ବଢ଼ିବ ଝିଅମାନଙ୍କ ସର୍ବନିମ୍ନ ବିବାହ ବୟସ; ଲାଲକିଲ୍ଲା ଉପରୁ ସଙ୍କେତ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲ: ଆଗାମୀ ଦିନରେ ଝିଅମାନଙ୍କର ସର୍ବନିମ୍ନ ବିବାହ ବୟସ ସୀମା ବୃଦ୍ଧି କରାଯାଇପାରେ । ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲାରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ପ୍ରଦାନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସଙ୍କେତ ଦେଇଛନ୍ତି । ଝିଅମାନଙ୍କର ସର୍ବନିମ୍ନ ବିବାହ ବୟସ ସୀମା ନିର୍ଧାରଣ ନିମନ୍ତେ ଏକ କମିଟି ଗଠନ ହୋଇଛି । କମିଟିର ପ୍ରସ୍ତାବ ଅନୁସାରେ ସରକାର ଏ ସମ୍ପର୍କରେ ଶୀଘ୍ର ନିଷ୍ପତ୍ତି ନେବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସୂଚନାଯୋଗ୍ୟ ଯେ ଭାରତରେ ଏବେ ଝିଅମାନଙ୍କ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷ ରହିଛି, ଏହାକୁ ୨୧ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ ବୋଲି ଚର୍ଚା ହେଉଛି ।
୧୯୭୮ ମସିହାରେ ଭାରତରେ ଝିଅମାନଙ୍କ ବିବାହ ବୟସ ସର୍ବନିମ୍ନ ୧୮ ବର୍ଷ ଧାର୍ଯ୍ୟ ହୋଇଥିଲା । ୧୯୭୮ ଜୁନରେ ଗଠିତ ଏକ କମିଟି ରିପୋର୍ଟ ଆଧାରରେ ଏହି ନିଷ୍ପତ୍ତି ହୋଇଥିଲା । ମାତୃତ୍ଵ ମୃତ୍ୟୁହାର ହ୍ରାସ ନିମନ୍ତେ ଏହି ନିଷ୍ପତ୍ତି ନିଆଯାଇଥିଲା । ଗତ ବଜେଟ୍ ଅଭିଭାଷଣ ଅବସରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଝିଅମାନଙ୍କର ମା’ ହେବାର ବୟସ ନିର୍ଧାରଣ ନିମନ୍ତେ ପରାମର୍ଶ ଦେବାକୁ ଏକ ଟାସ୍କ ଫୋର୍ସ ଗଠନ ହୋଇଥିବା କହିଥିଲେ ।
Comments are closed.