www.samajalive.in
Saturday, December 6, 2025
17.1 C
Bhubaneswar

୧୩୦କୋଟିର ଜିଏସଟି ଠକେଇ: ୯ମାସ ହେଲା ଫେରାର ବ୍ୟବସାୟୀ ସମ୍ବଲପୁରରୁ ଗିରଫ

ରାଉରକେଲା/ ସମ୍ବଲପୁର: ଜିଏସଟି ଠକେଇ ଅଭିଯୋଗରେ ରାଜ୍ୟ ବିକ୍ରିକର ଅଧିକାରୀମାନେ ଆଜି ଜଣେ ଠକ ବ୍ୟବସାୟୀ କାଶ୍ମିରା କୁମାର ଅଗ୍ରୱାଲଙ୍କୁ ଗିରଫ କରିଛନ୍ତି। କାଶ୍ମିରା ଜାଲ ୱେ-ବିିଲ ଜରିଆରେ ପ୍ରାୟ ୭୧୨ କୋଟି ଟଙ୍କାର କାରବାର କରିଛନ୍ତି। ଏହି ବେଆଇନ କାରବାରରୁ ସରକାର ୧୨୯.୯ କୋଟି ଟଙ୍କାର ଟିକସ ହରାଇଛନ୍ତି। ଗତ ୯ ମାସ ହେଲା କାଶ୍ମିରା ପଛରେ ବିଭାଗ  ପଡ଼ିଥିଲା। ବାରମ୍ବାର ନୋଟିସ ସତ୍ତ୍ୱେ ଅଧିକାରୀଙ୍କ ଆଖିରେ ଧୂଳି  ଦେଇ ସେ ଘୁରୁ ବୁଲୁଥିଲୋ। ଆଜି ତାଙ୍କୁ ସମ୍ବଲପୁରରୁ ଗିରଫ କରାଯାଇଛି। ସନ୍ଧ୍ୟାରେ ରାଉରକେଲା ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ପେଶ୍‌ କରାଯାଇଛି। କୋର୍ଟରେ ଜାମିନ ଖାରଜ ହୋଇ ଯାଇଛି। ଅନ୍ୟପକ୍ଷରେ କମ୍ପାନୀର ଅନ୍ୟଜଣେ ଅଂଶୀଦାର ବିମଳ ନାୟକଙ୍କୁ ମଧ୍ୟ ଖୋଜା ଚାଲିଥିବା ସୂଚନା ମିଳିଛି ।

ସେକ୍ଟର-୭ରେ ରହୁଥିବା କାଶ୍ମିରା ମଧୁମିତା ଷ୍ଟିଲ ଇଣ୍ଡଷ୍ଟି୍ରଜ ପ୍ରାଇଭେଟ ଲିମିଟେଡ ନାଁରେ ଫାର୍ମ ଖୋଲିଥିଲେ। କାରଖାନା ଓ ଅଫିସ କୋଏଲନଗରରେ ଥିବା ଦର୍ଶାଇଥିଲେ। ପ୍ରକୃତରେ ଏଭଳି କୌଣସି ଶିଳ୍ପ କାରଖାନା ବା ବ୍ୟବସାୟିକ ପ୍ରତିଷ୍ଠାନ ନଥିଲା। କେବଳ ମଧୁମିତା ନୁହେଁ ଏଭଳି ୧୫/୨୦ଟି ଜାଲ ଫାର୍ମ କରି କାଶ୍ମିରା ଓ ଠକେଇ ଘଟଣାର ମାଷ୍ଟର ମାଇଣ୍ଡ ଅତୁଲ ବଂଶଲ ୨/୩ ବର୍ଷ ହେଲା କେବଳ ଜାଲ୍‌ ବିଲ କାରବାର କରୁଥିଲେ। କାଶ୍ମିରା ଓ ତାଙ୍କ ଟିମ୍‌ ପ୍ରାୟ ୭୧୨ କୋଟିର କେବଳ ଜାଲ୍‌ବିଲ ବିକ୍ରି କରିଥିଲେ। ଏହି କାରବାରରୁ ସେମାନେ ୧୨୯.୯ କୋଟି ଟଙ୍କାର ଇନ୍‌କମ୍‌ ଟ୍ୟାକ୍ସ କ୍ରେଡିଟ୍‌ (ଆଇଟିସି) ଲାଭ କରିଛନ୍ତି। ସେମାନେ ନା କେଉଁଠି ମାଲ କିଣିଛନ୍ତି ନାଁ ବିକ୍ରି କରିଛନ୍ତି। କେବଳ ଜାଲ ବିଲ୍‌ ଓ ଚାଲାଣ ବିକି ସରକାରଙ୍କୁ ଠକି ଚାଲିଥିଲେ।  ରାଜ୍ୟ ବିକ୍ରିକର ଗୁଇନ୍ଦା ବିଭାଗର ନଜରକୁ ଆସିଲା ପରେ ଗତ ବର୍ଷ ଅଗଷ୍ଟ ମାସରୁ ତଦନ୍ତ ଚଳାଇଥିଲା। ତଦନ୍ତ ବେଳେ ଜିଏସ୍‌ଟି ଠକେଇ ଧରା ପଡ଼ିଲା ପରେ ଗତ ବର୍ଷ ଅକ୍ଟୋବର ୨୫ ତାରିଖରେ କାଶ୍ମିରାର ମୁଖ୍ୟ ସହଯୋଗୀ ତଥା ଘଟଣାର ମାଷ୍ଟର ମାଇଣ୍ଡ ଅତୁଲ ବଂଶଲ ସମେତ ଅନ୍ୟ କେତେକଙ୍କୁ ଓଜିଏସ୍‌ଟି ଅଧିକାରୀମାନେ ଗିରଫ କରିଥିଲେ। ମାତ୍ର ସେହି ଦିନରୁ କାଶ୍ମିରା ଫେରାର ହୋଇ ଯାଇଥିଲେ। ବିଭାଗ ପକ୍ଷରୁ ନୋଟିସ କରାଯାଇ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର କାଶ୍ମିରା ଲୁଚି ରହିଥିଲେ। ଆଜି ତାଙ୍କୁ ଗିରଫ କରାଯାଇଛି। ସନ୍ଧ୍ୟାରେ କୋର୍ଟ ଚାଲାଣ କରାଯାଇଛି। କୋର୍ଟରେ ଜାମିନ ଖାରଜ ହୋଇଯାଇଛି।

- Advertisement -

ବିଭାଗୀୟ ଅଧିକାରୀମାନେ ତାଙ୍କ ବାସଭବନ, ବ୍ୟବସାୟିକ ପ୍ରତିଷ୍ଠାନ ସମେତ ଅନ୍ୟାନ୍ୟ ୧୩ଟି ସ୍ଥାନରେ ଚଢ଼ଉ କରିଛନ୍ତି। ସେଠାରୁ ବିଭିନ୍ନ ବ୍ୟବସାୟିକ ସଂସ୍ଥାର ରବର ଷ୍ଟାମ୍ପ, ବ୍ୟାଙ୍କ ଷ୍ଟେଟ୍‌ମେଣ୍ଟ ସମେତ ଜାଲ କାଗଜପତ୍ର ଜବତ କରାଯାଇଛି। ଏହା ସହିିତ ବିଭିନ୍ନ ବ୍ୟାଙ୍କରେ କାଶ୍ମିରା ଓ ତାଙ୍କ ଟିମ୍‌ ଜାଲ ଏକାଉଣ୍ଟ ଖୋଲି କୋଟି କୋଟି ଟଙ୍କାର କାରବାର କରିଥିବା ସୂଚନା ମିଳିଛି। ବ୍ୟାଙ୍କରେ ଜାଲ ଏକାଉଣ୍ଟ କିପରି ଖୋଲାଗଲା ଏ ନେଇ ଓଜିଏସ୍‌ଟିର ଏନ୍‌ଫୋର୍ସ ସ୍କ୍ୱାର୍ଡ଼ ବ୍ୟାଙ୍କର ସଂପୃକ୍ତ ଅଧିକାରୀମାନଙ୍କୁ ମଧ୍ୟ ଜେରା କରିଛନ୍ତି। ଯେଉଁ ସବୁ ଜାଗାରେ ଭଡ଼ା ଆକାରରେ ବ୍ୟବସାୟ ପ୍ରତିଷ୍ଠାନ ଖୋଲା ଯାଇ ସେ ସବୁ ଜାଗା ଓ ଘର ମାଲିକଙ୍କ ଜାଲ ଦସ୍ତଖତରେ କାଗଜପତ୍ର ପ୍ରସ୍ତୁତ କରାଯାଇଛି। କେବଳ ଏତିକି ନୁହେଁ ସେମାନେ ଦୁଇ ଚକିଆ ଗାଡ଼ି, ପାଣି ଟ୍ୟାଙ୍କର, ଟ୍ରାକ୍ଟର, ସ୍କୁଟର ଆଦି ନମ୍ବରକୁ ଟ୍ରକ ଟିପର ଦର୍ଶାଇ  ଟନ୍‌ ଟନ୍‌ ମାଲ ପରିବହନ କରିଥିବା ସୂଚନା ମିଳିଛି। ଏଠାରେ ସୂଚନାଯୋଗ୍ୟ ଯେ, ଓଡ଼ିଶାରେ ପ୍ରଥମ କରି ରାଉରକେଲାରେ ଜିଏସ୍‌ଟି ଠକେଇ ନଜରକୁ ଆସିଥିଲା। ଇତିମଧ୍ୟରେ ରାଉରକେଲାରେ ହଜାର ହଜାର କୋଟିର ଜିଏସ୍‌ଟି ଠକେଇର ସୂଚନା ପରେ ଉଭୟ ସିଜିଏସ୍‌ଟି ଏବଂ ଓଜିଏସ୍‌ଟି ପକ୍ଷରୁ ସମୟାନ୍ତରରେ ଚଢ଼ଉ ଜାରି ରହିଛି। ପୂର୍ବରୁ ନାରାୟଣ ଖୈତାନ, ସଞ୍ଜିବ ସିଂହ, ମାନସ ବରାଳ, କମଳ ପସାରୀ, ରାଜେଶ ମିଶ୍ର, ଅମିତ ବେରିୱାଲ ଓ ସୁଭାଷ ଚନ୍ଦ୍ର ସ୍ୱାଇଁ ଗିରଫ ହୋଇ ରାଉରକେଲ ଜେଲରେ ଅଟକ ରହିଛନ୍ତି। ଆଉ ଦୁଇ ଠକ ବସନ୍ତ କୁମାର ପଟ୍ଟନାୟକ ଓ ରୋନକ ବେରିୱାଲ ଫେରାର ହୋଇ ଯାଇଛନ୍ତି। ସେମାନଙ୍କ ନାଁରେ କୋର୍ଟରୁୁ ଜାମିନ ବିହୀନ ଗିରଫ ପରୱାନା ବାହାରି ସାରିଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories