ଋଣ ଅର୍ଥରେ ହେବ ଉଚ୍ଚଶିକ୍ଷା ବିକାଶ
ନୂଆଦିଲ୍ଲୀ: ଉଚ୍ଚଶିକ୍ଷାର ବିକାଶ ପାଇଁ କେନ୍ଦ୍ର ସରକାର ଖୋଲା ବଜାରରୁ ୧ ଲକ୍ଷ କୋଟି ଟଙ୍କା ଋଣ କରିବେ। ଏହି ଅର୍ଥ ବିଶେଷ କରି ଦେଶର ଶିକ୍ଷା ଗବେଷଣା ଓ ଭିତ୍ତିଭୂମି ବିକାଶ ଦିଗରେ ଖର୍ଚ୍ଚ ହେବ। ଗତ ବୁଧବାର କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ହୋଇଛି। ଏହାଦ୍ୱାରା ରାଜକୋଷ ଉପରୁ ଅର୍ଥବୋଝ ଦୂର ହେବ ବୋଲି ସରକାର ଚିନ୍ତା କରୁଛନ୍ତି।
କ୍ୟାବିନେଟ୍ କମିଟିରେ ଉପସ୍ଥାପିତ ଚିଠା ପ୍ରସ୍ତାବ ଅନୁଯାୟୀ, ଶିକ୍ଷା ବଣ୍ଡ ଓ ବିିଭିନ୍ନ କର୍ପୋରେଟ୍ ସଂସ୍ଥାଠାରୁ ଋଣ ଅଣାଯିବ। ଏହାବାଦ୍ ବ୍ୟବସାୟିକ ଅର୍ଥଲଗାଣକାରୀ ସଂସ୍ଥାରୁ ମଧ୍ୟ ଋଣ କରାଯିବ। ଏହି ଋଣ ଅର୍ଥରେ ଏକ ପାଣ୍ଠି ଗଠନ କରାଯିବ। ପାଣ୍ଠି ପରିଚାଳନା ପାଇଁ ଉଚ୍ଚଶିକ୍ଷା ଆର୍ଥିକ ସଂସ୍ଥା(ଏଚ୍ଇଏଫ୍ଏ) ନାମରେ ଏକ ଅଣ ବ୍ୟାଙ୍କିଙ୍ଗ ସଂସ୍ଥା ଗଠନ କରାଯାଇଛି। ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଅଧୀନରେ ଉକ୍ତ ସଂସ୍ଥା ପରିଚାଳିତ ହେବ। ସେହି ପାଣ୍ଠିରୁ ବିଭିନ୍ନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମେଡିକାଲ୍ କଲେଜ୍, କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟ ସମେତ ବିଭିନ୍ନ ସରକାରୀ ଶିକ୍ଷା ଅନୁଷ୍ଠାନକୁ କେନ୍ଦ୍ର ସରକାର ଋଣ ସୂତ୍ରରେ ପାଣ୍ଠି ଦିଆଯିବ। ଉକ୍ତ ଋଣ ଅର୍ଥକୁ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ଉଚ୍ଚ ଶିକ୍ଷା ଓ ଗବେଷଣା ପାଇଁ ଆବଶ୍ୟକ ଭିତ୍ତିଭୂମି ବିକାଶରେ ଖର୍ଚ୍ଚ କରିବେ।
ଆର୍ଥିକ ବ୍ୟାପର ସମ୍ପର୍କିତ କ୍ୟାବିନେଟ୍ କମିଟି ଉକ୍ତ ଚିଠା ପ୍ରସ୍ତାବକୁ ମଞ୍ଜୁର କରିବା ପରେ ଏଚ୍ଇଏଫ୍ଏ ବାସ୍ତବ ରୂପ ନେଇଛି। ୧୦ ହଜାର କୋଟି ଟଙ୍କାର ପୁଞ୍ଜି ସହିିତ ଏଚ୍ଇଏଫ୍ଏ କାର୍ଯ୍ୟ ଆରମ୍ଭ କରିବ। ଏହାପରେ ବଜାରରୁ ଆବଶ୍ୟକ ଋଣ ଉଠାଇବା ପାଇଁ ଏଚ୍ଇଏଫ୍ଏକୁ ଦାୟିତ୍ୱ ଦିଆଯାଇଛି। କେନ୍ଦ୍ର ସରକାରଙ୍କ ଏହି ଉଦ୍ୟମକୁ ଶିକ୍ଷା ବିକାଶ ଓ ଗବେଷଣା କ୍ଷେତ୍ରରେ ଏକ ମାଇଲ୍ଖୁଣ୍ଟ ବୋଲି ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଦେକର କହିଛନ୍ତି।
କ୍ୟାବିନେଟ୍ କମିଟି ନିଷ୍ପତ୍ତି ଅନୁଯାୟୀ, ସମ୍ପୂର୍ଣ୍ଣ ଋଣ ପରିମାଣକୁ ଆଇଆଇଟି, ଆଇଆଇଏମ୍, ନିଟ ପରି ୧୦ ବର୍ଷ ପୁରୁଣା ଶିକ୍ଷାନୁଷ୍ଠାନଗୁଡ଼ିକ ସେମାନଙ୍କ ନିଜସ୍ୱ ଆୟରୁ ପରିଶୋଧ କରିବେ। ୨୦୦୮ରୁ ୨୦୧୪ ଭିତରେ ପ୍ରତିଷ୍ଠିତ ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକ ମୋଟ ଋଣ ରାଶିର ୨୫% ପରିଶୋଧ କରିବେ। ବାକି ପରିମାଣ ସରକାରୀ ଅନୁଦାନରୁ ଭରଣା କରାଯିବ। ୨୦୧୪ ପୂର୍ବରୁ ପ୍ରତିଷ୍ଠିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକ ମୋଟ ଋଣ ରାଶିର ୧୦% ପରିଶୋଧ କରିବେ। ବାକି ପରିମାଣ ସରକାରୀ ଅନୁଦାନରୁ ଭରଣା କରାଯିବ।