www.samajalive.in
Sunday, December 14, 2025
14.1 C
Bhubaneswar

‘କାଳିଆ’ ଯୋଜନାରେ ବ୍ୟାପକ ଅନିୟମିତତା ପ୍ରସଙ୍ଗ, ଅଡିଟ୍ ସଂପୂର୍ଣ୍ଣ ପାଇଁ ହାଇକୋର୍ଟରେ ମାମଲା

କଟକ : ‘କାଳିଆ’ ଯୋଜନାରେ ବ୍ୟାପକ ଅନିୟମିତତା କରାଯାଇଥିଲା। ଏହି ଯୋଜନାରେ କୋଟି କୋଟି ଟଙ୍କା ଅଯୋଗ୍ୟ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିଲା। ଏଥି ସହିତ ଯୋଜନା କାର୍ଯ୍ୟକାରୀ ବେଳେ ବିଭିନ୍ନ ବାବଦରେ ସରକାରଙ୍କ ବିଭିନ୍ନ ବିଭାଗ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ। କାଳିଆ ଯୋଜନା ଖର୍ଚ୍ଚର ଅଡିଟ ପାଇଁ ୨୦୧୯ରେ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। କିନ୍ତୁ ଅଡିଟ ଅଧାରୁ ଅଟକି ଥିଲା। ଏହି ଅଡିଟ୍ ସଂପୂର୍ଣ୍ଣ କରିବା ପାଇଁ ପ୍ରିନ୍ସିପାଲ ଆକାଉଣ୍ଟାଣ୍ଟ ଜେନେରାଲ (ଇକୋନୋମିକ ଆଣ୍ଡ ରେଭିନ୍ୟୁ ସେକ୍ଟର ଅଡିଟ୍)ଙ୍କୁ ନିର୍ଦ୍ଦେଶ ଦିଆଯାଉ ଦର୍ଶାଇ ହାଇକୋର୍ଟରେ ବଲ୍ଲଭ ଚରଣ ସାହୁ ମାମଲା ରୁଜୁ କରିଥିଲେ। ଏହି ମାମଲାରେ ଥିବା ପ୍ରସଂଗ ଜନସ୍ବାର୍ଥ ସଂପର୍କିତ ହୋଇଥିବା ଦୃଷ୍ଟିରୁ ଉପଯୁକ୍ତ ଖଣ୍ଡପୀଠରେ ଆବେଦନର ଶୁଣାଣି ପାଇଁ ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅରବିନ୍ଦ ମହାନ୍ତି ମାମଲା ପରିଚାଳନା କରୁଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ କୃଷକଙ୍କ ପାଇଁ ସରକାର କାଳିଆ ଯୋଜନା ଆରମ୍ଭ କରିବା ନେଇ ୨୦୧୮ରେ ଘୋଷଣା କରିଥିଲେ। କାଳିଆ ଯୋଜନା ପାଇଁ ରାଜ୍ୟର କଣ୍ଟିନଜେନ୍ସି ଫଣ୍ଡରୁ ଅର୍ଥ ଖର୍ଚ୍ଚ କରାଯାଇଥିଲା। ପ୍ରାଥମିକ ପର୍ଯ୍ୟାୟରେ କାଳିଆ ଯୋଜନାରେ ୫୧ ଲକ୍ଷ ୫ ହଜାର ୨୯୦ ଜଣ ହିତାଧିକାରୀଙ୍କୁ ୫ ହଜାର ଟଙ୍କା ଲେଖାଏ ପ୍ରଦାନ ପାଇଁ ଚୟନ କରାଯାଇଥିଲା। ଏଥିରୁ ୫ ଲକ୍ଷ ୭ ହଜାର ୮୧୮ ଜଣ ହିତାଧିକାରୀ ଅଯୋଗ୍ୟ ବୋଲି ସ୍ପଷ୍ଟ ହୋଇଥିଲା। ଏପରି ହିତାଧିକାରୀଙ୍କୁ ୨୫୩ କୋଟି ୯୦ ଲକ୍ଷ ୯୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଏଥି ସହିତ କାଳିଆ ଯୋଜନା‌ର ପ୍ରଚାର ପ୍ରସାର ପାଇଁ କୋଟି କୋଟି ଟଙ୍କା ବିଭିନ୍ନ ପ୍ରକାରର ବିଜ୍ଞାପନରେ ଖର୍ଚ୍ଚ କରାଯାଇଥିଲା। କାଳିଆ ଖର୍ଚ୍ଚର ଅଡିଟ୍ ପାଇଁ ପ୍ରିନ୍ସିପାଲ ଆକାଉଣ୍ଟାଣ୍ଟ ଜେନେରାଲ ୨୦୧୯ରେ ନିର୍ଦ୍ଦେଶ ଦେବା ପରେ ଅଡିଟ ଆରମ୍ଭ ହୋଇଥିଲା। କିନ୍ତୁ କେଉଁ ପରିସ୍ଥିତିରେ ଅଡିଟ ଅଟକି ଥିଲା ତାହା ଅସ୍ପଷ୍ଟ। କେତେକ ବିଭାଗ ଅଡିଟରଙ୍କୁ ତଥ୍ୟ ଦେଇ ନଥିଲେ ବୋଲି ଅଭିଯୋଗ ହୋଇଥିଲା। ଏଭଳି ସ୍ଥିତିରେ ଅଡିଟ ହେଲେ କାଳିଆ ଯୋଜନାରେ କେତେ ଆର୍ଥିକ ଅନିୟମିତତା ହୋଇଛି ସ୍ପଷ୍ଟ ହେବ ବୋଲି ଆବେଦନକାରୀ ଦର୍ଶାଇବା ସହିତ ସ୍ବତନ୍ତ୍ର ଅଡିଟ୍ ସଂପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ପ୍ରାର୍ଥନା କରିଛନ୍ତି।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories