ବଙ୍ଗୋପସାଗରରେ ଲଘୁଚାପ ;୧୧ ପର୍ଯ୍ୟନ୍ତ ବର୍ଷା

0

ଭୁବନେଶ୍ୱର  : ଭୁଲ ପ୍ରମାଣିତ ହୋଇଛି ପାଣିପାଗ ବିଭାଗ ଓ ବିଶେଷଜ୍ଞଙ୍କ ଆକଳନ। ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ। ଉତ୍ତର-ପଶ୍ଚିମ ବଙ୍ଗୋପସାଗର, ପଶ୍ଚିମବଙ୍ଗ ଓ ଓଡ଼ିଶାରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଯାଇଛି। ଲଘୁଚାପ ପ୍ରଭାବରେ ୮ରୁ ୧୧ ପର୍ୟ୍ୟନ୍ତ ରାଜ୍ୟରେ ଭୀଷଣ ବର୍ଷା ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୁନର୍ବାର ଆକଳନ କରିଛି।
ଶନିବାର ଗଞ୍ଜାମ, ଗଜପତି, ନୟାଗଡ଼, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ କଟକ ଜିଲାରେ ବର୍ଷା ହୋଇଛି। ଅପରାହ୍ଣ ୫.୩୦ ସୁଦ୍ଧା ପାରାଦ୍ବୀପ​‌େ​‌ର ସର୍ବାଧିକ ୪୨ ମିଲିମିଟର, ଫୁଲବାଣୀରେ ୩୮ ମିମି, ବାରିପଦାରେ ୧୯ ମିମି, ଭୁବନେଶ୍ବରରେ
୧୪.୮ମିମି, କଟକରେ ୮ ମିମି ବର୍ଷା ହୋଇଛି।
ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ବରୀ ଓ ତେନସାରେ ୮ ସେମି, ମାହାଙ୍ଗା, ପଟ୍ଟାମୁଣ୍ଡାଇରେ ୭ ସେମି, ଗରଦପୁର, ପାନପୋଷ, ରଘୁନାଥପୁର ଓ ଆସ୍କାରେ ୬ ସେମି ଲେଖାଏଁ ବର୍ଷା ହୋଇଛି। ୮ରେ ଉପକୂଳବର୍ତ୍ତୀ ଜିଲାଗୁଡ଼ିକ ସହିତ ଆଭ୍ୟନ୍ତରୀଣ ଓଡ଼ିଶାର ରାୟଗଡ଼ା, କନ୍ଧମାଳ, ବୌଦ୍ଧ, କଳାହାଣ୍ଡି ଓ ଅନୁଗୋଳ ଜିଲାରେ ଭୀଷଣ ବର୍ଷା ହୋଇପାରେ। ୯ରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି। ତେବେ କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ସୋନପୁର, ସମ୍ବଲପୁର, ଦେବଗଡ଼ର କେତେକ ସ୍ଥାନରେ ୨୦ ସେମିରୁ ଅଧିକ ବର୍ଷା ହୋଇପାରେ। ସେହିପରି ପଶ୍ଚିମ ସୀମାନ୍ତ ନୂଆପଡ଼ା, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମେତ ବରଗଡ଼, ବଲାଙ୍ଗୀର, ନବରଙ୍ଗପୁର, ମାଲକାନଗିରି, କୋରାପୁଟ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ ଓ ଅନୁଗୋଳର କେତେକ ସ୍ଥାନରେ ୭ରୁ ୧୦ ସେମି ମଧ୍ୟରେ ବର୍ଷା ହେବ ବୋଲି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ୧୧ ତାରିଖ ପର୍ୟ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ। ୧୩ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି।

Leave A Reply