ଦୁତୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

0

ଭୁବନେଶ୍ୱର : ଆସାମର ଗୁଆହାଟୀରେ ଅନୁଷ୍ଠିତ ୫୮ତମ ଜାତୀୟ ଆନ୍ତଃରାଜ୍ୟ ସିନିୟର ଆଥ୍‍ଲେଟିକ୍‍ ଚମ୍ପିଆନସିପ୍‍ରେ ନିଜ ନାମରେ ଥିବା ପୂର୍ବ ଜାତୀୟ ରେକର୍ଡକୁ ଭଙ୍ଗ କରିଥିବା ଦେଶର ଦ୍ରୁତତମ ମହିଳା ଧାବିକା ଦୁତୀ ଚାନ୍ଦଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି। ବୁଧବାର ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦୁତୀଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ଏସୀୟ କ୍ରୀଡ଼ାରେ ପଦକ ବିଜୟୀ ହେବା ନେଇ ଆଶୀର୍ବାଦ କରିବା ସହ ଶୁଭକାମନା ଜଣାଇଥିଲେ। ଏହି ଅବସରରେ କ୍ରୀଡ଼ା ଓ ଯୁବସେବା ବିଭାଗ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, କ୍ରୀଡ଼ା ସଚିବ ବିଶାଳ ଦେବ, ନିର୍ଦେଶକ ଆର୍‍. ବିନୀଳ କୃଷ୍ଣ ଓ କିଟ୍‍ କ୍ରୀଡ଼ା ନିର୍ଦେଶକ ଡ. ଗଗନେନ୍ଦୁ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଗୁଆହାଟୀ ଜାତୀୟ ଆନ୍ତଃରାଜ୍ୟ ସିନିୟର ଆଥ୍‍ଲେଟିକ୍‍ ଚମ୍ପିଆନ୍‍ସିପରେ ୧୦୦ ମିଟର ଦୌଡ଼ ସେମିଫାଇନାଲରେ ୧୧.୨୯ ସେକେଣ୍ଡରେ ଅତିକ୍ରମ କରି ନୂତନ ରେକର୍ଡ କରିବା ସହିତ ନିଜ ନାମରେ ଥିବା ୧୧.୩୨ ସେକେଣ୍ଡ ଜାତୀୟ ରେକର୍ଡକୁ ଭଙ୍ଗ କରିଥିଲେ।
ଓଡ଼ିଆ ଆଥ୍‍ଲେଟ ଦୁତୀ ଚାନ୍ଦ, ଜଉନା ମୁର୍ମୁ ଓ ପୂର୍ଣ୍ଣିମା ହେମ୍ବ୍ରମଙ୍କ ପ୍ରଦର୍ଶନରେ ଉନ୍ନତି ଘଟି ଚାଲିଥିବାବେଳେ ଏବେ ରାଜ୍ୟର ଅନ୍ୟ ଦୁଇ ଆଥ୍‍ଲେଟ୍‍ ଶ୍ରାବଣୀ ନନ୍ଦ ଓ ଅମୀୟ ମଲ୍ଲିକଙ୍କ ପ୍ରଦର୍ଶନ ନିମ୍ନଗାମୀ ହେବାରେ ଲାଗିଛି। ଇଣ୍ଡୋନେସିଆର ଜାକର୍ତ୍ତା ଓ ପାଲେମ୍‍ବାଙ୍ଗରେ ଆସନ୍ତା ଅଗଷ୍ଟ ୧୮ରୁ ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ହେବାକୁ ଥିବା ୧୮ତମ ଏସୀୟ କ୍ରୀଡ଼ା ପ୍ରତିଯୋଗିତା ଲାଗି ଭାରତୀୟ ଦୌଡ଼କୁଦ ମହାସଂଘ (ଏଏଫଆଇ) ପକ୍ଷରୁ ଭାରତୀୟ ଦଳ ଘୋଷଣା କରାଯାଇଛି। ୫୧ଜଣିଆ ଭାରତୀୟ ଆଥ୍‍ଲେଟିକ ଦଳରେ ଓଡ଼ିଶାରୁ ଜଉନା ମୁର୍ମୁ, ଦୁତୀ ଚାନ୍ଦ ଓ ପୂର୍ଣ୍ଣିମା ହେମ୍ବ୍ରମ୍‍ ସ୍ଥାନ ପାଇଥିବାବେଳେ ଅନ୍ୟ ଦୁଇ ପ୍ରତିଯୋଗୀ ଅମୀୟ ମଲ୍ଲିକ ଓ ଶ୍ରାବଣୀ ନନ୍ଦ ବିଫଳ ହୋଇଛନ୍ତି। ଆସାମର ଗୁଆହାଟୀଠାରେ ଖେଳାଯାଇଥିବା ଆନ୍ତଃରାଜ୍ୟ ସିନିୟର ଜାତୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଶ୍ରାବଣୀ ଓ ଅମୀୟଙ୍କ ନିକଟରେ ଯୋଗ୍ୟତା ହାସଲ ନେଇ ସୁଯୋଗ ରହିଥିଲେ ମଧ୍ୟ ଏଥିରେ ବିଫଳ ହୋଇଥିଲେ। ଶ୍ରାବଣୀ ୨୦୦ମିଟର ଦୌଡ଼ରେ ବ୍ରୋଞ୍ଜ ପଦକ ବିଜୟୀ ହୋଇଥିବାବେଳେ ଅମୀୟ ପଦକ ବିଜୟୀ ହେବାରେ ବିଫଳ ହୋଇଥିଲେ। ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ବିଦେଶୀ ପ୍ରଶିକ୍ଷକଙ୍କ ଦ୍ୱାରା କଳିଙ୍ଗ ଷ୍ଟାଡ଼ିୟମରେ ଅମୀୟଙ୍କ ସମେତ ଅନ୍ୟ ଆଥ୍‍ଲେଟ୍‍ମାନଙ୍କୁ ପ୍ରଶିକ୍ଷଣ ଯୋଗାଇ ଦିଆଯାଇଥିଲେ ମଧ୍ୟ ପ୍ରଦର୍ଶନରେ ସେଭଳି କିଛି ଉନ୍ନତି ଦେଖିବାକୁ ମିଳିନାହିଁ। ଅନ୍ୟପକ୍ଷରେ ଶ୍ରାବଣୀ ମଧ୍ୟ ଅଧିକ ପ୍ରଶିକ୍ଷଣ ଓ ଏସୀୟ କ୍ରୀଡ଼ା ଯୋଗ୍ୟତା ହାସଲ ନେଇ ୟୁରୋପ ଗସ୍ତ କରିଥିଲେ। କିନ୍ତୁ ଆନ୍ତଃରାଜ୍ୟ ଜାତୀୟ ସିନିୟର ଦୌଡ଼କୁଦ ପ୍ରତିଯୋଗିତାରେ ସେଭଳି ଉନ୍ନତି ଦେଖିବାକୁ ମିଳିନଥିଲା। ଦୁଇ ପ୍ରତିଭାଙ୍କ ପ୍ରଦର୍ଶନରେ ଅବନତି ରାଜ୍ୟ ଆଥ୍‍ଲେଟ ପାଇଁ ଚିନ୍ତାର କାରଣ ହୋଇଛି।

Leave A Reply