www.samajalive.in
Saturday, December 6, 2025
15.1 C
Bhubaneswar

କରୋନାରେ ରକ୍ଷାବନ୍ଧନ: ଚିନ୍ତାରେ ଭାଇଭଉଣୀ ଏବଂ ବ୍ୟବସାୟୀ

ସମ୍ବଲପୁର: ଆସନ୍ତା କାଲି ଭାଇ ଓ ଭଉଣୀଙ୍କ ପବିତ୍ର ପର୍ବ ରାକ୍ଷୀପୂର୍ଣ୍ଣିମା। କିନ୍ତୁ କରୋନା ସଙ୍କଟ ମଧ୍ୟରେ ଶ୍ରଦ୍ଧା ଓ ସ୍ନେହର ଏହି ପବିତ୍ର ପର୍ବ ଭଉଣୀ ଓ ଭାଇମାନେ କିଭଳି ଭାବରେ ପାଳନ କରିବେ ତାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି। କରୋନା କଟକଣା ଯୋଗୁଁ ଯାତାୟତରେ ମଧ୍ୟ ବ୍ୟାପକ କଟକଣା ଲାଗିଥିବାରୁ ଅସୁବିଧା ବହୁଗୁଣିତ ହୋଇଯାଇଛି। ଅନ୍ୟ ପଟରେ କରୋନା ପ୍ରଭାବ ଯୋଗୁଁ ଏବେ ବିଶ୍ୱବାସୀ ବ୍ୟାପକ ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଛନ୍ତି। ବ୍ୟବସାୟିକ ଗତିବିଧି ଏକ ପ୍ରକାରର ଠପ ପଡି ଯାଇଥିବାରୁ ଲକ୍ଷ ଲକ୍ଷ ଲୋକ ସେମାନଙ୍କର ରୋଜଗାର ହରାଇ ବସିଥିବା ବେଳେ ଏବେ ଋତୁକାଳିନ ବ୍ୟବସାୟରୁ କିଛିଟା ଆୟର ଆଶା ମଧ୍ୟ ମଉଳି ଯାଇଛି। କରୋନା ପାଇଁ ଏବେ ଲକଡାଉନ ଓ ସଟଡାଉନର ସମୟ ଚାଲିଛି। ଶ୍ରାବଣ ମାସରେ ରାକ୍ଷୀ ବ୍ୟବସାୟ କରି ଅନେକ ବ୍ୟବସାୟୀମାନେ ବେଶ ଭଲ ଦୁଇ ପଇସା ପ୍ରତି ବର୍ଷ ରୋଜଗାର କରିଥାନ୍ତି। କିନ୍ତୁ ବିଗତ ୧୦ ଦିନ ଧରି ସମ୍ବଲପୁର ଜିଲାରେ ସଟଡାଉନ ଚାଲିଥିବା ବେଳେ ସବୁ କିଛି ଠପ ହୋଇଯାଇଥିଲା।

ତେବେ ଗୋଟିଏ ଦିନ ପରେ ରାକ୍ଷୀ ପୂର୍ଣ୍ଣମୀ ପଡୁଥିବା ବେଳେ ଶନିବାର ସଟାଡାଉନ ହଟିବା ପରେ ସମ୍ବଲପୁର ସହରର ଗୋଲବଜାର, ମୋଦିପଡା ଛକ, ପାଣିଟାଙ୍କି ଛକ, କ୍ଷେତରାଜପୁର, ଅଇଁଠାପାଲି, ଚର୍ଚ୍ଚ ଛକ, ଗୋବିନ୍ଦତୋଲା, ଧନୁପାଲୀ, ବଡବଜାର ଆଦି ଅଞ୍ଚଳ ସମେତ ଜିଲାର ବିଭିନ୍ନ ସ୍ଥାନରେ ବ୍ୟବସାୟୀମାନେ ଦୋକାନ ଖୋଲିଛନ୍ତି। କିନ୍ତୁ ଜିଲାରେ ପ୍ରାୟ ୫ ଶହରୁ ଉର୍ଦ୍ଧ ରାକ୍ଷୀ ବ୍ୟବସାୟୀ ରହିଥିବା ବେଳେ ସଟଡାଉନ ଯୋଗୁଁ ସେମାନେ ବ୍ୟାପକ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ବ୍ୟବସାୟୀମାନେ ଗ୍ରାହକମାନଙ୍କୁ ଆକର୍ଷିତ କରିବା ପାଇଁ ସେମାନଙ୍କ ଦୋକାନ ଗୁଡିକରେ ବିଭିନ୍ନ ପ୍ରକାର ଆକର୍ଷଣୀୟ ରାକ୍ଷୀ ଟାଙ୍ଗିଛନ୍ତି। ୧୦ ଟଙ୍କାରୁ ଆରମ୍ଭ କରି ୨୦୦ ଟଙ୍କାରୁ ଉର୍ଦ୍ଧ ପର୍ୟ୍ୟନ୍ତ ରାକ୍ଷୀ ବିକ୍ରୟ କରାଯାଉଛି। ଛୋଟ ଛୋଟ ପିଲାମାନଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ କାର୍ଟୁନ ରାକ୍ଷୀ ସହିତ ବିଭିନ୍ନ ରଙ୍ଗବେରଙ୍ଗର ସ୍ପଞ୍ଜ ରାକ୍ଷୀ ବିକ୍ରି ହେଉଛି। ସେହିଭଳି ଯୁବ ପିଢ଼ିକୁ ଆକର୍ଷିତ କରିବା ପାଇଁ ବିଭିନ୍ନ ଷ୍ଟୋନ, ଷ୍ଟାଇଲର ରାକ୍ଷୀ ବିକ୍ରି କରାଯାଉଛି। ଏହା ସହ ବିଭିନ୍ନ ଦେବାଦେବୀ, ମୟୁର, ସୁତା ଆଦିର ରାକ୍ଷୀ ମଧ୍ୟ ବିକ୍ରି ହେଉଛି। ଦୂରରେ ଥିବା ଭାଇ ପାଖକୁ ଭଉଣୀ ରାକ୍ଷୀ ପଠାଇବା ପାଇଁ ଡାକ ବିଭାଗ ଅଥବା କୋରିଅର ସଂସ୍ଥା ଉପରେ ନିର୍ଭରଶୀଳ। ଏଣୁ ଡାକ ଦପ୍ତର ଓ କୋରିଅର ସଂସ୍ଥା ଗୁଡିକରେ ପ୍ରବଳ ଭିଡ ପରିଲକ୍ଷିତ ହେଉଛି। କିଛି କୋରିୟର ସଂସ୍ଥା ଏହି ମୌକାର ଫାଇଦା ଉଠାଇ ପ୍ରାୟ ତିନିଗୁଣା ଦର ନେଉଥିବାର ମଧ୍ୟ ଦେଖାଯାଉଛି। ରାକ୍ଷୀ ଯେତେ ମୂଲ୍ୟ ନାହିଁ ତାହା ଠାରୁ ଢେର ଅଧିକ ଦାମ କୋରିଅର ସଂସ୍ଥାକୁ ଦେବାକୁ ପଡୁଛି।

- Advertisement -

ସେହିଭଳି ଏବେ ସମ୍ବଲପୁର ଜିଲାରେ ଦିନକୁ ଦିନ କରୋନା ନୂତନ ରେକର୍ଡ ସ୍ଥାପନ କରୁଥିବାରୁ ଲୋକେ ଅତ୍ୟନ୍ତ ଭୟଭୀତ ହୋଇ ଘରୁ ବାହାରୁ ନାହାନ୍ତି। ଅନ୍ୟ ପକ୍ଷରେ ଏହି ସଙ୍କଟଜନକ ପରିସ୍ଥିତିରେ ଧାର ଉଧାର କରି ରାକ୍ଷୀ ଆଣି ବିକ୍ରି କରୁଥିବା ବ୍ୟବସାୟୀମାନେ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଗୋଲବଜାର ଠାରେ ପ୍ରତି ବର୍ଷ ଦୋକାନ ଲଗାଉଥିବା ପ୍ରଭାସ ଶ୍ରୀବାସ୍ତବ କହିଛନ୍ତି ଯେ ଏହି ସମୟରେ ପ୍ରାୟ ୩ ଲକ୍ଷ ଟଙ୍କାରୁ ଅଧିକ କାରବାର ହୋଇଥାଏ। କିନ୍ତୁ କରୋନା ବ୍ୟବସାୟକୁ ଚଳିତ ବର୍ଷ ସମ୍ପୂର୍ଣ୍ଣ ମାରି ଦେଇଛି। ଚଳିତ ବର୍ଷ କମ ବ୍ୟବସାୟ ହେବ ବୋଲି ଆଶା କରିଥିବା ବେଳେ କିନ୍ତୁ ଠିକ ସମୟରେ ସଟଡାଉନ ଘୋଷଣା ହୋଇଯିବାରୁ ସବୁ କିଛି ଠପ ହୋଇଯାଇଛି। ଏବେ ଦୋକାନ ଖୋଲିବା ପାଇଁ ସକାଳ ୭ଟାରୁ ଦିନ ୨ଟା ପର୍ୟ୍ୟନ୍ତ ସମୟ ଦିଆଯାଇଥିବା ବେଳେ ମାତ୍ର ୨ ଦିନ ମଧ୍ୟରେ ପ୍ରାୟ ୧୫ ହଜାର ଟଙ୍କାର ବିକ୍ରି ହୋଇଛି। ସେହିଭଳି ଅନ୍ୟ ଜଣେ ବ୍ୟବସାୟୀ ସଞ୍ଜିବ ଖଣ୍ଡେଲୱାଲ କହିଛନ୍ତି ଯେ କରୋନା ପାଇଁ ଲୋକେ ବଜାରକୁ ଆସୁ ନାହାନ୍ତି। ଆମେ ନିଜର ତଥା ଗ୍ରାହକଙ୍କ ସ୍ୱାସ୍ଥ୍ୟ ନିରାପତ୍ତାକୁ ଦୃଷ୍ଟରେ ରଖି ନିୟମାନୁଯାୟୀ ସାମାଜିକ ଦୂରତା ରକ୍ଷା, ମାସ୍କ ପରିଧାନ ଓ ସାନିଟାଇଜର ବ୍ୟବସ୍ଥା କରିଥିବା ବେଳେ ରାକ୍ଷୀ ଗୁଡିକ ଉପରେ ମଧ୍ୟ ସାନିଟାଇଜର ସିଞ୍ଚନ କରୁଛୁ। ଚଳିତ ବର୍ଷ ବ୍ୟବସାୟ କମ ହେବ ବୋଲି ଲାଗୁଥିବାରୁ ପୂର୍ବ ବର୍ଷ ଅପେକ୍ଷା ୫୦ ପ୍ରତିଶତ କମ ମାଲ ଆଣିଛୁ। କାଲି ରାକ୍ଷୀ ପୂର୍ଣ୍ଣମୀ ଥିବା ବେଳେ କିନ୍ତୁ ବଜାରରେ ସେ ଚମକ ନ ଥିବାରୁ ବ୍ୟବସାୟ ପାଇଁ ଖଟାଇଥିବା ପୁଞ୍ଜି ମଧ୍ୟ ଆଦାୟ ହେବ କି ନାହିଁ ତାହା ଚିନ୍ତା ଲାଗୁଛି। ତେବେ ରାକ୍ଷୀ ବଜାରକୁ ଦେଖିଲେ କରୋନା ସବୁକୁ ଓଲଟପାଲଟ କରିଦେଇଛି ବୋଲି ସ୍ପଷ୍ଟ ଜଣାପଡୁଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories