www.samajalive.in
Sunday, December 14, 2025
17.1 C
Bhubaneswar

ଯାଜପୁରରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସରକାରୀ ତତ୍ପରତା

ଭୁବନେଶ୍ୱର : ଦୀର୍ଘଦିନର କଳ୍ପନା ଜଳ୍ପନା ପରେ ଯାଜପୁରଠାରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସରକାରଙ୍କ ପକ୍ଷରୁ ତତ୍ପରତା ଦେଖାଦେଇଛି। ଏନେଇ ଜୁନ୍‌ରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ପଦସ୍ଥ ଅଧିକାରୀ ଓ ଯାଜପୁର ଜିଲାପାଳ ପ୍ରଶାସନର ଏକ ଟିମ୍‌ କ୍ଷେତ୍ର ପରିଦର୍ଶନ କରିଛନ୍ତି। ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ଜମି ହସ୍ତାନ୍ତର ଓ ଅନ୍ୟାନ୍ୟ ପ୍ରକ୍ରିୟା ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏବେ ପଦକ୍ଷେପ ଗ୍ରହଣ କରାଯାଇଛି। ଯାଜପୁରରେ ମଝିପଡାଠାରେ ଚିହ୍ନଟ ହୋଇଥିବା ୧୨୦ଏକର ସରକାରୀ ଜମି ଉପରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେଲେ ରାଜ୍ୟରେ କେବଳ ଯେ ଓଡ଼ିଆ ଭାଷର ବିକାଶ ହେବ ତାହା ନୁହେଁ ଯାଜପୁରର ପର୍ଯ୍ୟଟନ ଶିଳ୍ପ ସମୃଦ୍ଧ ହେବ ବୋଲି ଶାସକଦଳ ମୁଖ୍ୟ ସଚେତକ ତଥା ବଡଚଣା ବିଧାୟକ ଅମରପ୍ରସାଦ ଶତପଥୀ କହିଛନ୍ତି।
ଶ୍ରୀ ଶତପଥୀ କହିଛନ୍ତି ଯେ ଏନେଇ ସରକାରଙ୍କୁ ଏକ ପ୍ରସ୍ତାବ ଦିଆଯାଇଥିଲା। ପ୍ରସ୍ତାବକ୍ରମେ ଯାଜପୁର ଜିଲା ମଝିପଡା ମୌଜାର ଜମି ଚିହ୍ନଟ ପାଇଁ ଜୁନ୍‌ରେ ଉଚ୍ଚଶିକ୍ଷାବିଭାଗ, ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ କେତେକ ଭାଷାବିତଙ୍କ ସହ ସ୍ଥାନୀୟ ଜିଲାପାଳ କ୍ଷେତ୍ର ପରିଦର୍ଶନ କରିଥିଲେ। ଏହି ଅଞ୍ଚଳ ପ୍ରାଚୀନ ବୌଦ୍ଧପୀଠ ଉଦୟଗିରି, ରତ୍ନଗିରି ଓ ଲଳିତଗିରିର ନିକଟବର୍ତ୍ତୀ ସ୍ଥାନ ହୋଇଥିବାରୁ ଏଠାରେ ଏବେ ପର୍ଯ୍ୟଟକ ଯେତିକି ପରିମାଣର ଆସୁଛନ୍ତି ଯଦି ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଲାଭ କରେ ତେବେ ଏହି ସଂଖ୍ୟା ଢ଼େରଗୁଣରେ ବଢ଼ିବ। ବିଶ୍ୱର କୋଣ ଅନୁକୋଣରୁ ଉଚ୍ଚଶିକ୍ଷା ଓ ଗବେଷଣା ଲାଗି ଏଠାକୁ ଗବେଷକ ଓ ପର୍ଯ୍ୟଟକ ଆସିବା ଦ୍ୱାରା ସ୍ଥାନୀୟ ଲୋକଙ୍କ ଜୀବନ ଧାରଣର ମାନଦଣ୍ଡ ବୃଦ୍ଧି ପାଇବ ବୋଲି ଶ୍ରୀ ଶତପଥୀ କହିଛନ୍ତି।
ସୂଚନା ଅନୁଯାୟୀ ଖୀଷ୍ଟପୂର୍ବ ଦ୍ୱିତୀୟ ଶତାଦ୍ଧୀରୁ ଆରମ୍ଭ କରି ଦ୍ୱାଦଶ ଶତାଦ୍ଧୀ ପର୍ଯ୍ୟନ୍ତ ବୌଦ୍ଧ ଧର୍ମର କିମ୍ବଦନ୍ତୀ ଭାବେ ଉଦୟଗିରି ପୀଠ କିର୍ତ୍ତୀ ବହନ କରିଥିଲା। ସପ୍ତମ ଶତାଦ୍ଧୀରେ ସ୍ଥାପିତ ଏହି ବିଶ୍ୱବିଦ୍ୟାଳୟ ବୌଦ୍ଧ ଧର୍ମଶିକ୍ଷା ପ୍ରଦାନରେ ଓଡ଼ିଆ ଭାଷାକୁ ସମୃଦ୍ଧ କରି ବିଶ୍ୱରେ ଅନନ୍ୟ ସ୍ଥାନ ପରିଚୟ ସୃଷ୍ଟି କରିଥିଲା। ଏହି ପୀଠରେ ପୂର୍ବରୁ ପୁଷ୍ପଗିରି ବିଶ୍ୱବିଦ୍ୟାଳୟ ରହିଛି ବୋଲି ଚୀନ୍‌ ପରିବ୍ରାଜକ୍‌ ହୁଏନଂସା ଓଡ଼ିଶା ପରିଭ୍ରମଣ ବେଳେ ପ୍ରକାଶ କରିଥିଲେ। କେବଳ ସେତିକି ନୁହେଁ ପୁଷ୍ପଗିରି ବିଶ୍ୱବିଦ୍ୟାଳୟ ଏକ ପ୍ରାଚୀନ ବିଶ୍ୱବିଦ୍ୟାଳୟ ଭାବେ ଖ୍ୟାତି ଲାଭ କରିଥିଲା। ଏଠାରେ ସରକାରଙ୍କ ପକ୍ଷରୁ ପ୍ରସ୍ତାବିତ୍‌ ବିଶ୍ୱବିଦ୍ୟାଳୟ ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ଯାଜପୁରର ବୌଦ୍ଧ ହୀରକ ତ୍ରିଭୁଜ କ୍ଷେତ୍ରରେ ଅବ୍ୟବହୃତ ଜମିର ସଦୁପଯୋଗ ହେବା ସହିତ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଏକ ନୂତନ ସ୍ଥାନ ଭାବେ ଜଣାଯିବ ବୋଲି ଭାଷାବିତ୍‌ ଓ ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।
ଏନେଇ ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍‌ ଗତ ମାସରେ କ୍ଷେତ୍ର ପରିଦର୍ଶନ କରି ଯାଇଥିଲେ। ଏଠାରେ ୧୨୦ଏକର ସରକାରୀ ଜମି ଅବ୍ୟବହୃତ୍‌ ଭାବେ ପଡି ରହିଛି। ଏନେଇ ରାଜ୍ୟ ସରକାରଙ୍କୁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି। ଜିଲା ପ୍ରଶାସନ ମଧ୍ୟ ଜମି ହସ୍ତାନ୍ତର ଲାଗି ପ୍ରସ୍ତୁତ ରହିଛି। ଓଡ଼ିଆ ବିଶ୍ୱବିଦ୍ୟାଳୟ ଏଠାରେ ପ୍ରତିଷ୍ଠା ହେଲେ ସ୍ଥାନୀୟ ବାସିନ୍ଦାଙ୍କ ଜୀବନଧାରଣ ମାନ ବୃଦ୍ଧି ପାଇବ ବୋଲି ଶ୍ରୀ ଦାସ କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories