ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଏକ ନୂଆ ମୋଡ଼ ଆସିଛି । ମାମଲାର ଯାଞ୍ଚ କରୁଥିବ ପ୍ରବର୍ତନ ନିର୍ଦେଶାଳୟ ରିୟା ଚକ୍ରବର୍ତୀ, ତାଙ୍କର ଭାଇ ସୌଭିକ୍ ଓ ବାପା ଇନ୍ଦ୍ରଜିତ୍ ଚକ୍ରବର୍ତୀଙ୍କ ଫୋନ ଜବତ କରିଛି। ଗତକାଲି ଅର୍ଥାତ୍ ସୋମବାର ତିନିଜଣଙ୍କୁ ଇଡ଼ି ଦୀର୍ଘସମୟ ପର୍ଯ୍ୟନ୍ତ ଜେରା କରିଥିଲା । ଏଥିରେ ତିନିଜଣଙ୍କ କଥାବାର୍ତାରେ ରହିଥିବା ଅସମାନତାକୁ ଦୃଷ୍ଟିରେ ରଖି ପ୍ରବର୍ତନ ନିର୍ଦେଶାଳୟ ଏପରି ପଦକ୍ଷେପ ନେଇଥିବା ସୂଚନା ମିଳିଛି ।
ପ୍ରବର୍ତନ ନିର୍ଦେଶାଳୟ ମଙ୍ଗଳବାର ସକାଳୁ ରିୟାଙ୍କ ପରିବାରକୁ ଜେରା କରିବା ଆରମ୍ଭ କରିଛି । ପ୍ରଥମେ ରିୟାଙ୍କ ବିଜିନେସ ମ୍ୟାନେଜର ଶ୍ରୁତି ମୋଦୀ ଓ ସୁଶାନ୍ତଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନୀ ଇଡ଼ି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଗତକାଲି ଉଭୟଙ୍କୁ କିଛି କାଗଜପତ୍ର ଦାଖଲ କରିବାକୁ ପ୍ରବର୍ତନ ନିର୍ଦେଶାଳୟ ପକ୍ଷରୁ କୁହାଯାଇଥିଲା । ଉଭୟ ଏହାକୁ ଜମା କରିବାକୁ ଆଜି ଇଡ଼ି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି । ରିୟାଙ୍କ ମ୍ୟାନେଜର ଶ୍ରୁତି ମୋଦୀ ପୂର୍ବରୁ ସୁଶାନ୍ତଙ୍କ ବିଜିନେସ ମ୍ୟାନେଜର ଥିଲେ । ଏ ପର୍ଯ୍ୟନ୍ତ ଶ୍ରୁତିଙ୍କୁ ଇଡ଼ି ୨ଥର ଜେରା କରି ସାରିଛି । ଏହା ସହ ସୁଶାନ୍ତଙ୍କ ଭଉଣୀ ମିତୁଙ୍କ ବୟାନ ମଧ୍ୟ ଇଡ଼ି ନେଇଛି ।
ପ୍ରବର୍ତନ ନିର୍ଦେଶାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ରିୟାଙ୍କ ୨ଟି, ସୌଭିକଙ୍କର ଗୋଟିଏ ଓ ବାପା ଇନ୍ଦ୍ରଜିତଙ୍କ ଗୋଟିଏ ମୋବାଇଲ ଇଡ଼ି ଜବତ କରିଛି । ଏହାର ଫରେନ୍ସିକ୍ ଯାଞ୍ଚ ନିମନ୍ତେ ପଠାଯିବ ଏବଂ ସବୁ କଲ୍ ଡ଼ିଟେଲ୍ସଗୁଡ଼ିକୁ ଯାଞ୍ଚ କରାଯିବ ।
Comments are closed.