏକାଧିକ ଗୋଲ୍‍ ବରଣ କରିନଥିଲା। ଜାପାନ ମଧ୍ୟ ପ୍ରିକ୍ୱାର୍ଟରଫାଇନାଲରେ କ୍ରମାଗତ ୨ଟି ଗୋଲ୍‍ ସ୍କୋର୍‍କରି ବେଲ୍‍ଜିୟମ୍‍ର ଡିଫେନ୍‍ସ ଦୁର୍ବଳ ବୋଲି ପ୍ରମାଣିତ କରିଥିଲା। ବେଲ୍‍ଜିୟମ୍‍ ପାଇଁ ଅଦ୍ୟାବଧି ଏଡେନ୍‍ ହାଜାର୍ଡ, କେଭିନ୍‍ ଡି ବ୍ରୁଇନ୍‍ ଓ ରୋମେଲୁ ଲୁକାକୁ ଚମତ୍କାର ପ୍ରଦର୍ଶନ କରିଛନ୍ତି। କେବଳ ରକ୍ଷାପନ୍ଥୀର ଦୁର୍ବଳତାକୁ ସଜାଡ଼ିଦେଲେ ଏହାକୁ ଭେଦକରିବା ଫ୍ରାନ୍‍ସ ପାଇଁ କାଠିକର ପାଠ ହୋଇଯିବ। ଶେଷରେ ଏତିକି କୁହା ଯାଇପାରେ ଯେ ଦୀର୍ଘ ୩୨ ବର୍ଷ ପରେ ବିଶ୍ୱକପ୍‍ର ସେମିଫାଇନାଲ ଖେଳିବାର ସୁଯୋଗ ପାଇଥିବା ବେଲ୍‍ଜିୟମ୍‍ ଏହି ସୁଯୋଗ ହାତଛଡ଼ା ହେବାକୁ ଦେବନାହିଁ। ଅଦ୍ୟାବଧି ବେଲ୍‍ଜିୟମ୍‍ ଓ ଫ୍ରାନ୍‍ସ ମଧ୍ୟରେ ୭୩ ଥର ମୁକାବିଲା ହୋଇଛି। ଏଥିରୁ ବେଲ୍‍ଜିୟମ୍‍ ୩୦ଟି ଜିତିଥିବା ବେଳେ ଫ୍ରାନ୍‍ସ ୨୪ଟି ଜିତିଛି ଏବଂ ୧୯ଟି ମ୍ୟାଚ୍‍ ଡ୍ର ରହିଛି। ଗତ ୩ଟି ମୁକାବିଲାରେ ବେଲ୍‍ଜିୟମ୍‍କୁ ହରାଇନାହିଁ ଫ୍ରାନ୍‍ସ। ତେବେ ବିଶ୍ୱକପ୍‍ରେ ବେଲ୍‍ଜିୟମ୍‍ ବିପକ୍ଷରେ ଫ୍ରାନ୍‍ସ ଉଭୟ ମୁକାବିଲା ଜିତିଛି।

ସେମିଫାଇନାଲର ରାସ୍ତା

ଫ୍ରାନ୍‍ସ
(ଗ୍ରୁପ୍‍ ପର୍ଯ୍ୟାୟ): ଅଷ୍ଟ୍ରେଲିଆ ବିପକ୍ଷରେ ୨-୧ରେ ବିଜୟୀ; ପେରୁ ବିପକ୍ଷରେ ୧-୦ରେ ବିଜୟୀ ଓ ଡେନମାର୍କ ସହ ୦-୦ ଡ୍ର; (ପ୍ରିକ୍ୱାର୍ଟର) ଆର୍ଜେଣ୍ଟିନା ବିପକ୍ଷରେ ୪-୩ରେ; (କ୍ୱାର୍ଟର) ଉରୁଗୁଏ ବିପକ୍ଷରେ ୨-୦ରେ ବିଜୟୀ। ସର୍ବାଧିକ ଗୋଲ୍‍ ସ୍କୋରର: ଆଣ୍ଟୋଏନ୍‍ ଗ୍ରିଜ୍‍ମ୍ୟାନ୍‍ ଓ କିଲିଆନ୍‍ ଏମ୍‍ବାପେ (୩ଟି ଲେଖାଏଁ)।

ବେଲ୍‍ଜିୟମ୍‍
(ଗ୍ରୁପ୍‍ ପର୍ଯ୍ୟାୟ): ପାନାମା ବିପକ୍ଷରେ ୩-୦ରେ ବିଜୟୀ; ଟ୍ୟୁନିସିଆ ବିପକ୍ଷରେ ୫-୨ରେ ବିଜୟୀ ଓ ଇଂଲଣ୍ଡ ବିପକ୍ଷରେ ୧-୦ ଗୋଲ୍‍ରେ ବିଜୟୀ; (ପ୍ରିକ୍ୱାର୍ଟର) ଜାପାନ ବିପକ୍ଷରେ ୩-୨ରେ; (କ୍ୱାର୍ଟର) ବ୍ରାଜିଲ ବିପକ୍ଷରେ ୨-୧ରେ ବିଜୟୀ। ସର୍ବାଧିକ ଗୋଲ୍‍ ସ୍କୋରର: ରୋମେଲୁ ଲୁକାକୁ (୪ଟି)।
Leave A Reply