ଦିଲ୍ଲୀ କ୍ଷମତା କନ୍ଦଳ ବିବାଦରେ କେଜ୍‌ରିୱାଲ୍‌ଙ୍କ ବିଜୟ

0

ନୂଆଦିଲ୍ଲୀ: ଲୋକଙ୍କ ଦ୍ୱାରା ନିର୍ବାଚିତ ସରକାର ହିଁ ଦିଲ୍ଲୀର ପ୍ରକୃତ କ୍ଷମତାର ଅଧିକାରୀ । ଦିଲ୍ଲୀ ଉପରାଜ୍ୟପାଳ ରାଜ୍ୟ ସରକାର ଓ କ୍ୟାବିନେଟ୍‌ର ପରାମର୍ଶ ମାନିବାକୁ ବାଧ୍ୟ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ଯୁଗାନ୍ତକାରୀ ରାୟ ପରେ ରାଜଧାନୀ ଦିଲ୍ଲୀରେ ଚାଲିଥିବା କ୍ଷମତା କନ୍ଦଳ ବିବାଦର ଆପାତତଃ ସମାଧାନ ହୋଇଥିବା ରାଜନୈତିକ ବିଶାରଦମାନେ କହିଛନ୍ତି ।
ଦୀର୍ଘ ଦିନ ଧରି ଦିଲ୍ଲୀ ଲେଫ୍ଟନାଣ୍ଟର ଗଭର୍ଣ୍ଣର ଓ ଅରବିନ୍ଦ କେଜରିୱାଲ୍‌ଙ୍କ ନେତୃତ୍ୱାଧୀନ ଆମ୍‌ ଆଦ୍‌ମୀ (ଆପ୍‌) ସରକାରଙ୍କ ମଧ୍ୟରେ ଶାସନ କ୍ଷମତା ଓ ପ୍ରଶାସନିକ ଅଧିକାରକୁ ନେଇ କନ୍ଦଳ ଲାଗି ରହିଥିଲା । ଶାସନ ପ୍ରକ୍ରିୟାରେ ଲେଫ୍ଟନାଣ୍ଟର ଗଭର୍ଣ୍ଣର ଅଯଥା ହସ୍ତକ୍ଷେପ କରୁଛନ୍ତି ବୋଲି ଆପ୍‌ ଅଭିଯୋଗ କରୁଥିବା ବେଳେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ହିଁ ଶାସନର ସର୍ବେସର୍ବା ବୋଲି କେନ୍ଦ୍ର ସରକାର ଯୁକ୍ତି ଉପସ୍ଥାପନ କରି ଆସୁଥିଲେ । ଶେଷରେ ଏହି ମାମଲା ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଥିଲା । ସୁପ୍ରିମକୋର୍ଟ ଆଜି ମାମଲାର ଶୁଣାଣି କରି ଆପ୍‌ ସରକାର ସପକ୍ଷରେ ରାୟ ଦେଇଛନ୍ତି ।
ପ୍ରଧାନ ବିଚାରପତି ଦୀପକ ମିଶ୍ର, ବିଚାରପତି ଏ କେ ସିକ୍ରି, ବିଚାରପତି ଏ ଏମ୍‌ ଖାନୱିଲକର, ଅଶୋକ ଭୂଷଣ ଓ ବିଚାରପତି ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ମାମଲାର ଶୁଣାଣି କରି କହିଛନ୍ତି ଯେ ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ନିର୍ବାଚିତ ସରକାର ଉପରେ ଏକାକୀ କ୍ଷମତା ବା ଅଧିକାର ସାବ୍ୟସ୍ତ କରିପାରିବେ ନାହିଁ । ନିର୍ବାଚିତ ସରକାରଙ୍କ କୌଣସି ନୀତିଗତ ନିଷ୍ପତ୍ତିକୁ ଅଗ୍ରାହ୍ୟ କରିପାରିବେ ନାହିଁ । ସରକାରଙ୍କ ପରାମର୍ଶ ଓ ନିଷ୍ପତ୍ତିକୁ ବିଚାର କରିବା ପାଇଁ ଲେଫ୍ଟନାଣ୍ଟର ଗଭର୍ଣ୍ଣର ବାଧ୍ୟ । ଏଥିସହିତ ଲେଫ୍ଟନାଣ୍ଟର ଗଭର୍ଣ୍ଣର କିମ୍ବା ଆପ୍‌ ସରକାର କେହି ମଧ୍ୟ ନିଜକୁ ଅନ୍ୟଠାରୁ ବଡ଼ କିମ୍ବା ଗୁରୁତ୍ୱପୂର୍ଣ୍ଣ ବୋଲି ବିଚାର କରିପାରିବେ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି ।
ଖଣ୍ଡପୀଠ ଆହୁରି କହିଛନ୍ତି ଯେ କେବଳ ଜମିଜମା ମାମଲା ଏବଂ ଆଇନ ଶୃଙ୍ଖଳା ପ୍ରସଙ୍ଗ ବ୍ୟତୀତ ଅନ୍ୟ ପ୍ରସଙ୍ଗ ଓ ମାମଲାରେ ଆପ୍‌ ସରକାରଙ୍କ ନିଷ୍ପତ୍ତି ହିଁ ଚୂଡ଼ାନ୍ତ ହେବ । ଏ କ୍ଷେତ୍ରରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ସରକାରଙ୍କ ନିଷ୍ପତ୍ତିକୁ ଅଟକାଇ ପାରିବେ ନାହିଁ । କେବଳ ଜରୁରୀ ଓ ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ରାଷ୍ଟ୍ରପତିଙ୍କୁ ତାଙ୍କ ମତାମତ ଆଧାରରେ ସୁପାରିସ କରିପାରିବେ ।
ଖଣ୍ଡପୀଠର ଅଧ୍ୟକ୍ଷତା କରୁଥିବା ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ସହିତ ରାଜ୍ୟ ସରକାର ସବୁବେଳେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ରଖିବା ଉଚିତ । ଏ କ୍ଷେତ୍ରରେ ଲେଫ୍ଟନାଣ୍ଟର ଗଭର୍ଣ୍ଣର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ ।
କେଜ୍‌ରିୱାଲ ସରକାର ନେଉଥିବା ନୀତିଗତ ନିଷ୍ପତ୍ତିକୁ ସରକାରଙ୍କ କ୍ଷମତା ବହିର୍ଭୂତ କହି ଲେଫ୍ଟନାଣ୍ଟର ଗଭର୍ଣ୍ଣର ରଦ୍ଦ କରିଦେଉଥିଲେ । ଦିଲ୍ଲୀ ହାଇକୋର୍ଟଙ୍କ ୨୦୧୬, ଅଗଷ୍ଟ ରାୟରେ ଲେଫ୍ଟନାଣ୍ଟର ଗଭର୍ଣ୍ଣରଙ୍କୁ ଶାସନର ସର୍ବେସର୍ବା ବୋଲି ଅଭିହିତ କରାଯାଇଥିଲା । ତେଣୁ ଦିଲ୍ଲୀ କ୍ୟାଡର ଅଧିକାରୀମାନେ ଆପ୍‌ ସରକାରଙ୍କ ମନ୍ତ୍ରୀ ପରିଷଦର ନିର୍ଦେଶକୁ ମାନୁ ନଥିଲେ । ଅପରପକ୍ଷରେ ଏଥିଯୋଗୁଁ ବିକାଶମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି ବୋଲି ଆପ୍‌ ସରକାର ଅଭିଯୋଗ କରି ଆସୁଥିଲେ । ଶେଷରେ ଆପ୍‌ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏନ୍‌ସିଟି ଦିଲ୍ଲୀ ଏକ ରାଜ୍ୟ ନା କେନ୍ଦ୍ରଶାସିତ ଅଞ୍ଚଳ ସେ ସମ୍ପର୍କରେ ସ୍ପଷ୍ଟ କରିବା ପାଇଁ ଆପ୍‌ ସରକାର ସୁପିମ୍‌କୋର୍ଟଙ୍କୁ ଅନୁରୋଧ କରିଥିଲେ । ସମ୍ବିଧାନର ୨୩୯ ଏଏର ତର୍ଜମା ଆଧାରରେ ଶୁଣାଣି କରିବାକୁ ଅନୁରୋଧ କରାଯାଇଥିଲା ।
ଆପ୍‌ ପକ୍ଷରୁ ବରିଷ୍ଠ ଆଇନଜୀବୀ ଗୋପାଳ ସୁବ୍ରମଣ୍ୟନ୍‌, ରାଜୀବ ଧାୱନ୍‌ ଓ ଇନ୍ଦିରା ଜୟସିଂହ ମାମଲା ଲଢ଼ୁଥିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ୍‌ ମନିନ୍ଦର ସିଂହ ମାମଲା ଲଢ଼ୁଥିଲେ ।

Leave A Reply