ଚେନ୍ନଇ : ତାମିଲନାଡୁର କୋଏମ୍ବାଟୁର ସହରରେ ବିଜେପି କାର୍ଯ୍ୟାଳୟ ଉପରେ ବୋମାମାଡ କରାଯାଇଛି। ବୁଧବାର ଦୁଇଟି ବାଇକ୍ରେ ଆସିଥିବା ଚାରିଜଣ ବ୍ୟକ୍ତି ବିଜେପି କାର୍ଯ୍ୟାଳୟ ଉପରକୁ ପେଟ୍ରୋଲ ବୋମା ପକାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ବୋଲି ପୁଲିସ ସୂତ୍ରରୁ ଜଣାପଡିଛି। ଏଥିରେ କେହି ମୃତାହତ ହୋଇନଥିବାବେଳେ ତାମିଲନାଡୁ ବିଜେପି ଶାଖା ପକ୍ଷରୁ ଏଭଳି ଆକ୍ରମଣକୁ ତୀବ୍ର ନିନ୍ଦା କରାଯାଇଛି। ଏହି ଘଟଣା ପରେ ବିଜେପି କାର୍ଯ୍ୟାଳୟରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଇଛି। ମଙ୍ଗଳବାର କେତେକ ଦୁର୍ବୃତ୍ତ ଭେଲୋର ସହରରେ ଥିବା ସମାଜସେବୀ ରାମସ୍ୱାମୀ ପେରିୟାରଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗିଦେଇଥିଲେ। ଏହି ଭଙ୍ଗାରୁଜା ଘଟଣାର କିଛି ଘଣ୍ଟା ବ୍ୟବଧାନରେ ବିଜେପି କାର୍ଯ୍ୟାଳୟ ଉପରେ ବୋମାମାଡ କରାଯାଇଥିବା ପ୍ରକାଶ। ତ୍ରିପୁରାରେ ଲେନିନ୍ ପ୍ରତିମୂର୍ତ୍ତି ଘଟଣାକୁ ନେଇ ବିଜେପି ନେତା ଏଚ.ରାଜା ଫେସବୁକ୍ରେ ଯେଉଁ ବାର୍ତ୍ତା ପୋଷ୍ଟ କରିଥିଲେ, ତାହାକୁ ନେଇ ବିବାଦ ଉପୁଜିଥିଲା। କୌଣସି ବିଦେଶୀ ବ୍ୟକ୍ତିଙ୍କ ପ୍ରତିମୂର୍ତ୍ତି ଭାରତ ମାଟିରେ ଶୋଭାପାଇବା ଅନୁଚିତ ବୋଲି ରାଜା ତାଙ୍କ ବାର୍ତ୍ତାରେ ଉଲ୍ଲେଖ କରିଥିଲେ। ତେବେ ବିଭନ୍ନ ମହଲରେ ଏହାକୁ ସମାଲୋଚନା କରାଯିବାପରେ ରାଜା ଏହି ବାର୍ତ୍ତାକୁ ପ୍ରତ୍ୟାହାର କରିନେଇଥିଲେ।
Popular Categories



